Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 12

ପାଉଲଙ୍କ ଦିବ୍ୟଦର୍ଶନ ଓ ତାଙ୍କର କଣ୍ଟକ

ମୋତେ ଆହୁରି ଦର୍ପ କରିବାକୁ ହେଉଅଛି। ଏହା କରିବା ଦ୍ଵାରା କୌଣସି ଲାଭ ନହେଲେ ସୁଦ୍ଧା, ମୁଁ ପ୍ରଭୁଙ୍କଠାରୁ ପାଇଥିବା ଦିବ୍ୟଦର୍ଶନ ଓ ପ୍ରକାଶିତ ବିଷୟସବୁ କହିବି। ଖ୍ରୀଷ୍ଟାଶ୍ରିତ ଜଣେ ବ୍ୟକ୍ତିକୁ ମୁଁ ଜାଣେ ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ଵର୍ଗକୁ ନୀତ ହୋଇଥିଲା। ସେ ଶରୀରରେ କି ବିନା ଶରୀରରେ ଯାଇଥିଲା ମୁଁ ଜାଣେ ନାହିଁ ଈଶ୍ୱର ଜାଣନ୍ତି। ମୁଁ ଜାଣେ ଯେ ଏହି ବ୍ୟକ୍ତି ସଶରୀରରେ, କି ଶରୀରହୀନ ହୋଇ ତାହା ମୁଁ ଜାଣେ ନାହିଁ, ମାତ୍ର ଈଶ୍ୱର ଜାଣନ୍ତି। ପାରଦୀଶକୁ ନୀତ ହେଲା ସେ ଏପରି ବିଷୟମାନ ଶ୍ରବଣ କଲା ଯାହା କଥାରେ ବ୍ୟକ୍ତ କରି ହେବ ନାହିଁ, କି ମନୁଷ୍ୟ ପକ୍ଷରେ ତାହା ଉଚ୍ଚାରଣ କରିବା ଉଚିତ ହେବ ନାହିଁ। ଏପ୍ରକାର ମନୁଷ୍ୟ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋର ଦୁର୍ବଳତା ବ୍ୟତୀତ, ମୁଁ ନିଜ ବିଷୟରେ ଦର୍ପ କରିବି ନାହିଁ। ଯଦି ମୁଁ ଦର୍ପ କରିବାକୁ ଇଚ୍ଛା କରନ୍ତି, ତେବେ ନିର୍ବୋଧ ବିବେଚିତ ହୁଅନ୍ତି ନାହିଁ, କାରଣ ମୁଁ ସତ କହନ୍ତି। କିନ୍ତୁ ମୁଁ ଦର୍ପରୁ କ୍ଷାନ୍ତ ହେବି, ଯେପରିକି ମୁଁ ଯାହା କରେ ବା କହେ ତାହା ଦ୍ଵାରା ମୋ ବିଷୟରେ ଯେତିକି ଧାରଣା କରିବା ଉଚିତ ତା ଅପେକ୍ଷା କେହି ଅଧିକ ଧାରଣା ନ କରେ, ଏହିପ୍ରକାର, ଅତିଶୟ ଉତ୍କୃଷ୍ଟ ପ୍ରକାଶିତ ବିଷୟଗୁଡ଼ିକ ହେତୁ, ମୁଁ ଯେପରି ବୃଥାଗର୍ବିତ ନ ହୁଏ, ଏଥିପାଇଁ ମୋତେ ଯନ୍ତ୍ରଣା ଦେବାକୁ, ମୋ ଶରୀରରେ ଶୟତାନର ଦୂତସ୍ଵରୂପ, ଏକ କଣ୍ଟକ ଦିଆଗଲା। ମୋ ଠାରୁ ତାହା ନେଇ ଯିବାକୁ ମୁଁ ପ୍ରଭୁଙ୍କୁ ତିନିଥର ବିନତି କଲି। କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ, କାରଣ ଦୁର୍ବଳତାରେ ମୋର ଶକ୍ତି ପୂର୍ଣ୍ଣତା ଲାଭ କରେ।” ଅତଏବ ଖ୍ରୀଷ୍ଟଙ୍କର ଶକ୍ତି ଯେପରି ମୋ ଠାରେ ଆଧାରିତ ହୁଏ, ଏଥିପାଇଁ ମୋର ଦୁର୍ବଳତା ଗୁଡ଼ିକ ବିଷୟରେ ମୁଁ ଅଧିକ ଆନନ୍ଦରେ ଦର୍ପ କରିବି। ସେହି କାରଣରୁ, ମୁଁ ଖ୍ରୀଷ୍ଟଙ୍କ ସକାଶେ ଦୁର୍ବଳତାରେ, ଅପମାନରେ, କ୍ଲେଶରେ, ନିର୍ଯ୍ୟାତନାରେ, ଓ ଦୁଃଖକଷ୍ଟରେ ଆନନ୍ଦ ଲାଭ କରେ। କାରଣ ମୁଁ ଯେତେବେଳେ ଶକ୍ତିହୀନ, ସେତେବେଳେ ମୁଁ ଶକ୍ତିମନ୍ତ।

ମୁଁ ନିର୍ବୋଧ ପରି ଆଚରଣ କରିଅଛି, କିନ୍ତୁ ଏହା କରିବାକୁ ତୁମ୍ଭେମାନେ ମୋତେ ବାଧ୍ୟ କରିଛ। ତୁମଠାରୁ ମୋର ପ୍ରଶଂସା ପାଇବା ଉଚିତ ଥିଲା, କାରଣ ମୁଁ ନଗଣ୍ୟ ହେଲେ ମଧ୍ୟ “ଅତି ବଡ଼ ପ୍ରେରିତଶିଷ୍ୟ,” ମାନଙ୍କଠାରୁ କୌଣସି ପ୍ରକାରେ ନ୍ୟୂନ ନୁହେଁ। ଯେଉଁସବୁ ଚିହ୍ନ, ଆଶ୍ଚର୍ଯ୍ୟ ଲକ୍ଷଣ ଓ ଅଲୌକିକ କର୍ମ ପ୍ରକୃତ ପ୍ରେରିତଶିଷ୍ୟର ପରିଚୟ ଦିଏ, ସେହିସବୁ ତୁମ୍ଭମାନଙ୍କମଧ୍ୟରେ ବହୁ ଧୈର୍ଯ୍ୟର ସହ ସାଧନ କରାଯାଇଅଛି। ମୁଁ ତୁମ୍ଭମାନଙ୍କ ପ୍ରତି ଯେ ଭାର ସ୍ଵରୂପ ହୋଇନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଆଉ କେଉଁ ବିଷୟରେ ତୁମ୍ଭେମାନେ ଅନ୍ୟ ମଣ୍ଡଳୀଗୁଡ଼ିକଠାରୁ ନ୍ୟୂନ ବିବେଚିତ? ଏହି ଅନ୍ୟାୟ ପାଇଁ ମୋତେ କ୍ଷମା କର!

ଏବେ ତୃତୀୟ ଥର ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ପ୍ରସ୍ତୁତ, କିନ୍ତୁ ମୁଁ ତୁମ୍ଭମାନଙ୍କ ଉପରେ ଭାର ସ୍ଵରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନସମ୍ପଦ ଚାହେଁ ନାହିଁ, ମାତ୍ର ଚାହେଁ ତୁମ୍ଭମାନଙ୍କୁ। ପ୍ରକୃତରେ, ପିତାମାତାଙ୍କ ପାଇଁ ଧନ ସଞ୍ଚୟ କରିବା ସନ୍ତାନମାନଙ୍କର କର୍ତ୍ତବ୍ୟ ନୁହେଁ, କିନ୍ତୁ ସନ୍ତାନମାନଙ୍କ ପାଇଁ ଧନ ସଞ୍ଚୟ କରିବା ପିତାମାତାଙ୍କର କର୍ତ୍ତବ୍ୟ। ତେଣୁ ମୁଁ ତୁମ୍ଭମାନଙ୍କ ପାଇଁ ମୋର ସର୍ବସ୍ଵ ଏପରିକି ନିଜକୁ ସୁଦ୍ଧା ଆନନ୍ଦରେ ବ୍ୟୟ କରିବି। ମୁଁ ଯଦି ତୁମ୍ଭମାନଙ୍କୁ ଅଧିକ ପ୍ରେମ କରେ, ତେବେ ତୁମ୍ଭେମାନେ କଅଣ ମୋତେ ଊଣା ପ୍ରେମ କରିବ? ସେ ଯାହା ହେଉ, ମୁଁ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରି ନାହିଁ। ତଥାପି, ମୁଁ ଧୂର୍ତ୍ତ ଲୋକ ହୋଇଥିବାରୁ, ତୁମ୍ଭମାନଙ୍କୁ କୌଶଳରେ ଧରିଅଛି! ତୁମ୍ଭମାନଙ୍କ ନିକଟକୁ ପଠାଇଥିବା ଲୋକଙ୍କ ମଧ୍ୟରୁ କାହାରି ଦ୍ଵାରା ମୁଁ କଅଣ କିଛି ସୁବିଧା ହାସଲ କଲି? ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତୀତସଙ୍କୁ ଅନୁରୋଧ କଲି ଏବଂ ତାଙ୍କ ସହିତ ଆମର ଭାଇଙ୍କୁ ପଠାଇଲି। ତୀତସ କଅଣ ତୁମ୍ଭମାନଙ୍କଠାରୁ କିଛି, ସୁବିଧା ହାସଲ କଲେ? ଆମେ କଅଣ ସମ ମନୋଭାବ ନେଇ କାର୍ଯ୍ୟ କରି ନାହୁଁ ଓ ସମାନ ମାର୍ଗ ଅନୁସରଣ କରି ନାହୁଁ?

ତୁମ୍ଭେମାନେ କଅଣ ଭାବୁଛ ଯେ ଆମେ ଏପର୍ଯ୍ୟନ୍ତ ତୁମ ନିକଟରେ ନିଜ ପକ୍ଷସମର୍ଥନ କରି ଚାଲିଅଛୁ? ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ରହି ଆମେ କଥା କହିଅଛୁ; ପ୍ରିୟ ବନ୍ଧୁଗଣ, ଆମେ ଯାହାକିଛି କରୁ, ତାହା ତୁମ୍ଭମାନଙ୍କର ଅଭିବୃଦ୍ଧି ନିମନ୍ତେ କରୁ। କାରଣ ମୋର ଭୟ ହୁଏ ମୁଁ ଯେତେବେଳେ ଯିବି ତୁମ୍ଭେମାନେ ଯେଉଁ ପ୍ରକାର ହୁଅ ବୋଲି ମୁଁ ଚାହେଁ, ତୁମ୍ଭମାନଙ୍କୁ ସେପରି ଦେଖିବି ନାହିଁ ଏବଂ ମୁଁ ଯେଉଁ ପ୍ରକାର ହୁଏ ବୋଲି ତୁମ୍ଭେମାନେ ଚାହଁ ମୋତେ ସେପରି ଦେଖିବ ନାହିଁ। ମୋର ଭୟ ହୁଏ, ହୁଏତ ସେଠାରେ କଳହ, ଈର୍ଷାଭାବ, ପ୍ରଚଣ୍ଡ କ୍ରୋଧ, ଦଳଭେଦ, କୁତ୍ସାରଟନା, ପରଚର୍ଚ୍ଚା, ଉଦ୍ଧତପଣ ଓ ବିଶୃଖଂଳା ଥିବ। ମୋର ଭୟ ହୁଏ ମୁଁ ପୁନର୍ବାର ଯେତେବେଳେ ଯିବି ମୋର ଈଶ୍ୱର ମୋତେ ତୁମ୍ଭମାନଙ୍କ ସାକ୍ଷାତରେ ଅବନତ କରିବେ, ଏବଂ ଯେଉଁମାନେ ପୂର୍ବେ ପାପ କରିଅଛନ୍ତି ଓ ଅଶୁଚିତା, ଯୌନ ଅସଦାଚରଣ ଓ ଲମ୍ପଟତାରେ ଲିପ୍ତ ରହିଅଛନ୍ତି ପୁଣି ସେହିସବୁ ସକାଶେ ଅନୁତାପ କରିନାହାନ୍ତି ଏପରି ଅନେକଙ୍କ ପାଇଁ ମୁଁ ଶୋକାକୁଳ ହେବି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.