Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ତୀମଥି 1

ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କର ଏବଂ ଆମର ଭରସା ଖ୍ରୀଷ୍ଟ ଯୀଶୁଙ୍କର ଆଦେଶରେ ନିଯୁକ୍ତ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତଶିଷ୍ୟ ପାଉଲ ନିକଟରୁ,

ବିଶ୍ୱାସରେ ମୋର ସତ୍ୟ ପୁତ୍ର ତୀମଥିଙ୍କୁ ଅଭିବାଦନ:

ପିତା ଈଶ୍ୱର ଓ ଆମର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ ପ୍ରତି ଅନୁଗ୍ରହ, ଦୟା ଏବଂ ଶାନ୍ତି ବିରାଜୁ।

ତୀମଥିଙ୍କୁ ଭଣ୍ଡ ଶିକ୍ଷକମାନଙ୍କଠାରୁ ସାବଧାନ ରହିବାକୁ ପଡିବ

ମୁଁ ମାସିଦୋନିଆକୁ ଗଲାବେଳେ, ଏଫିସସ୍‌ରେ ରହିବାକୁ ତୁମକୁ ଅନୁରୋଧ କରିଥିଲି ଯେପରିକି ତୁମେ ସେଠାରେ କେତେକ ଲୋକଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବାକୁ କିମ୍ବା କାଳ୍ପନିକ କାହାଣୀ ଓ ଅଶେଷ ବଂଶାବଳୀରେ ମନୋନିବେଶ ନ କରିବାକୁ ଆଦେଶ ଦେବ। ଏହିସବୁ ବିଶ୍ୱାସ ଦ୍ଵାରା ସାଧିତ ଈଶ୍ୱରଙ୍କ କାର୍ଯ୍ୟର ଉନ୍ନତି ନ କରି ବାଦାନୁବାଦ ସୃଷ୍ଟି କରେ। ଶୁଚି ହୃଦୟ, ନିର୍ମଳ ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ପ୍ରେମ ହିଁ ଏହି ଆଦେଶର ଲକ୍ଷ୍ୟ। କିନ୍ତୁ କେତେକ ଲୋକ ଏହିସମସ୍ତରୁ ବିମୁଖ ହୋଇ ଅସାର କଥାରେ ମନ ଦେଇଅଛନ୍ତି। ସେମାନେ ବିଧିବ୍ୟବସ୍ଥାର ଶିକ୍ଷାଦାତା ହେବାକୁ ଇଚ୍ଛା କରନ୍ତି, ମାତ୍ର କଅଣ କହନ୍ତି ବା କେଉଁ ବିଷୟରେ ଦୃଢ଼ ମତ ପ୍ରକାଶ କରନ୍ତି ତାହା ନିଜେ ଜାଣନ୍ତି ନାହିଁ।

କେହି ଯଦି ଉପଯୁକ୍ତଭାବେ ବିଧିବ୍ୟବସ୍ଥାକୁ ବ୍ୟବହାର କରେ ତେବେ ତାହା ଉତ୍ତମ ବୋଲି ଆମେ ଜାଣୁ। ଆମେ ଆହୁରି ମଧ୍ୟ ଜାଣୁ ଯେ ବିଧିବ୍ୟବସ୍ଥା ସଦାଚାରୀ ଲୋକଙ୍କ ପାଇଁ ପ୍ରଣୀତ ହୋଇନାହିଁ, ମାତ୍ର ଯେଉଁମାନେ ଆଜ୍ଞାଲଙ୍ଘନକାରୀ ଓ ବିଦ୍ରୋହାଚାରୀ, ଅଧାର୍ମିକ ଓ ପାପିଷ୍ଠ, ଅପବିତ୍ର ଓ ଧର୍ମଦ୍ରୋହୀ ଯେଉଁମାନେ ପିତୃହନ୍ତା ବା ମାତୃହନ୍ତା, ନରହନ୍ତା, ଯେଉଁମାନେ ବ୍ୟଭିଚାରୀ ଓ ଯୌନ ବିକାରଗ୍ରସ୍ତ, ମନୁଷ୍ୟ ହରଣକାରୀ, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀ ଏହିପରି ଯାହାକିଛି ଅଭ୍ରାନ୍ତ ଧର୍ମତତ୍ତ୍ୱର ବିପରୀତ ସେହିପ୍ରକାର କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଣୀତ ହୋଇଅଛି ଏହି ଅଭ୍ରାନ୍ତ ଧର୍ମତତ୍ତ୍ୱ ପରମ ଧନ୍ୟ ଈଶ୍ୱରଙ୍କ ଗୌରବୋଜ୍ଜ୍ୱଳ ସୁସମାଚାରରେ ନିହିତ ଅଛି, ଏବଂ ଏହା ହିଁ ମୋ ନିକଟରେ ସମର୍ପିତ ହୋଇଅଛି।

ପାଉଲଙ୍କ ପ୍ରତି ପ୍ରଭୁଙ୍କର ଅନୁଗ୍ରହ

ଯେ ମୋତେ ବିଶ୍ୱସ୍ତ ମନେ କଲେ ଓ ତାହାଙ୍କ ସେବକ ପଦରେ ନିଯୁକ୍ତ କରି ଶକ୍ତି ପ୍ରଦାନ କଲେ, ଆମର ସେହି ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କର ମୁଁ ଧନ୍ୟବାଦ କରେ। ଯଦିବା ମୁଁ ଏକଦା ଧର୍ମନିନ୍ଦୁକ, ତାଡ଼ନାକାରୀ ଏବଂ ଅତ୍ୟାଚାରୀ ଥିଲି ତଥାପି ମୋ ପ୍ରତି ଦୟା ପ୍ରଦର୍ଶିତ ହେଲା, କାରଣ ମୁଁ ଅଜ୍ଞାନତାବଶତଃ ଅବିଶ୍ୱାସ ହେତୁ ସେପରି କରିଥିଲି। ଖ୍ରୀଷ୍ଟ ଯୀଶୁଙ୍କର ସହଭାଗିତାରେ ଯେଉଁ ବିଶ୍ୱାସ ଓ ପ୍ରେମ ରହିଅଛି, ସେଥିସଙ୍ଗେ ଆମ ପ୍ରଭୁଙ୍କର ଅନୁଗ୍ରହ ମୋ ପାଇଁ ଉଛୁଳି ଉଠିଲା।

ଏହା ଏକ ସଂପୂର୍ଣ୍ଣ ଗ୍ରହଣୀୟ ବିଶ୍ୱାସଯୋଗ୍ୟ ବାକ୍ୟ ଯେ ଖ୍ରୀଷ୍ଟ ଯୀଶୁ ପାପୀମାନଙ୍କର ପରିତ୍ରାଣ ନିମନ୍ତେ ଜଗତକୁ ଆସିଲେ ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। କିନ୍ତୁ ସେହି କାରଣରୁ ହିଁ ମୋ ପ୍ରତି ଦୟା ପ୍ରଦର୍ଶିତ ହେଲା, ଯେପରିକି ହୀନତମ ପାପୀ ଯେ ମୁଁ, ମୋ ଠାରେ ଖ୍ରୀଷ୍ଟ ଯୀଶୁଙ୍କର ଅସୀମ ଧୈର୍ଯ୍ୟ ପ୍ରକାଶିତ ହେବ ଏହିରୂପେ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରି ଅନନ୍ତଜୀବନ ଲାଭ କରିବେ ସେମାନଙ୍କ ପ୍ରତି ଏହା ଦୃଷ୍ଟାନ୍ତସ୍ଵରୂପ ହେବ। ସେ ଅମର, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ କି ଅନାଦିଅନନ୍ତ ରାଜା ତାହାଙ୍କର ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍।

ହେ ମୋର ପୁତ୍ର, ତୀମଥି, ତୁମ ସମ୍ବନ୍ଧରେ ଏକଦା ଯେଉଁସବୁ ଭବିଷ୍ୟଦ୍‌ବାକ୍ୟ ଉଚ୍ଚାରିତ ହୋଇଥିଲା, ତଦନୁଯାୟୀ ମୁଁ ତୁମକୁ ଏହି ନିର୍ଦ୍ଦେଶ ଦେଉଅଛି ଏହା ଦ୍ଵାରା ତୁମେ ବିଶ୍ୱାସ ରକ୍ଷା କରିବ ଓ ନିର୍ମଳ ବିବେକରେ ପ୍ରଭୁଙ୍କ ସକାଶେ ଉତ୍ତମ ସଂଗ୍ରାମରେ ଯୁଦ୍ଧ କରିପାରିବ, ବିଶ୍ୱାସ ଓ ଶୁଚି ବିବେକ ଧରି ରଖ, କେହି କେହି ଏହା ଅଗ୍ରାହ୍ୟ କରି ନିଜର ବିଶ୍ୱାସରୂପ ଜାହାଜକୁ ବୁଡ଼ାଇ ଦେଇଅଛନ୍ତି। ଏମାନଙ୍କ ମଧ୍ୟରେ ହିମେନିୟସ୍ ଓ ଆଲେକ୍‌ଜାଣ୍ଡର ଅଛନ୍ତି, ଏମାନେ ଈଶ୍ୱରନିନ୍ଦା ନ କରିବାକୁ ଯେପରି ଶିଖିବେ ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କରିଅଛି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.