Skip to content
BibleKenya

Biblica® Open Odia Contemporary Bible

ପ୍ରଥମ କରିନ୍ଥୀୟ 5

ମଣ୍ଡଳୀରୁ ଅସଦାଚାରୀକୁ ଦୂର କର

ତୁମ୍ଭମାନଙ୍କମଧ୍ୟରେ ଯେ ଯୌନ ଅସଦାଚାର ରହିଛି, ଏହି ଜନରବ ପ୍ରକୃତରେ ଶୁଣାଯାଉଛି ଯାହାକି ଅନ୍ୟ ଜାତିର ଲୋକଙ୍କ ମଧ୍ୟରେ ସୁଦ୍ଧା ଦେଖାଯାଏ ନାହିଁ: ଅର୍ଥାତ୍ ଜଣେ ଲୋକ ତାହାର ପିତାର ପତ୍ନୀକୁ ରଖିଛି। ଆଉ ତୁମ୍ଭେମାନେ ଗର୍ବ ଅନୁଭବ କରୁଛ! ବରଞ୍ଚ ମନସ୍ତାପ କରି ଏହି କାର୍ଯ୍ୟ କରିଥିବା ଲୋକକୁ ତୁମ ସହଭାଗିତା ମଧ୍ୟରୁ ବହିଷ୍କାର କରିବା ତୁମର ଉଚିତ ନ ଥିଲା କି? ମୁଁ ଶାରୀରିକଭାବେ ଉପସ୍ଥିତ ନ ଥିଲେ ମଧ୍ୟ, ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି। ମୁଁ ସେଠାରେ ଉପସ୍ଥିତ ଥିଲା ପରି, ସେହି କାର୍ଯ୍ୟ କରିଥିବା ଲୋକକୁ ଦଣ୍ଡାଦେଶ ଦେଇ ସାରିଲିଣି। ଆମର ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଯେତେବେଳେ ସମବେତ ହୁଅ ଏବଂ ମୁଁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥାଏ, ପୁଣି ଆମର ପ୍ରଭୁ ଯୀଶୁଙ୍କର ଶକ୍ତି ବିଦ୍ୟମାନ ଥାଏ, ସେତେବେଳେ ସେହି ଲୋକର ଶରୀର ଯେପରି ବିନାଶ ପାଏ, ଓ ପ୍ରଭୁଙ୍କ ଦିବସରେ ତାହାର ଆତ୍ମା ଯେପରି ରକ୍ଷା ପାଏ ଏଥିପାଇଁ ତାକୁ ଶୟତାନର ହସ୍ତରେ ସମର୍ପଣ କର।

ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ। ତୁମ୍ଭେମାନେ କଅଣ ଜାଣ ନାହିଁ ଟିକିଏ ଖମିର ସମୁଦାୟ ମଇଦା ପିଣ୍ଡୁଳାକୁ ଖମିରମୟ କରିଦିଏ? ତୁମ୍ଭେମାନେ ପ୍ରକୃତରେ ଯେଉଁ ପ୍ରକାର ଖମିରଶୂନ୍ୟ ଅଟେ, ସେହି ପ୍ରକାରର ଏକ ନୂତନ ଖମିରଶୂନ୍ୟ ମଇଦା ପିଣ୍ଡୁଳା ଯେପରି ହୋଇପାରିବ ଏଥିପାଇଁ ପୁରୁଣା ଖମିରକୁ ଦୂର କର। କାରଣ ଖ୍ରୀଷ୍ଟ, ଯେ ଆମର ନିସ୍ତାର ପର୍ବର ମେଷଶାବକ ସଦୃଶ, ସେ ବଳିପ୍ରାପ୍ତ ହୋଇଛନ୍ତି। ସେଥିପାଇଁ ଆସ ଆମେ ପୁରାତନ ଖମିର, ଅର୍ଥାତ୍ ବିଦ୍ୱେଷ ଓ ପାପାଚାର ରୂପ ଖମିର ଦ୍ଵାରା ପର୍ବ ପାଳନ ନ କରି, ଖମିରଶୂନ୍ୟ ରୋଟୀ ଅର୍ଥାତ୍ ସରଳତା ଓ ସତ୍ୟତା ରୂପ ରୋଟୀ ଦ୍ଵାରା ପର୍ବ ପାଳନ କରୁ।

ଯୌନଅସଦାଚାରୀ ଲୋକଙ୍କ ସହିତ ସମ୍ପର୍କ ନ ରଖିବାକୁ ମୁଁ ମୋର ପତ୍ରରେ ତୁମ୍ଭମାନଙ୍କୁ ଲେଖିଥିଲି। ମୁଁ ଆଦୌ ଏହି ଅର୍ଥରେ ଲେଖି ନ ଥିଲି ଯେ ଏ ଜଗତରେ ଯେଉଁମାନେ ଅସଦାଚାରୀ ବା ଲୋଭୀ ବା ପ୍ରତାରକ ବା ପ୍ରତିମାପୂଜକ, ସେମାନଙ୍କ ସହିତ ସମ୍ପର୍କ ରଖ ନାହିଁ। ତା ହେଲେ ତୁମ୍ଭମାନଙ୍କୁ ତ ଏ ଜଗତ ଛାଡ଼ି ଚାଲିଯିବାକୁ ହେବ। କିନ୍ତୁ ମୁଁ ଏବେ ତୁମ୍ଭମାନଙ୍କୁ ଲେଖୁଛି ଯେକେହି ଯଦି ନିଜକୁ ଭାଇ ବୋଲାଇ ଯୌନଅସଦାଚାରୀ ବା ଲୋଭୀ ବା ପ୍ରତିମାପୂଜକ, ବା ନିନ୍ଦୁକ, ବା ମଦ୍ୟପ ବା ପ୍ରତାରକ ହୋଇଥାଏ, ତେବେ ତା ସହିତ ସମ୍ପର୍କ ରଖ ନାହିଁ। ସେପ୍ରକାର ଲୋକ ସହିତ ଭୋଜନ ସୁଦ୍ଧା କର ନାହିଁ।

ମଣ୍ଡଳୀର ବାହାରେ ଥିବା ଲୋକଙ୍କ ବିଚାର କରିବାକୁ ମୋର ଅବା କି ଅଧିକାର ଅଛି? ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି ସେହି ଲୋକମାନଙ୍କର ବିଚାର କରିବା ତୁମର ଉଚିତ ନୁହେଁ କି? ବାହାର ଲୋକଙ୍କ ବିଚାର ଈଶ୍ୱର କରିବେ। “ତୁମ୍ଭମାନଙ୍କମଧ୍ୟରୁ ସେହି ଦୁରାଚାରୀକୁ ବହିଷ୍କାର କର।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.