Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ତୀମଥି 3

ମଣ୍ଡଳୀର କର୍ମକର୍ତ୍ତାମାନଙ୍କ ସମ୍ବନ୍ଧରେ

ଏହା ଏକ ବିଶ୍ୱାସଯୋଗ୍ୟ ଉକ୍ତି ଯେ ଯଦି କେହି ଅଧ୍ୟକ୍ଷ ହେବାକୁ ଆଗ୍ରହ ସହ ଇଚ୍ଛା କରେ ସେ ଏକ ମହତ୍ କାର୍ଯ୍ୟ କରିବାକୁ ଇଚ୍ଛା କରେ। କିନ୍ତୁ ଅଧ୍ୟକ୍ଷ ଦୋଷଶୂନ୍ୟ, ଏକପତ୍ନୀକ, ମିତାଚାରୀ, ଆତ୍ମସଂଯମୀ, ସମ୍ମାନାସ୍ପଦ, ଅତିଥିପରାୟଣ, ଶିକ୍ଷାଦାନରେ ସୁଦକ୍ଷ ହେବା ଆବଶ୍ୟକ। ସେ ମଦ୍ୟପ ହୋଇ ନ ଥିବେ, ସେ ଉଗ୍ରପ୍ରକୃତିକ ନ ହୋଇ, ଶାନ୍ତପ୍ରକୃତିକ ହୋଇଥିବେ, ସେ କଳହପ୍ରିୟ କିମ୍ବା ଧନଲୋଭୀ ହୋଇ ନ ଥିବେ। ସେ ନିଜ ପରିବାରକୁ ସୁଚାରୁରୂପେ ନିୟନ୍ତ୍ରଣ କରି ପାରୁଥିବେ ଏବଂ ତାଙ୍କର ସନ୍ତାନମାନେ ଯେପରି ଯଥୋଚିତ ଭକ୍ତି ସହକାରେ ତାଙ୍କର ବାଧ୍ୟ ହେବେ, ସେଥିପ୍ରତି ଦୃଷ୍ଟି ଦେବେ। କେହି ଯଦି ନିଜ ପରିବାରକୁ ନିୟନ୍ତ୍ରଣ କରି ଜାଣେ ନାହିଁ, ତେବେ ସେ ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେବ କିପରି? ଅଧ୍ୟକ୍ଷ ଜଣେ ନୂତନ ବିଶ୍ୱାସୀ ହୋଇ ନ ଥିବେ, ନଚେତ୍ ସେ ହୁଏତ ଗର୍ବୀ ହୋଇ ଶୟତାନ ସହ ସମାନ ଦଣ୍ଡଭୋଗ କରିବେ। ବାହାର ଲୋକଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ଥିବା ଆବଶ୍ୟକ, ତା ହେଲେ ସେ ଅପବାଦଗ୍ରସ୍ତ ହେବେ ନାହିଁ ଓ ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।

ସେହିପ୍ରକାରେ, ସେବକମାନେ ମଧ୍ୟ ସମ୍ମାନାସ୍ପଦ ଓ ନିଷ୍କପଟ ବ୍ୟକ୍ତି ହେବା ଆବଶ୍ୟକ, ସେମାନେ ମଦ୍ୟପାନରେ ଆସକ୍ତ ଓ ଅଧର୍ମ ଧନ ପାଇଁ ଲାଳାୟିତ ହେବା ଉଚିତ ନୁହେଁ। ସେମାନେ ନିର୍ମଳ ବିବେକରେ ବିଶ୍ୱାସର ନିଗୂଢ଼ ସତ୍ୟଗୁଡ଼ିକୁ ଦୃଢ଼ ରୂପେ ଧରି ରଖିବା ଉଚିତ। ସେମାନଙ୍କୁ ପ୍ରଥମେ ପରୀକ୍ଷା କରାଯାଉ; ଏବଂ ସେମାନଙ୍କ ବିରୁଦ୍ଧରେ ଯଦି କିଛି ନ ଥାଏ, ତେବେ ସେମାନେ ଦୀକନ ପଦରେ ନିଯୁକ୍ତ ହୁଅନ୍ତୁ।

ସେହିପ୍ରକାରେ, ସେମାନଙ୍କର ପତ୍ନୀମାନେ ମଧ୍ୟ ସମ୍ମାନାସ୍ପଦ ହୋଇଥିବେ, ସେମାନେ ପରଚର୍ଚ୍ଚାକାରୀ ନ ହୋଇ ମିତାଚାରୀ ଓ ସବୁ ବିଷୟରେ ବିଶ୍ୱସ୍ତ ହୋଇଥିବେ।

ସେବକମାନେ ଏକପତ୍ନୀକ ହେବା ଏବଂ ନିଜ ସନ୍ତାନମାନଙ୍କୁ ତଥା ନିଜ ପରିବାରକୁ ସୁଚାରୁରୂପେ ନିୟନ୍ତ୍ରଣ କରି ପାରୁଥିବା ଆବଶ୍ୟକ। ଯେଉଁମାନେ ଉତ୍ତମଭାବେ ସେବକକାର୍ଯ୍ୟ କରନ୍ତି, ସେମାନେ ନିଜ ପାଇଁ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ନିଜ ବିଶ୍ୱାସ ସମ୍ବନ୍ଧରେ ପ୍ରଗାଢ଼ ଭରସା ଲାଭ କରନ୍ତି।

ଯଦିବା ତୁମ ନିକଟକୁ ମୁଁ ଶୀଘ୍ର ଯିବି ବୋଲି ଆଶା କରୁଅଛି, ତଥାପି ଏହି ନିର୍ଦ୍ଦେଶଗୁଡ଼ିକ ଲେଖୁଛି, କାରଣ ମୋର ଯଦି ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ପରିବାରରେ ଲୋକେ କି ପ୍ରକାର ଆଚରଣ କରିବା ଉଚିତ, ତାହା ତୁମେ ଜାଣିବ ଏହା ତ ନିତ୍ୟଜୀବୀ ଈଶ୍ୱରଙ୍କ ମଣ୍ଡଳୀ, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଧର୍ମପରାୟଣତାର ନିଗୂଢ଼ତତ୍ତ୍ୱ ମହତ୍ ତାହା ଏହି:

ସେ ଦେହ ଧାରଣ କରି ଆବିର୍ଭୂତ ହେଲେ,

ଆତ୍ମାଙ୍କ ଦ୍ଵାରା ଧାର୍ମିକ ବୋଲି ପ୍ରମାଣିତ ହେଲେ,

ସ୍ଵର୍ଗଦୂତମାନଙ୍କ ଦ୍ଵାରା ପରିଦୃଷ୍ଟ ହେଲେ,

ଜାତିବର୍ଗ ମଧ୍ୟରେ ପ୍ରଚାରିତ ହେଲେ,

ଜଗତରେ ବିଶ୍ୱାସଭାଜନ ହେଲେ,

ଗୌରବରେ ଊର୍ଦ୍ଧ୍ୱକୁ ଗୃହୀତ ହେଲେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.