Biblica® Open Odia Contemporary Bible
ପ୍ରଥମ ତୀମଥି 4
ତୀମଥିଙ୍କୁ ନିର୍ଦ୍ଦେଶାବଳୀ
ଆତ୍ମା ଏହା ସ୍ପଷ୍ଟ ଭାବରେ କହୁଅଛନ୍ତି ଯେ ଶେଷକାଳରେ କେହି କେହି ବିଶ୍ୱାସ ତ୍ୟାଗ କରି ଭ୍ରାନ୍ତିଜନକ ଆତ୍ମାମାନଙ୍କ ଓ ପାପାତ୍ମମାନଙ୍କ ଶିକ୍ଷାର ଅନୁଗାମୀ ହେବେ। ଏପ୍ରକାର ଶିକ୍ଷା ଭଣ୍ଡ ମିଥ୍ୟା ବାଦୀମାନଙ୍କଠାରୁ ଆସିଥାଏ, ତପ୍ତ ଲୁହାରେ ପୋଡ଼ିଗଲା ପରି ଏମାନଙ୍କ ବିବେକ ପୋଡ଼ି ଯାଇଅଛି। ଏମାନେ ଲୋକଙ୍କୁ ବିବାହ କରିବାକୁ ନିଷେଧ କରନ୍ତି ଏବଂ କୌଣସି କୌଣସି ଖାଦ୍ୟପଦାର୍ଥ ଭୋଜନରୁ ବିରତ ହେବାକୁ ଆଦେଶ ଦିଅନ୍ତି, ଅଥଚ ବିଶ୍ୱାସ କରୁଥିବା ଓ ସତ୍ୟ ଜାଣିଥିବା ଲୋକେ ଧନ୍ୟବାଦ ସହ ଗ୍ରହଣ କରିବାକୁ ଈଶ୍ୱର ତ ଏହିସବୁ ସୃଷ୍ଟି କରିଛନ୍ତି। କାରଣ ଈଶ୍ୱର ଯାହା ସୃଷ୍ଟି କରିଅଛନ୍ତି, ସେସମସ୍ତ ଉତ୍ତମ ଏବଂ ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଗ୍ରହଣର ଅଯୋଗ୍ୟ ନୁହେଁ, କାରଣ ତାହା ଈଶ୍ୱରଙ୍କ ବାକ୍ୟ ଦ୍ଵାରା ଏବଂ ପ୍ରାର୍ଥନା ଦ୍ଵାରା ପବିତ୍ରୀକୃତ ହୋଇଥାଏ।
ତୁମେ ଭାଇମାନଙ୍କୁ ଏହିସମସ୍ତ ବିଷୟ ଦର୍ଶାଇ ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି ତୁମେ ଯେଉଁ ବିଶ୍ୱାସ ସମ୍ଭନ୍ଧୀୟ ସତ୍ୟତାର ଓ ଯେଉଁ ସତ୍ ଶିକ୍ଷାର ଅନୁଗମନ କରିଅଛ, ତହିଁରେ ପରିପୁଷ୍ଟ ହେବ। କିମ୍ବଦନ୍ତୀ ଓ ବୁଢ଼ୀମା କାହାଣୀସବୁ ପ୍ରତ୍ୟାଖ୍ୟାନ କର; ବରଂ ଈଶ୍ୱରପରାୟଣ ଜୀବନଯାପନ କରିବାକୁ ଅଭ୍ୟାସ କର। କାରଣ ଶାରୀରିକ ବ୍ୟାୟାମ କେତେକାଂଶରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ସବୁ ବିଷୟରେ ଲାଭଜନକ, ଏଥିରେ ଇହ ତଥା ପର ଉଭୟେ ଜୀବନ ପାଇଁ ପ୍ରତିଜ୍ଞା ରହିଅଛି। ଏହା ଏକ ବିଶ୍ୱାସଯୋଗ୍ୟ ଉକ୍ତି ଏବଂ ସଂପୂର୍ଣ୍ଣଭାବେ ଗ୍ରହଣୀୟ। ପୁଣି ଆମେ ତ ଏଥିପାଇଁ ପରିଶ୍ରମ ଓ କଠୋର ଚେଷ୍ଟା କରୁଅଛୁ, ଯେଉଁ ନିତ୍ୟଜୀବୀ ଈଶ୍ୱର ସବୁ ମନୁଷ୍ୟମାନଙ୍କର, ବିଶେଷତଃ ବିଶ୍ୱାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମେ ଭରସା ରଖିଅଛୁ।
ତୁମେ ଏହିସମସ୍ତ ବିଷୟରେ ଆଜ୍ଞା ଓ ଶିକ୍ଷା ଦିଅ। ତୁମେ ତରୁଣବୟସ୍କ ବୋଲି କେହି ତୁମକୁ ଅବଜ୍ଞାନ ନ କରୁ, ମାତ୍ର କଥାବାର୍ତ୍ତାରେ, ଜୀବନରେ, ପ୍ରେମରେ, ବିଶ୍ୱାସରେ, ପବିତ୍ରତାରେ ବିଶ୍ୱାସୀମାନଙ୍କର ଆଦର୍ଶ ହୁଅ। ମୁଁ ସେଠାକୁ ଯିବା ପର୍ଯ୍ୟନ୍ତ, ଲୋକଙ୍କ ନିକଟରେ ଶାସ୍ତ୍ରପଠନ, ପ୍ରଚାର ଓ ଶିକ୍ଷାଦାନରେ ମନୋନିବେଶ କର। ମଣ୍ଡଳୀମୁଖ୍ୟମାନେ ତୁମ ଉପରେ ହସ୍ତାର୍ପଣ କଲାବେଳେ, ଭାବବାଣୀ ଦ୍ଵାରା ତୁମକୁ ଯେଉଁ ବରଦାନ ଦତ୍ତ ହୋଇଅଛି ତାକୁ ହେଳା କର ନାହିଁ।
ଏହିସବୁ ବିଷୟ ଅଭ୍ୟାସ କର; ତହିଁରେ ସଂପୂର୍ଣ୍ଣ ମନୋନିବେଶ କର, ତାହାହେଲେ ସମସ୍ତେ ତୁମର ଉନ୍ନତି ଦେଖିପାରିବେ। ନିଜର ଜୀବନ ଓ ଶିକ୍ଷା ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଅ। ସେହିସବୁରେ ଦୃଢ଼ନିଷ୍ଠ ହୁଅ, କାରଣ ତଦ୍ଦ୍ୱାରା ତୁମେ ନିଜର ତଥା, ତୁମ ଶ୍ରୋତାମାନଙ୍କର ପରିତ୍ରାଣ ସାଧନ କରିବ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.