Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ ଥେସଲନୀକୀୟ 3

ପ୍ରାର୍ଥନା ପାଇଁ ଅନୁରୋଧ

ହେ ଭାଇମାନେ, ପରିଶେଷରେ, ପ୍ରଭୁଙ୍କର ବାର୍ତ୍ତା ତୁମ୍ଭମାନଙ୍କମଧ୍ୟରେ ଯେପରି ଦ୍ରୂତଭାବେ ପ୍ରସାରିତ ଓ ସମାଦୃତ ହୋଇଥିଲା ସେହିପରି ସର୍ବତ୍ର ହେଉ ବୋଲି ଆମ ପାଇଁ ପ୍ରାର୍ଥନା କର। ଆହୁରି ମଧ୍ୟ ଆମେ ଯେପରି ଅଧାର୍ମିକ ଓ ଦୂରାଚାରୀ ଲୋକଙ୍କ କବଳରୁ ରକ୍ଷା ପାଉ ଏଥିପାଇଁ ପ୍ରାର୍ଥନା କର, କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ। କିନ୍ତୁ ପ୍ରଭୁ ବିଶ୍ୱାସଭାଜନ, ଏବଂ ସେ ତୁମ୍ଭମାନଙ୍କୁ ଶକ୍ତିଯୁକ୍ତ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ। ଆମେ ତୁମ୍ଭମାନଙ୍କୁ ଯେଉଁସବୁ ଆଦେଶ ଦେଉଅଛୁ ତାହା ତୁମ୍ଭେମାନେ ପାଳନ କରୁଅଛ ଓ କରୁଥିବ ବୋଲି ପ୍ରଭୁଙ୍କ ଉପରେ ଆମର ଭରସା ରହିଅଛି। ପ୍ରଭୁ କରନ୍ତୁ ତୁମ୍ଭମାନଙ୍କ ହୃଦୟ ଈଶ୍ୱରଙ୍କ ପ୍ରେମରେ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତାରେ ଚାଳିତ ହେଉ।

ଆଳସ୍ୟ ବିଷୟରେ ଚେତନାବାଣୀ

ହେ ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ତୁମ୍ଭମାନଙ୍କୁ ଆଦେଶ ଦେଉଅଛୁ, ଯେଉଁମାନେ ଆଳସ୍ୟପରାୟଣ ଓ ଆମର ପ୍ରଦତ୍ତ ଶିକ୍ଷାନୁଯାୟୀ ଜୀବନ କାଟୁ ନାହାନ୍ତି, ଏପରି ପ୍ରତ୍ୟେକ ଭାଇଠାରୁ ଦୂରେଇ ରୁହ। ଆମର ଆଦର୍ଶ କିପରି ଅନୁସରଣ କରିବା ଉଚିତ ତାହା ତୁମ୍ଭେମାନେ ନିଜେ ଜାଣିଛ। କାରଣ ତୁମ୍ଭମାନଙ୍କମଧ୍ୟରେ ଥିଲାବେଳେ ଆମେ ଆଳସ୍ୟପରାୟଣ ହୋଇ ନ ଥିଲୁ, କିଅବା ବିନାମୂଲ୍ୟରେ ଆମେ କାହାରି ଅନ୍ନ ଭୋଜନ କରି ନାହୁଁ। ତା ପରିବର୍ତ୍ତେ, ଆମେ କାହାରିକୁ ଭାରଗ୍ରସ୍ତ ନ କରିବା ପାଇଁ, କଷ୍ଟ ସ୍ୱୀକାରପୂର୍ବକ ପରିଶ୍ରମ କରି ଦିବାରାତ୍ରି କାର୍ଯ୍ୟ କଲୁ। ଏପ୍ରକାର ସାହାଯ୍ୟ ପାଇବାକୁ ଆମର ଅଧିକାର ନାହିଁ ବୋଲି ଯେ ଏହା କଲୁ, ତା ନୁହେଁ, ମାତ୍ର ତୁମ୍ଭମାନଙ୍କର ଅନୁକରଣଯୋଗ୍ୟ ଏକ ଆଦର୍ଶ ଦେବା ପାଇଁ ଏହା କଲୁ। ଏପରିକି, ଆମେ ତୁମ୍ଭମାନଙ୍କ ସହିତ ଥିଲାବେଳେ ସୁଦ୍ଧା ଏହି ନୀତିବାକ୍ୟ ଦେଇଥିଲୁ “ଯେଉଁ ଲୋକ କାର୍ଯ୍ୟ କରିବ ନାହିଁ, ସେ ଭୋଜନ କରିବ ନାହିଁ।”

ଆମେ ଶୁଣୁଅଛୁ ଯେ, ତୁମ୍ଭମାନଙ୍କମଧ୍ୟରୁ କେତେକ ଜଣ ଆଳସ୍ୟପରାୟଣ। ସେମାନେ କୌଣସି କାର୍ଯ୍ୟରେ ବ୍ୟସ୍ତ ନ ରହି ଅନଧିକାର ଚର୍ଚ୍ଚାରେ ବ୍ୟସ୍ତ ରହୁଅଛନ୍ତି। ଏପ୍ରକାର ଲୋକଙ୍କୁ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଦେଶ ଦେଇ ଦୃଢ଼ ଅନୁରୋଧ କରୁଅଛୁ ସେମାନେ ସ୍ଥିର ଭାବରେ କାମଧନ୍ଦା କରି ନିଜର ଜୀବିକାନିର୍ବାହ କରନ୍ତୁ। କିନ୍ତୁ ହେ ଭାଇମାନେ, ତୁମ୍ଭେମାନେ ସତ୍କର୍ମ କରିବାରେ କେବେ କ୍ଳାନ୍ତ ନ ହୁଅ।

ଏହି ପତ୍ରରେ ଦିଆଯାଇଥିବା ଆମର ନିର୍ଦ୍ଧେଶକୁ କେହି ଯଦି ନ ମାନେ ତେବେ ସେହି ଲୋକକୁ ଚିହ୍ନ ରଖ। ସେ ଯେପରି ଲଜ୍ଜାବୋଧ କରିବ, ଏଥିପାଇଁ ତା ସହିତ ମିଳାମିଶା କର ନାହିଁ। ତଥାପି ତାକୁ ଶତ୍ରୁ ବୋଲି ମନେ ନ କରି, ଭାଇ ଭାବରେ ସତର୍କ କରିଦିଅ।

ଶେଷ ଅଭିବାଦନ

ଶାନ୍ତିଦାତା ପ୍ରଭୁ ନିଜେ ସର୍ବ ସମୟରେ ସର୍ବପ୍ରକାରେ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ ସମସ୍ତଙ୍କ ସହିତ ରହନ୍ତୁ।

ମୁଁ, ପାଉଲ, ଏହି ଅଭିବାଦନ ସ୍ଵହସ୍ତରେ ଲେଖୁଅଛି, ମୋର ସବୁ ପତ୍ରରେ ଏହା ହିଁ ବିଶେଷ ଚିହ୍ନ। ଏହିପରି ମୁଁ ଲେଖିଥାଏ।

ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ସହିତ ଥାଉ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.