Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 13

ଶେଷ ସତର୍କବାଣୀ

ତୁମ୍ଭମାନଙ୍କ ନିକଟକୁ ଏହା ମୋର ତୃତୀୟ ଯାତ୍ରା ହେବ। “ଦୁଇ ବା ତିନିଜଣ ସାକ୍ଷୀଙ୍କ ସାକ୍ଷ୍ୟ ଦ୍ଵାରା ବିଚାର ନିଷ୍ପନ୍ନ କରାହେବ।” ଦ୍ୱିତୀୟ ଥର ମୁଁ ତୁମ୍ଭମାନଙ୍କ ସହିତ ଥିଲାବେଳେ ତୁମ୍ଭମାନଙ୍କୁ ସତର୍କବାଣୀ ଦେଇ ସାରିଅଛି। ଏବେ ଅନୁପସ୍ଥିତ ଥାଇ ପୁନର୍ବାର କହୁଅଛି: ମୁଁ ଆଉ ଥରେ ଗଲେ ପୂର୍ବେ ପାପ କରିଥିବା ବ୍ୟକ୍ତିମାନଙ୍କୁ କିମ୍ବା ଅନ୍ୟ କାହାରିକୁ ନିଷ୍କୃତି ଦେବି ନାହିଁ, କାରଣ ଖ୍ରୀଷ୍ଟ ଯେ ମୋ ମାଧ୍ୟମରେ କଥା କହୁଅଛନ୍ତି ତୁମ୍ଭେମାନେ ତାହାର ପ୍ରମାଣ ଦାବୀ କରୁଅଛ। ତୁମ୍ଭମାନଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଶକ୍ତିହୀନ ନୁହନ୍ତି, ମାତ୍ର ତୁମ୍ଭମାନଙ୍କମଧ୍ୟରେ ସେ ଶକ୍ତିମନ୍ତ ଅଟନ୍ତି। ଯେହେତୁ ଏହା ନିଶ୍ଚିତ ଯେ, ସେ ଦୁର୍ବଳତାରେ କ୍ରୁଶବିଦ୍ଧ ହେଲେ, କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ଜୀବିତ ଅଟନ୍ତି। ସେହିପରି, ଆମେ ତାହାଙ୍କଠାରେ ଥିବାରୁ ଦୁର୍ବଳ, ତଥାପି ଈଶ୍ୱରଙ୍କ ଶକ୍ତିରେ ଆମେ ତୁମ୍ଭମାନଙ୍କ ସେବା ପାଇଁ ତାହାଙ୍କ ସହିତ ଜୀବିତ ହେବା।

ତୁମ୍ଭେମାନେ ତୁମ ବିଶ୍ୱାସକୁ ଦୃଢ଼ ରୂପେ ଧରିଅଛ କି ନାହିଁ ଆତ୍ମପରୀକ୍ଷା କରି ଦେଖ; ନିଜର ପରୀକ୍ଷା କର। ତୁମ୍ଭେମାନେ କଅଣ ଜାଣି ନାହଁ ଯେ ଖ୍ରୀଷ୍ଟ ଯୀଶୁ ତୁମ ଅନ୍ତରରେ ଅଛନ୍ତି, ଅବଶ୍ୟ ଯଦି ତୁମ୍ଭେମାନେ ପରୀକ୍ଷା କରି ବିଫଳ ହୋଇଛ, ତେବେ ତୁମ୍ଭେମାନେ ତ ଜାଣି ନାହଁ? ପୁଣି ଆମେ ଯେ ପରୀକ୍ଷାରେ ବିଫଳ ହୋଇନାହୁଁ ଏହା ତୁମ୍ଭେମାନେ ବୁଝିବ ବୋଲି ମୁଁ ବିଶ୍ୱାସ କରେ। ତୁମ୍ଭେମାନେ କୌଣସି ଅନ୍ୟାୟ କାର୍ଯ୍ୟ କରିବ ନାହିଁ ବୋଲି ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ, ଆମେ ଯେ ପରୀକ୍ଷାରେ ସଫଳ ହୋଇଅଛୁ ଏହା ଲୋକେ ଦେଖନ୍ତୁ ବୋଲି ନୁହେଁ ମାତ୍ର ଆମେ ବିଫଳ ହୋଇଅଛୁ ବୋଲି ମନେ ହେଲେ ମଧ୍ୟ ତୁମ୍ଭେମାନେ ଯଥାର୍ଥ କର୍ମ କରିବ। କାରଣ ଆମେ ସତ୍ୟ ବିପକ୍ଷରେ କିଛି ହିଁ କରିପାରିବୁ ନାହିଁ, କିନ୍ତୁ କେବଳ ସତ୍ୟ ସପକ୍ଷରେ କରିପାରିବୁ। ଆମେଦୁର୍ବଳ ହେଲେ ମଧ୍ୟ ତୁମ୍ଭେମାନେ ସବଳ ଥିଲେ ଆମେ ଆନନ୍ଦ ଲାଭ କରୁ; ଏବଂ ତୁମ୍ଭମାନଙ୍କର ସିଦ୍ଧିଲାଭ ପାଇଁ ଆମର ପ୍ରାର୍ଥନା। ଏହି କାରଣରୁ ମୁଁ ଅନୁପସ୍ଥିତ ଥିଲାବେଳେ ଏହିସମସ୍ତ ବିଷୟ ଲେଖୁଅଛି, ତା ହେଲେ ମୁଁ ଯେତେବେଳେ ଯିବି ମୋର ଅଧିକାର ବ୍ୟବହାର କଲାବେଳେ ମୋତେ କଠୋର ହେବାକୁ ପଡ଼ିବ ନାହିଁ, ତୁମ୍ଭମାନଙ୍କୁ ଭାଙ୍ଗିବାକୁ ନୁହେଁ ମାତ୍ର ଗଠନ କରିବାକୁ ପ୍ରଭୁ ମୋତେ ଏହି ଅଧିକାର ଦେଇଅଛନ୍ତି।

ଅଭିବାଦନ ଜ୍ଞାପନ

ପରିଶେଷରେ, ହେ ଭାଇ ଓ ଭଉଣୀମାନେ, ଆନନ୍ଦ କର। ସିଦ୍ଧିଲାଭ ତୁମର ଲକ୍ଷ୍ୟ ହେଉ, ମୋର ନିବେଦନ ପ୍ରତି କର୍ଣ୍ଣପାତ କର, ଏକଚିତ୍ତ ହୁଅ, ଶାନ୍ତିରେ ବାସ କର, ଏବଂ ପ୍ରେମ ଓ ଶାନ୍ତିର ଆକର ଈଶ୍ୱର ତୁମର ସହିତ ରହିବେ।

ପବିତ୍ର ଚୁମ୍ବନରେ ପରସ୍ପରକୁ ଅଭିବାଦନ ଜଣାଅ।

ସମସ୍ତ ସାଧୁବୃନ୍ଦ ତୁମ୍ଭମାନଙ୍କୁ ଅଭିବାଦନ ପଠାଉଛନ୍ତି।

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ଈଶ୍ୱରଙ୍କର ପ୍ରେମ, ଓ ପବିତ୍ରଆତ୍ମାଙ୍କ ସହଭାଗିତା ତୁମ ସମସ୍ତଙ୍କ ସହିତ ଥାଉ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.