Skip to content
BibleKenya

Biblica® Open Odia Contemporary Bible

ଗାଲାତୀୟ 1

ମୁଁ ପାଉଲ, ଜଣେ ପ୍ରେରିତ, ମନୁଷ୍ୟଠାରୁ କିମ୍ବା ମନୁଷ୍ୟ ଦ୍ଵାରା ପ୍ରେରିତ ହୋଇନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଓ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ଵାରା ପ୍ରେରିତ ହୋଇଅଛି, ମୁଁ ଓ ମୋ ସହିତ ସମସ୍ତ ଭ୍ରାତା ଓ ଭଉଣୀମାନଙ୍କ ନିକଟରୁ,

ଗାଲାତୀୟ ମଣ୍ଡଳୀଗୁଡ଼ିକୁ ଅଭିବାଦନ:

ଆମର ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ, ଆମର ଈଶ୍ୱର ତଥା ପିତାଙ୍କର ଇଚ୍ଛାନୁଯାୟୀ ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନର ଏହି ମନ୍ଦ ଜଗତରୁ, ଆମକୁ ଉଦ୍ଧାର କରିବା ପାଇଁ ଆମର ପାପ ନିମନ୍ତେ ନିଜକୁ ସମର୍ପି ଦେଲେ, ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍।

ଅନ୍ୟ ସୁସମାଚାର ନାହି

ଯେ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଆହ୍ଵାନ କଲେ ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ଏକ ସୁସମାଚାର ପ୍ରତି ଆକୃଷ୍ଟ ହେଉଅଛ ଏଥିରେ ମୁଁ ବିସ୍ମିତ ହେଉଅଛି ଏହା ତ ଆଦୌ ସୁସମାଚାର ନୁହେଁ। ଏହା ସ୍ପଷ୍ଟ ଯେ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରୁଅଛନ୍ତି। ଏପରିକି ଆମେ ହେଉ କିମ୍ବା ସ୍ଵର୍ଗରୁ ଆଗତ କୌଣସି ଦୂତ ହେଉନ୍ତୁ କେହି ଯଦି ତୁମ ନିକଟରେ ଆମେ ପ୍ରଚାର କରିଥିବା ସୁସମାଚାର ବ୍ୟତୀତ ଅନ୍ୟ କୌଣସି ସୁସମାଚାର ପ୍ରଚାର କରେ, ସେ ଚିର ଅଭୀଶପ୍ତ ହେଉ! ଆମେ ପୂର୍ବେ ଯେପରି କହିଅଛୁ, ବର୍ତ୍ତମାନ ମଧ୍ୟ ମୁଁ ସେହିପରି କହୁଅଛି: ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ବ୍ୟତୀତ କେହି ଯଦି ଅନ୍ୟ ଏକ ସୁସମାଚାର ପ୍ରଚାର କରେ, ସେ ଚିର ଅଭୀଶପ୍ତ ହେଉ!

ମୁଁ କଅଣ ଏବେ ମନୁଷ୍ୟମାନଙ୍କର, କିମ୍ବା ଈଶ୍ୱରଙ୍କ ଅନୁମୋଦନ ଲାଭ କରିବାକୁ ଚେଷ୍ଟା କରୁଅଛି? ଅଥବା ମୁଁ କଅଣ ମନୁଷ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଅଛି? ମୁଁ ଯଦି ଆହୁରି ମନୁଷ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥାଆନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।

ଈଶ୍ୱରଙ୍କ ଦ୍ଵାରା ଆହୂତ ପାଉଲ

ଭାଇମାନେ, ତୁମ୍ଭେମାନେ ଏହା ଜାଣ ବୋଲି ମୋର ଇଚ୍ଛା ଯେ, ମୁଁ ଯେଉଁ ସୁସମାଚାର ପ୍ରଚାର କରିଥିଲି ତାହା ମନୁଷ୍ୟ ପରିକଳ୍ପିତ ନୁହେଁ। ମୁଁ ତାହା କୌଣସି ମନୁଷ୍ୟଠାରୁ ପାଇ ନ ଥିଲି, କି ଶିଖି ନ ଥିଲି; ମାତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ଵାରା ତାହା ପାଇଥିଲି।

ଯିହୁଦୀ ଧର୍ମରେ ଥିଲାବେଳେ ମୋର ଜୀବନଧାରା କି ପ୍ରକାର ଥିଲା, ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ କିପରି ନିଷ୍ଠୁର ଭାବରେ ନିର୍ଯ୍ୟାତନା କରି ବିନାଶ କରିବାକୁ ଚେଷ୍ଟା କରୁଥିଲି ତାହା ତୁମ୍ଭେମାନେ ଶୁଣିଅଛ। ମୁଁ ମୋର ପିତୃପୁରୁଷମାନଙ୍କ ପରମ୍ପରାଗତ ରୀତିନୀତି ବିଷୟରେ ଅତିଶୟ ଉଦ୍‌ଯୋଗୀ ଥିଲି ଏବଂ ମୋର ସମବୟସ୍କ ଅନେକ ଜାତିଭାଇଙ୍କ ଅପେକ୍ଷା ଯିହୁଦୀ ଧର୍ମରେ ଅଗ୍ରଗତି ଲାଭ କରୁଥିଲି। କିନ୍ତୁ ଈଶ୍ୱର, ମୋତେ ମାତୃଗର୍ଭରୁ ମନୋନୀତ କରି ପୃଥକ୍ କଲେ ଓ ତାହାଙ୍କ ଅନୁଗ୍ରହରେ ମୋତେ ଆହ୍ଵାନ କଲେ ପୁଣି ମୁଁ ଯେପରି ଅଣଯିହୁଦୀମାନଙ୍କ ନିକଟରେ ତାହାଙ୍କ ପୁତ୍ରଙ୍କୁ ପ୍ରଚାର କରିପାରେ, ଏଥିପାଇଁ ସେ ତାହାଙ୍କୁ ମୋ ନିକଟରେ ପ୍ରକାଶ କରିବାକୁ ସନ୍ତୋଷଲାଭ କଲେ, ସେତେବେଳେ ମୁଁ କୌଣସି ମନୁଷ୍ୟ ସହିତ ପରାମର୍ଶ କରି ନ ଥିଲି। କିମ୍ବା ମୋ ପୂର୍ବରୁ ଯେଉଁମାନେ ପ୍ରେରିତଶିଷ୍ୟ ହୋଇଥିଲେ, ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଯିରୂଶାଲମକୁ ଯାଇ ନ ଥିଲି। କିନ୍ତୁ ମୁଁ ସଙ୍ଗେସଙ୍ଗେ ଆରବ ଦେଶକୁ ଚାଲିଗଲି ଓ ପରେ ଦାମାସ୍କସ୍‌କୁ ଫେରି ଯାଇଥିଲି।

ଏଉତ୍ତାରେ ମୁଁ ତିନି ବର୍ଷ ପରେ, କେଫାଙ୍କ ସହିତ ପରିଚିତ ହେବାକୁ ଯିରୂଶାଲମକୁ ଯାଇ ତାଙ୍କ ସହିତ ପନ୍ଦର ଦିନ ରହିଥିଲି। ସେଠାରେ ମୁଁ ଅନ୍ୟ କୌଣସି ପ୍ରେରିତଙ୍କୁ ଦେଖିଲି ନାହି, କେବଳ ପ୍ରଭୁଙ୍କର ଭ୍ରାତା ଯାକୁବଙ୍କ ସହିତ ଦେଖା କଲି। ଈଶ୍ୱରଙ୍କ ସାକ୍ଷାତରେ ମୁଁ ନିଶ୍ଚିତ ରୂପେ କହୁଛି ଯେ ମୁଁ ତୁମ୍ଭମାନଙ୍କୁ ଯାହା ଲେଖୁଛି ତାହା ମିଥ୍ୟା ନୁହେଁ।

ପରେ ମୁଁ ସିରିଆ ଓ ସିଲିସିଆକୁ ଯାଇଥିଲି। ଯିହୁଦା ଦେଶରେ ଖ୍ରୀଷ୍ଟଙ୍କ ମଣ୍ଡଳୀଗୁଡ଼ିକରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି। ସେମାନେ କେବଳ ଏହି ସମ୍ବାଦ ଶୁଣିଥିଲେ: “ଯେଉଁ ବ୍ୟକ୍ତି ଏକଦା ଆମ୍ଭମାନଙ୍କୁ ନିର୍ଯ୍ୟାତନା କରୁଥିଲେ ଓ ଯେଉଁ ବିଶ୍ୱାସମତକୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ ସେ ଏବେ ସେହି ବିଶ୍ୱାସମତ ପ୍ରଚାର କରୁଛନ୍ତି।” ପୁଣି ସେମାନେ ମୋ ସକାଶେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.