Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ଯୋହନ 2

ହେ ମୋହର ପ୍ରିୟ ସନ୍ତାନଗଣ, ତୁମ୍ଭେମାନେ ଯେପରି ପାପ କରିବ ନାହିଁ ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଏହା ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତେବେ ଆମ ସପକ୍ଷରେ ପିତାଙ୍କ ଛାମୁରେ କହିବାକୁ ଜଣେ ଅଛନ୍ତି, ସେ ହେଉଛନ୍ତି ଆମ ଅଧିବକ୍ତା ଯୀଶୁ ଖ୍ରୀଷ୍ଟ। ଆମର ପାପ ନିମନ୍ତେ ଏବଂ କେବଳ ଆମର ପାପ ନିମନ୍ତେ ନୁହେଁ, ମାତ୍ର ସମଗ୍ର ଜଗତବାସୀଙ୍କ ପାପ ନିମନ୍ତେ ସେ ପ୍ରାୟଶ୍ଚିତ୍ତର ବଳିସ୍ଵରୂପ ହୋଇଅଛନ୍ତି।

ଆମେ ଜାଣୁ ଯେ ଯଦି ତାହାଙ୍କର ଆଜ୍ଞା ପାଳନ କରୁ ତେବେ ଆମେ ତାହାଙ୍କର ପରିଚୟ ପାଇଅଛୁ। ଯେଉଁ ମନୁଷ୍ୟ କହେ, “ମୁଁ ତାହାଙ୍କୁ ଜାଣେ,” ଅଥଚ ସେ ତାହାଙ୍କର ଆଜ୍ଞାସକଳ ପାଳନ କରେ ନାହିଁ, ସେ ମିଥ୍ୟାବାଦୀ ଓ ତା ମଧ୍ୟରେ ସତ୍ୟ ସ୍ଥାନ ପାଇ ନାହିଁ। କିନ୍ତୁ ଯେକେହି ତାହାଙ୍କର ବାକ୍ୟ ପାଳନ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତରେ ପୂର୍ଣ୍ଣତା ଲାଭ କରିଅଛି। ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ତାହା ଏହିରୂପେ ଜାଣି ପାରିବା: ଯିଏ ତାହାଙ୍କ ସହିତ ରହିଛି ବୋଲି କହେ ସେ ଯୀଶୁଙ୍କ ପରି ଆଚରଣ କରିବା ଉଚିତ୍।

ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁନାହିଁ ମାତ୍ର ଏକ ପୁରାତନ ଆଜ୍ଞା ଲେଖୁଅଛି, ଏହା ତୁମ୍ଭେମାନେ ଆଦ୍ୟରୁ ପାଇଅଛ। ଏହି ପୁରାତନ ଆଜ୍ଞା ହେଉଛି ସେହି ବାର୍ତ୍ତା ଯାହା ତୁମ୍ଭେମାନେ ଶୁଣିଅଛ। ତଥାପି ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆଜ୍ଞା ଲେଖୁଅଛି; ଏହାର ସତ୍ୟତା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ପ୍ରକାଶିତ ହେଉଅଛି, କାରଣ ଅନ୍ଧକାର ଅପସରି ଯାଉଅଛି ଓ ସତ୍ୟ ଜ୍ୟୋତିଃ ଉଦ୍ଭାସିତ ହେଉଅଛି।

କେହି ଯଦି ଆଲୋକରେ ରହିଅଛି ବୋଲି କହେ ଅଥଚ ନିଜ ଭାଇକୁ ଘୃଣା କରେ ତେବେ ସେ ଆହୁରି ଅନ୍ଧକାରରେ ରହିଅଛି। ଯେକେହି ନିଜ ଭାଇକୁ ପ୍ରେମ କରେ, ସେ ଆଲୋକରେ ବାସ କରେ ଓ ସେଥିରେ ଝୁଣ୍ଟିବାର କାରଣ ନ ଥାଏ। କିନ୍ତୁ ଯେକେହି ନିଜ ଭାଇକୁ ଘୃଣା କରେ ସେ ଅନ୍ଧକାର ମଧ୍ୟରେ ରହିଅଛି ଓ ଅନ୍ଧକାରରେ ଘୂରି ବୁଲୁଅଛି। ସେ କେଉଁଆଡ଼େ ଯାଉଅଛି ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାକୁ ଅନ୍ଧ କରି ଦେଇଅଛି।

ପ୍ରିୟ ସନ୍ତାନଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି,

କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପକ୍ଷମା ହୋଇଅଛି।

ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି,

କାରଣ ଯେ ଆଦ୍ୟରୁ ବିଦ୍ୟମାନ ତାହାଙ୍କୁ ତୁମ୍ଭେମାନେ ଜାଣିଅଛ।

ହେ ଯୁବକଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି,

କାରଣ ତୁମ୍ଭେମାନେ ପାପାତ୍ମକୁ ଜୟ କରିଅଛ।

ହେ ପ୍ରିୟ ସନ୍ତାନଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି,

କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ।

ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି,

କାରଣ ଯେ ଆଦ୍ୟରୁ ବିଦ୍ୟମାନ ତାହାଙ୍କୁ ତୁମ୍ଭେମାନେ ଜାଣିଅଛ।

ହେ ଯୁବକଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି,

କାରଣ ତୁମ୍ଭେମାନେ ବଳବାନ୍

ଏବଂ ଈଶ୍ୱରଙ୍କ ବାକ୍ୟ ତୁମଠାରେ ଅଛି,

ପୁଣି ପାପାତ୍ମକୁ ଜୟ କରିଅଛ।

ଜାଗତିକ ବିଷୟରେ ଆସକ୍ତ ହୁଅ ନାହିଁ

ଜଗତକୁ କିମ୍ବା ଜାଗତିକ ବିଷୟକୁ ପ୍ରିୟଜ୍ଞାନ କର ନାହିଁ। କେହି ଯଦି ଜଗତକୁ ପ୍ରିୟ ମଣେ, ପିତାଙ୍କର ପ୍ରେମ ତାହା ମଧ୍ୟରେ ନାହିଁ। କାରଣ ପାପୀ ମନୁଷ୍ୟର ଭୋଗଲାଳସା, ତାହାର ଚକ୍ଷୁର ଲୋଲୁପଦୃଷ୍ଟି, ଇହ ଜୀବନରେ ଲାଭ କରିଥିବା ସବୁ ବିଷୟ ପାଇଁ ଅହଂକାର ଏହିସମସ୍ତ ଜାଗତିକ ବିଷୟ ପିତାଙ୍କଠାରୁ ଆସେ ନାହିଁ ମାତ୍ର ଜଗତରୁ ଆସିଥାଏ। ଜଗତ ଓ ତହିଁର ଅଭିଳାଷଗୁଡ଼ିକ ଲୋପ ପାଇବ, କିନ୍ତୁ ଯେଉଁ ମନୁଷ୍ୟ ଈଶ୍ୱରଙ୍କ ଇଚ୍ଛା ସାଧନ କରେ ସେ ଚିରକାଳ ଜୀବିତ ରହିବ।

ଖ୍ରୀଷ୍ଟବିରୋଧୀ ବିରୁଦ୍ଧରେ ସତର୍କବାଣୀ

ପ୍ରିୟ ସନ୍ତାନଗଣ, ଏହା ଅନ୍ତିମକାଳ, ତୁମ୍ଭେମାନେ ଯେପରି ଶୁଣିଅଛ ଯେ ଖ୍ରୀଷ୍ଟବିରୋଧୀ ଆସୁଅଛି, ସେହିପରି ଏବେ ଅନେକ ଖ୍ରୀଷ୍ଟବିରୋଧୀ ଆସିଲେଣି। ଏହା ଅନ୍ତିମକାଳ ବୋଲି ଆମେ ଏହିରୂପେ ଜାଣୁଅଛୁ। ସେମାନେ ଆମ ମଧ୍ୟରୁ ଚାଲିଗଲେ, କିନ୍ତୁ ପ୍ରକୃତରେ ସେମାନେ ଆମ ଦଳର ନ ଥିଲେ। କାରଣ ଯଦି ସେମାନେ ଆମ ଦଳର ହୋଇଥାଆନ୍ତେ, ତେବେ ଆମ ସଙ୍ଗେ ରହିଥାଆନ୍ତେ; କିନ୍ତୁ ସେସମସ୍ତେ ଯେ ଆମ ଦଳର ନୁହନ୍ତି ସେମାନେ ଚାଲିଯିବା ଦ୍ଵାରା ତାହା ଜଣା ପଡ଼ିଲା।

କିନ୍ତୁ ତୁମ୍ଭେମାନେ ପବିତ୍ରଜନଙ୍କ ଦ୍ଵାରା ଅଭିଷିକ୍ତ ହୋଇଅଛ ଏବଂ ତୁମେ ସମସ୍ତେ ସତ୍ୟ ଜାଣିଅଛ। ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ଲେଖୁଅଛି ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଅଛ ଓ ସତ୍ୟରୁ କୌଣସି ମିଥ୍ୟା ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ଏହା ଲେଖୁଅଛି। କିଏ ମିଥ୍ୟାବାଦୀ? ଯୀଶୁ ଯେ ଖ୍ରୀଷ୍ଟ। ଏ କଥା ଯେ ଅସ୍ୱୀକାର କରେ ସେ ମିଥ୍ୟାବାଦୀ ସେହି ମନୁଷ୍ୟ ହିଁ ଖ୍ରୀଷ୍ଟବିରୋଧୀ ସେ ପିତା ଓ ପୁତ୍ରଙ୍କୁ ଅସ୍ୱୀକାର କରେ। ଯେକେହି ପୁତ୍ରଙ୍କୁ ଅସ୍ୱୀକାର କରେ ସେ ପିତାଙ୍କୁ ପାଇ ନାହିଁ; ଯେକେହି ପୁତ୍ରଙ୍କୁ ସ୍ୱୀକାର କରେ ସେ ପିତାଙ୍କୁ ମଧ୍ୟ ପାଇଅଛି।

ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କ ଅନ୍ତରରେ ରହିଥାଉ। ଯଦି ରହେ, ତେବେ ତୁମ୍ଭେମାନେ ମଧ୍ୟ ପୁତ୍ରଙ୍କଠାରେ ଓ ପିତାଙ୍କଠାରେ ରହିବ। ପୁଣି ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ହେଉଛି ଅନନ୍ତଜୀବନ।

ଯେଉଁମାନେ ତୁମ୍ଭମାନଙ୍କୁ ବିପଥରେ ନେଇ ଯିବାକୁ ଚେଷ୍ଟା କରୁଅଛନ୍ତି ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କୁ ଏହିସବୁ ଲେଖୁଅଛି। ତୁମ୍ଭେମାନେ, ତାହାଙ୍କଠାରୁ ଯେଉଁ ଅଭିଷେକ ଲାଭ କରିଅଛ ତାହା ତୁମ୍ଭମାନଙ୍କଠାରେ ଥିବାରୁ, କେହି ତୁମ୍ଭମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ନାହିଁ। କିନ୍ତୁ ତାହାଙ୍କର ଅଭିଷେକ ତୁମକୁ ସମସ୍ତ ବିଷୟ ଶିକ୍ଷା ଦିଏ ଏବଂ ତାହା ବାସ୍ତବ, ତାହା କାଳ୍ପନିକ ନୁହେଁ, ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ଥାଅ।

ହେ ପ୍ରିୟ ସନ୍ତାନଗଣ, ତାହାଙ୍କଠାରେ ରହିଥାଅ, ତାହାହେଲେ ସେ ଯେତେବେଳେ ଆବିର୍ଭୂତ ହେବେ ଆମେ ତାହାଙ୍କ ଆଗମନରେ ଲଜ୍ଜିତ ନ ହୋଇ ଭରସା ଲାଭ କରିବା।

ସେ ଧାର୍ମିକ ବୋଲି ଯଦି ଜାଣିଅଛ, ତେବେ ଏହା ମଧ୍ୟ ଜାଣିଥାଅ ଯେକେହି ସଦାଚରଣ କରେ ସେ ତାହାଙ୍କଠାରୁ ଜାତ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.