Skip to content
BibleKenya

Biblica® Open Odia Contemporary Bible

ପ୍ରଥମ କରିନ୍ଥୀୟ 6

ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମକଦ୍ଦମା ବା ଆଇନ ମାମଲା

ତୁମ ମଧ୍ୟରୁ କାହାରି ଯଦି ଅନ୍ୟ ବିରୁଦ୍ଧରେ ବିବାଦ ଥାଏ, ତେବେ ସେ ବିଚାର ପାଇଁ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକ ଲୋକଙ୍କ ନିକଟକୁ ଯିବା ପାଇଁ କିପରି ସାହସ କରୁଛି? ସାଧୁମାନେ ଯେ ଜଗତର ବିଚାର କରିବେ ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? ପୁଣି ତୁମ୍ଭେମାନେ ଯଦି ଜଗତର ବିଚାର କରିବାକୁ ଯାଉଛ, ତେବେ ସାମାନ୍ୟ ମାମଲାଗୁଡ଼ିକର ବିଚାର କରିବାକୁ ତୁମ୍ଭେମାନେ କଅଣ ଯୋଗ୍ୟ ନୁହଁ? ଆମେ ଯେ ଦୂତମାନଙ୍କର ବିଚାର କରିବା ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? ତେବେ ଆମେ ଇହ ଜୀବନର ବ୍ୟାପାରଗୁଡ଼ିକ କେତେ ଅଧିକ ରୂପେ ନ କରିପାରିବା! ଅତଏବ, ତୁମ୍ଭମାନଙ୍କର ଯଦି ଏହିପ୍ରକାର ବିବାଦ ଥାଏ, ତେବେ ମଣ୍ଡଳୀରେ ନଗଣ୍ୟ ବିବେଚିତ ହେଉଥିବା ଲୋକଙ୍କୁ ସୁଦ୍ଧା ବିଚାରକ ରୂପେ ନିଯୁକ୍ତ କର। ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଏ କଥା କହୁଛି। ଏହା କଅଣ ସମ୍ଭବ ଯେ ବିଶ୍ୱାସୀମାନଙ୍କ ମଧ୍ୟରେ ବିବାଦ ମୀମାଂସା କରିବାକୁ ତୁମ୍ଭମାନଙ୍କମଧ୍ୟରେ ବୁଦ୍ଧିମାନ କେହି ନାହିଁ? ତା ପରିବର୍ତ୍ତେ, ଜଣେ ଭାଇ ଅନ୍ୟ ଜଣକ ବିରୁଦ୍ଧରେ ନ୍ୟାୟାଳୟକୁ ଯାଉଛି ତା ପୁଣି ଅବିଶ୍ୱାସୀମାନଙ୍କ ସାକ୍ଷାତରେ!

ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ମାଲି ମକଦ୍ଦମା କରୁଛ ତାହା ତୁମ୍ଭମାନଙ୍କର ସଂପୂର୍ଣ୍ଣ ପରାଜୟର ସୂଚନା ଦେଉଛି। ବରଞ୍ଚ ଅନ୍ୟାୟ ସହ୍ୟ କରୁ ନାହଁ କାହିଁକି? ବରଞ୍ଚ କ୍ଷତି ସହ୍ୟ କରୁ ନାହଁ କାହିଁକି? ତାହା କରିବା ପରିବର୍ତ୍ତେ, ତୁମ୍ଭେମାନେ ନିଜେ ପ୍ରତାରଣା ଓ ଅନ୍ୟାୟ କରୁଛ, ଏବଂ ଏହା ତୁମର ଭାଇମାନଙ୍କ ପ୍ରତି କରୁଛ। ଅଧାର୍ମିକ ଲୋକେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ଏହା କଅଣ ତୁମ୍ଭେମାନେ ଜାଣି ନାହଁ? ଭ୍ରାନ୍ତ ହୁଅ ନାହିଁ: ଯୌନଅସଦାଚାରୀ କି ପ୍ରତିମାପୂଜକ କି ବ୍ୟଭିଚାରୀ କି ବେଶ୍ୟାବୃତ୍ତିରେ ଲିପ୍ତ ପୁରୁଷମାନେ କି ସଦୋମୀମାନେ କିମ୍ବା ଚୋର କି ଲୋଭୀ କି ମଦ୍ୟପ କି ନିନ୍ଦୁକ କି ଜୁଆ ଚୋରମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ତୁମ୍ଭମାନଙ୍କମଧ୍ୟରୁ କେହି କେହି ଏପ୍ରକାର ଲୋକ ଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏବଂ ଆମର ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ତୁମ୍ଭେମାନେ ଧୌତ, ପବିତ୍ରୀକୃତ, ଓ ଧାର୍ମିକ ରୂପେ ଗଣ୍ୟ ହୋଇଛ।

“ମୋ ପାଇଁ ସବୁକିଛି ନ୍ୟାୟସଙ୍ଗତ,” କିନ୍ତୁ ସବୁକିଛି ମଙ୍ଗଳଜନକ ନୁହେଁ। “ମୋ ପାଇଁ ସବୁକିଛି ନ୍ୟାୟସଙ୍ଗତ” କିନ୍ତୁ ମୁଁ କୌଣସି ବିଷୟ ଦ୍ଵାରା ବଶୀଭୂତ ହେବି ନାହିଁ। “ଉଦର ପାଇଁ ଖାଦ୍ୟ, ଓ ଖାଦ୍ୟ ପାଇଁ ଉଦର କିନ୍ତୁ, ଈଶ୍ୱର ଏହି ଉଭୟକୁ ଲୋପ କରିବେ।” ଶରୀର, ଯୌନ ଅସଦାଚାର ନିମନ୍ତେ ନୁହେଁ, ମାତ୍ର ପ୍ରଭୁଙ୍କ ନିମନ୍ତେ ଉଦ୍ଦିଷ୍ଟ, ଏବଂ ପ୍ରଭୁ ଶରୀର ନିମନ୍ତେ। ଈଶ୍ୱର ଆପଣା ଶକ୍ତିରେ ପ୍ରଭୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ସେ ଆମକୁ ମଧ୍ୟ ଉଠାଇବେ। ତୁମର ଶରୀର ସ୍ଵୟଂ ଖ୍ରୀଷ୍ଟଙ୍କର ଅଙ୍ଗପ୍ରତ୍ୟଙ୍ଗ ବୋଲି ତୁମ୍ଭେମାନେ କଅଣ ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ବେଶ୍ୟାର ସହ ମିଳିତ କରାଇବି? କଦାପି ନୁହେଁ! ଯିଏ ବେଶ୍ୟା ସହିତ ମିଳିତ ହୁଏ ସେ ଯେ ଶାରୀରିକଭାବେ ତା ସହିତ ଏକ ହୁଏ ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? କାରଣ ଏହା ଉକ୍ତ ଅଛି, “ସେ ଦୁହେଁ ଏକ ହେବେ।” କିନ୍ତୁ ଯିଏ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ ସେ ତାହାଙ୍କ ସହିତ ଆତ୍ମାରେ ଏକ ହୁଏ।

ଯୌନ ଅସଦାଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେଉଁସବୁ ପାପ କରେ ତାହା ଶରୀର ବହିର୍ଭୂତ, କିନ୍ତୁ ଯିଏ ଯୌନ ଅସଦାଚରଣ କରେ, ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। ଯେଉଁ ପବିତ୍ରଆତ୍ମା ତୁମ ଅନ୍ତରରେ ବାସ କରନ୍ତି, ଓ ଯାହାଙ୍କୁ ତୁମେ ଈଶ୍ୱରଙ୍କଠାରୁ ପାଇଅଛ ତୁମର ଶରୀର ଯେ ତାହାଙ୍କର ମନ୍ଦିର, ଏହା କଅଣ ଜାଣ ନାହିଁ? ତୁମ୍ଭେମାନେ ଆଉ ନିଜର ନୁହଁ; ତୁମ୍ଭେମାନେ ମହା ମୂଲ୍ୟରେ କ୍ରୀତ ହୋଇଅଛ। ତେଣୁ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ୱିତ କର।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.