Biblica® Open Odia Contemporary Bible
ପ୍ରଥମ ତୀମଥି 2
ଉପାସନା ସମ୍ବନ୍ଧରେ ନିର୍ଦ୍ଦେଶାବଳୀ
ଆମେ ଯେପରି ସଂପୂର୍ଣ୍ଣ ଈଶ୍ୱରପରାୟଣ ଓ ପବିତ୍ର ରହି ଶାନ୍ତି ଓ ନିର୍ବିଘ୍ନରେ, ଜୀବନଯାପନ କରିପାରିବୁ, ଏଥିପାଇଁ ସମସ୍ତଙ୍କ ପାଇଁ, ବିଶେଷରେ ରାଜା ଓ ଶାସକମାନଙ୍କ ପାଇଁ ବିନତି, ନିବେଦନ ଓ ଧନ୍ୟବାଦ ପ୍ରଥମରେ ଉତ୍ସର୍ଗ କରାଯାଉ ବୋଲି ମୁଁ ଅନୁରୋଧ କରୁଅଛି। ଏହା ଉତ୍ତମ ଓ ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କର ତୁଷ୍ଟିଜନକ, ସେ ଚାହାନ୍ତି, ସବୁ ମନୁଷ୍ୟ ପରିତ୍ରାଣ ପାଆନ୍ତୁ ଓ ସତ୍ୟ ସମ୍ଭନ୍ଧୀୟ ଜ୍ଞାନଲାଭ କରନ୍ତୁ। କାରଣ ଜଣେମାତ୍ର ଈଶ୍ୱର ଏବଂ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଜଣେମାତ୍ର ମଧ୍ୟସ୍ଥ ସେ ହେଉଛନ୍ତି ଜଣେ ମନୁଷ୍ୟ ଖ୍ରୀଷ୍ଟ ଯୀଶୁ, ଖ୍ରୀଷ୍ଟ ଯୀଶୁ ସବୁ ମନୁଷ୍ୟଙ୍କ ମୁକ୍ତିରମୂଲ୍ୟ ସ୍ଵରୂପେ ନିଜକୁ ଉତ୍ସର୍ଗ କରି ଯଥା ସମୟରେ ଏହାର ପ୍ରମାଣ ଦେଇଅଛନ୍ତି। ଏହି ଉଦ୍ଦେଶ୍ୟରେ ମୁଁ ଜଣେ ପ୍ରଚାରକ ଓ ପ୍ରେରିତ ରୂପେ ନିଯୁକ୍ତ ହେଲି, ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ ଏବଂ ଅଣଯିହୁଦୀମାନଙ୍କ ନିକଟରେ ସତ୍ୟ ବିଶ୍ୱାସମତର ଶିକ୍ଷାଦାତା ହୋଇଅଛି।
ମୋର ଇଚ୍ଛା, ପୁରୁଷମାନେ ସର୍ବତ୍ର ପବିତ୍ର ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିରୋଧଭାବ ନ ରଖି ପ୍ରାର୍ଥନା କରନ୍ତୁ। ମୋର ଆହୁରି ମଧ୍ୟ ଇଚ୍ଛା, ନାରୀମାନେ କେଶବିନ୍ୟାସ ଦ୍ଵାରା କିମ୍ବା ସ୍ଵର୍ଣ୍ଣ ବା ମଣିମୁକ୍ତା ବା ନାନାଦି ମୂଲ୍ୟବାନ ପୋଷାକ ଦ୍ଵାରା ଭୂଷିତା ନ ହୋଇ, ସୁରୁଚିସମ୍ପନ୍ନ ଓ ଯଥୋଚିତ ରୂପେ ବିନୀତ ଭାବରେ ଈଶ୍ୱରପରାୟଣା ନାରୀମାନଙ୍କ ଉପଯୋଗୀ ସତ୍କର୍ମରୂପ ଭୂଷଣରେ ଭୂଷିତା ହୁଅନ୍ତୁ।
ସ୍ତ୍ରୀ ସଂପୂର୍ଣ୍ଣ ବଶୀଭୂତା ହୋଇ ନୀରବରେ ଶିକ୍ଷା ଗ୍ରହଣ କରିବା ଉଚିତ। ସ୍ତ୍ରୀ ଶିକ୍ଷା ଦେଉ କିମ୍ବା ପୁରୁଷ ଉପରେ ଆଧିପତ୍ୟ କରୁ ବୋଲି ମୁଁ ଅନୁମତି ଦେଉ ନାହିଁ; ସେ ନୀରବ ରହୁ। କାରଣ ପ୍ରଥମେ ଆଦମ ସୃଷ୍ଟ ହୋଇଥିଲେ, ତା ପରେ ହବା ହେଲେ। ପୁଣି ଆଦମ ପ୍ରତାରିତ ହୋଇ ନ ଥିଲେ; ନାରୀ ହିଁ ପ୍ରତାରିତ ହୋଇ ପାପରେ ପାପୀ ହେଲେ। କିନ୍ତୁ ସେମାନେ ଯଦି ଶିଷ୍ଟାଚରଣ ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହନ୍ତି, ତେବେ ସନ୍ତାନ ଜନ୍ମ ହେବା ବେଳେ ସୁରକ୍ଷିତ ହେବେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.