Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 11

ପାଉଲ ଓ ତାଙ୍କର ସମାଲୋଚକମାନେ

ତୁମ୍ଭେମାନେ ମୋର କିଛି ନିର୍ବୋଧତା ସହ୍ୟ କରିବ ବୋଲି ମୁଁ ଆଶା କରୁଛି। ପ୍ରକୃତରେ, ତୁମ୍ଭେମାନେ ତ ସହ୍ୟ କରୁଅଛ! ମୁଁ ଐଶ୍ୱରିକ ଈର୍ଷାରେ ତୁମ୍ଭମାନଙ୍କ ପାଇଁ ଈର୍ଷାନ୍ୱିତ। କାରଣ ତୁମ୍ଭମାନଙ୍କୁ ସତୀସାଧ୍ୱୀ କୁମାରୀ ସଦୃଶ ଏକମାତ୍ର ସ୍ୱାମୀ, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବାକୁ ମୁଁ ବାଗ୍‌ଦାନ କରିଛି। କିନ୍ତୁ ମୋର ଭୟ ହେଉଅଛି ସର୍ପର ଧୂର୍ତ୍ତତା ଦ୍ଵାରା ହବା ପ୍ରତାରିତ ହେଲା ପରି ତୁମ୍ଭମାନଙ୍କର ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ଅକପଟ ଓ ନିର୍ମଳ ଅନୁରାଗରୁ ହୁଏତ ଭ୍ରଷ୍ଟ ହେବ। କାରଣ ଯେଉଁ ଯୀଶୁଙ୍କୁ ଆମେ ପ୍ରଚାର କରିଅଛୁ, ତାଙ୍କ ଛଡ଼ା ଅନ୍ୟ ଯୀଶୁଙ୍କୁ କେହି ଯଦି ଆସି ପ୍ରଚାର କରେ, କିମ୍ବା ଯେଉଁ ଆତ୍ମାଙ୍କୁ ତୁମ୍ଭେମାନେ ଗ୍ରହଣ କରିଅଛ ତାଙ୍କ ଛଡ଼ା ଅନ୍ୟ ଆତ୍ମାକୁ ଯଦି ଗ୍ରହଣ କର କିମ୍ବା ତୁମ୍ଭେମାନେ ସ୍ୱୀକାର କରିଥିବା ସୁସମାଚାର ଛଡ଼ା ଅନ୍ୟ ଏକ ସୁସମାଚାର ସ୍ୱୀକାର କର, ତେବେ ତୁମ୍ଭେମାନେ ତ ନିର୍ବିବାଦରେ ସ୍ୱୀକାର କରି ନିଅ।

କିନ୍ତୁ ମୁଁ ମନେ କରେ ମୁଁ ସେହି “ଅତି ବଡ଼ ପ୍ରେରିତଶିଷ୍ୟମାନଙ୍କଠାରୁ କୌଣସି ପ୍ରକାରେ ନ୍ୟୂନ ନୁହେଁ।” ମୁଁ ସୁଦକ୍ଷ ବକ୍ତା ନ ହୋଇପାରେ, କିନ୍ତୁ ମୋର ଜ୍ଞାନ ଅଛି। ଏ ବିଷୟ ଆମେ ତୁମ୍ଭମାନଙ୍କ ନିକଟରେ ସବୁ ପ୍ରକାରେ ସ୍ପଷ୍ଟଭାବେ ପ୍ରକାଶ କରିଅଛୁ। ତୁମ୍ଭମାନଙ୍କର ଉନ୍ନତି ପାଇଁ ନିଜକୁ ନ୍ୟୂନ କରି ମୁଁ ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲି ତଦ୍ଦ୍ୱାରା କି ପାପ କଲି? ତୁମ୍ଭମାନଙ୍କ ସେବା କରିବା ପାଇଁ ମୁଁ ଅନ୍ୟ ମଣ୍ଡଳୀ ଗୁଡ଼ିକରୁ ଅର୍ଥ ସାହାଯ୍ୟ ଗ୍ରହଣ କରି ସତେ ଯେପରି ସେମାନଙ୍କୁ ଲୁଣ୍ଠନ କଲି। ମୁଁ ତୁମ୍ଭମାନଙ୍କ ସହିତ ଥିଲାବେଳେ ମୋର ଯଦି କିଛି ଅଭାବ ହେଲା, ତେବେ ମୁଁ କାହାରିକୁ ଭାରଗ୍ରସ୍ତ କଲି ନାହିଁ, କାରଣ ମାସିଦୋନିଆରୁ ଆସିଥିବା ଭାଇମାନେ ମୋର ଅଭାବମୋଚନ କରୁଥିଲେ। ମୁଁ କୌଣସି ଭାବରେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରି ନାହିଁ, କିମ୍ବା କରିବି ନାହିଁ। ଖ୍ରୀଷ୍ଟଙ୍କ ସତ୍ୟ ମୋ ଠାରେ ଅଛି ବୋଲି ଯେପରି ସତ୍ୟ, ଏହା ମଧ୍ୟ ସେହିପରି ସତ୍ୟ ଯେ ଆଖାୟାର ସାରା ଅଞ୍ଚଳରେ କେହି ମୋର ଏହି ଦର୍ପକୁ ବନ୍ଦ କରିପାରିବ ନାହିଁ। କାହିଁକି? କଅଣ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ ବୋଲି? ମୁଁ ଯେ ଭଲ ପାଏ ଈଶ୍ୱର ଜାଣନ୍ତି!

ଦର୍ପ କଲା ଭଳି କାର୍ଯ୍ୟରେ ଯେଉଁମାନେ ଆମ ସହିତ ସମାନ ବୋଲି ମନେ କରନ୍ତି ସେମାନଙ୍କର ଦାବୀକୁ ମୁଁ ଯେପରି ଖଣ୍ଡନ କରିପାରେ ଏଥିପାଇଁ ମୁଁ ଯାହା କରୁଛି ତାହା କରୁଥିବି। କାରଣ ଏହିପ୍ରକାର ଲୋକମାନେ ଭଣ୍ଡ ପ୍ରେରିତଶିଷ୍ୟ, ଶଠ କାର୍ଯ୍ୟକାରୀ, ଓ ଖ୍ରୀଷ୍ଟଙ୍କର ପ୍ରେରିତଶିଷ୍ୟର ଛଦ୍ମବେଶ ଧାରଣ କରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଶୟତାନ ତ ନିଜେ ଜ୍ୟୋତିର୍ମୟ ଦୂତର ଛଦ୍ମବେଶ ଧାରଣ କରେ। ଅତଏବ, ତାହାର ସେବକମାନେ ଧାର୍ମିକତାର ସେବକମାନଙ୍କ ଛଦ୍ମବେଶ ଧାରଣ କଲେ, ତାହା ଆଶ୍ଚର୍ଯ୍ୟର ବିଷୟ ନୁହେଁ। ସେମାନଙ୍କ ଶେଷଦଶା ସେମାନଙ୍କ କାର୍ଯ୍ୟର ଅନୁରୂପ ହେବ।

ପାଉଲଙ୍କ କଷ୍ଟ ସ୍ୱୀକାର

ମୁଁ ପୁନର୍ବାର କହୁଅଛି: କେହି ମୋତେ ନିର୍ବୋଧ ବୋଲି ମନେ ନ କରୁ। କିନ୍ତୁ ଯଦି ତୁମ୍ଭେମାନେ ମନେକର, ତେବେ ମୁଁ ଯେପରି କିଛି ଦର୍ପ କରିପାରେ, ସେଥିପାଇଁ ଜଣେ ନିର୍ବୋଧକୁ ଗ୍ରହଣ କଲା ପରି ମୋତେ ଗ୍ରହଣ କର। ମୁଁ ବଡ଼ ସାହସରେ ଏହି ଯେଉଁ ଦର୍ପର କଥା କହୁଅଛି ତାହା ପ୍ରଭୁ ଯେପରି କହିଥାଆନ୍ତେ ସେପରି ନୁହେଁ, ମାତ୍ର ନିର୍ବୋଧ ପରି କହୁଅଛି। ଜାଗତିକ ବିଷୟ ନେଇ ଅନେକେ ଯେପରି ଦର୍ପ କରିଥାଆନ୍ତି, ମୁଁ ମଧ୍ୟ ସେହିପରି କରିବି। ତୁମ୍ଭେମାନେ ଖୁବ୍ ଜ୍ଞାନୀ ହୋଇଥିବାରୁ ଆନନ୍ଦରେ ନିର୍ବୋଧମାନଙ୍କୁ ସହ୍ୟ କର! ପ୍ରକୃତରେ, ଯେକେହି ତୁମକୁ ଦାସତ୍ଵ ବନ୍ଧନରେ ରଖେ କିମ୍ବା ତୁମକୁ ଶୋଷଣ କରେ କିମ୍ବା ତୁମଠାରୁ ସୁବିଧା ହାସଲ କରେ କିମ୍ବା ଉଦ୍ଧତ ବ୍ୟବହାର କରେ କିମ୍ବା ମୁହଁରେ ଚାପୁଡ଼ା ମାରେ ତୁମେ ତାକୁ ସହ୍ୟ କରିଥାଅ। ମୁଁ ଲଜ୍ଜାରେ ସ୍ୱୀକାର କରୁଛି ଯେ ସେହିସବୁ କରିବାକୁ ଆମେ ବଡ଼ ଦୁର୍ବଳ!

ଅନ୍ୟ କେହି କୌଣସି ବିଷୟରେ ଦର୍ପ କରିବାକୁ ସାହସ କଲେ ଏହା ମୁଁ ନିର୍ବୋଧ ପରି କହୁଛି ମୁଁ ମଧ୍ୟ ସେପରି ଦର୍ପ କରିବାକୁ ସାହସ କରିପାରେ। ସେମାନେ କଅଣ ହିବ୍ରୁ? ମୁଁ ମଧ୍ୟ ଜଣେ ହିବ୍ରୁ। ସେମାନେ କଅଣ ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ। ସେମାନେ କଅଣ ଅବ୍ରହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଧର। ସେମାନେ କଅଣ ଖ୍ରୀଷ୍ଟଙ୍କର ସେବକ? (ମୁଁ ପାଗଳ ପରି କଥା କହୁଛି।) ମୁଁ ସେମାନଙ୍କ ଅପେକ୍ଷା ଶ୍ରେଷ୍ଠ ସେବକ। ମୁଁ ଆହୁରି କଠିନ ପରିଶ୍ରମ କରିଅଛି, ଅଧିକ ଥର କାରାବାସ ଭୋଗ କରିଛି, ଅଧିକ ଦାରୁଣଭାବେ ବେତ୍ରାଘାତ ସହିଅଛି, ବାରମ୍ୱାର ମୃତ୍ୟୁର ସମ୍ମୁଖୀନ ହୋଇଅଛି। ମୁଁ ପାଞ୍ଚ ଥର ଯିହୁଦୀମାନଙ୍କଠାରୁ ଊଣଚାଳିଶ କଶାଘାତ ପାଇଅଛି। ମୁଁ ତିନିଥର ଲାଠିରେ ପ୍ରହାରିତ ହୋଇଅଛି, ଥରେ ପ୍ରସ୍ତରାଘାତ ସହିଅଛି, ଓ ତିନିଥର ଜାହାଜ ବୁଡ଼ିରେ ପଡ଼ିଅଛି, ସମୁଦ୍ର ଜଳରେ ଭାସି ଭାସି ଗୋଟିଏ ରାତି ଓ ଗୋଟିଏ ଦିନ କଟାଇଛି। ମୋତେ ବାରମ୍ୱାର ଯାତ୍ରା କରିବାକୁ ପଡ଼ିଅଛି। ମୁଁ ନଦୀଗୁଡ଼ିକରେ ଥିବା ବିପଦ, ଦସ୍ୟୁମାନଙ୍କଠାରୁ ବିପଦ, ସ୍ଵଦେଶବାସୀଙ୍କଠାରୁ ବିପଦ, ଅଣଯିହୁଦୀମାନଙ୍କଠାରୁ ବିପଦ; ନଗରରେ ଥିବା ବିପଦ, ମରୁପ୍ରାନ୍ତରରେ ଥିବା ବିପଦ, ସମୁଦ୍ରରେ ଥିବା ବିପଦ; ଏବଂ ଭଣ୍ଡ ଭାଇମାନଙ୍କଠାରୁ ବିପଦର ସମ୍ମୁଖୀନ ହୋଇଅଛି। ମୁଁ କଠିନ ପରିଶ୍ରମ ଓ କଷ୍ଟ ସ୍ୱୀକାର କରିଅଛି; ପୁଣି ଅନେକଥର ଅନିଦ୍ରାରେ ରହିଅଛି, ମୁଁ କ୍ଷୁଧା ଓ ତୃଷା ସହ୍ୟ କରିଅଛି; ଏବଂ ବହୁବାର ଅନାହାରରେ ରହିଅଛି ମୁଁ ଶୀତକଷ୍ଟ ଓ ବସ୍ତ୍ରର ଅଭାବ ସହ୍ୟ କରିଅଛି। ଏସମସ୍ତ ବ୍ୟତୀତ, ମଣ୍ଡଳୀସମୂହର ଚିନ୍ତାଭାର ପ୍ରତିଦିନ ମୋ ଉପରେ ମାଡ଼ି ପଡ଼ୁଅଛି। କେହି ଯଦି ଦୁର୍ବଳ, ମୁଁ କଅଣ ସେହି ଦୁର୍ବଳତା ଅନୁଭବ କରୁ ନାହିଁ? କେହି ପାପ ପଥରେ ଗଲେ, ମୋର କଅଣ ଅନ୍ତର୍ଦାହ ହୁଏ ନାହିଁ?

ଯଦି ମୋତେ ଦର୍ପ କରିବାକୁ ହୁଏ, ତେବେ ମୋର ଦୁର୍ବଳତା ପ୍ରକାଶ କରୁଥିବା ବିଷୟଗୁଡ଼ିକରେ ମୁଁ ଦର୍ପ କରିବି। ପ୍ରଭୁ ଯୀଶୁଙ୍କର ପିତା ଓ ଈଶ୍ୱର, ଯେ କି ଚିର ପ୍ରଶଂସାଭାଜନ, ସେ ଜାଣନ୍ତି ଯେ ମୁଁ ମିଥ୍ୟା କହୁ ନାହିଁ। ଦାମାସ୍କସ୍‌ରେ ରାଜା ଅରିତସ୍‌ଙ୍କ ଅଧୀନସ୍ଥ ରାଜ୍ୟପାଳ ମୋତେ ଧରିବା ପାଇଁ ଉକ୍ତ ନଗର ଚାରିଆଡ଼େ ପ୍ରହରୀ ଜଗାଇଲେ। କିନ୍ତୁ ମୋତେ ପ୍ରାଚୀରର ଏକ ଝରକା ବାଟେ ଟୋକେଇରେ ତଳକୁ ଓହ୍ଲାଇ ଦିଆଗଲା ଓ ମୁଁ ତାଙ୍କ ହାତରୁ ଖସି ଚାଲିଗଲି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.