Biblica® Open Odia Contemporary Bible
ପ୍ରଥମ କରିନ୍ଥୀୟ 16
ଈଶ୍ୱରଙ୍କ ଭକ୍ତମାନଙ୍କ ସାହାଯ୍ୟ ପାଇଁ ଅର୍ଥ ସଂଗ୍ରହ
ଈଶ୍ୱରଙ୍କ ଭକ୍ତମାନଙ୍କ ପାଇଁ ଅର୍ଥ ସଂଗ୍ରହ ବିଷୟରେ: ମୁଁ ଗାଲାତୀୟ ମଣ୍ଡଳୀଗୁଡ଼ିକୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛି ତୁମ୍ଭେମାନେ ମଧ୍ୟ ସେହିପରି କର। ପ୍ରତି ସପ୍ତାହର ପ୍ରଥମ ଦିନରେ, ତୁମେ ପ୍ରତ୍ୟେକେ ନିଜର ଆୟ ଅନୁସାରେ କିଛି ଅର୍ଥ ପୃଥକ୍ କରି ସଞ୍ଚୟ କରୁଥାଅ, ତା ହେଲେ ମୁଁ ଯେତେବେଳେ ଯିବି ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ। ମୁଁ ପହଞ୍ଚିଲା ପରେ, ତୁମ୍ଭେମାନେ ଅନୁମୋଦନ କରୁଥିବା ବ୍ୟକ୍ତିମାନଙ୍କୁ ପରିଚୟ ପତ୍ର ଦେବି ଓ ସେମାନଙ୍କୁ ତୁମ୍ଭମାନଙ୍କର ଦାନ ସହିତ ଯିରୂଶାଲମକୁ ପଠାଇ ଦେବି। ଯଦି ମୋର ମଧ୍ୟ ଯିବାର ଉପଯୁକ୍ତ ମନେ ହୁଏ, ତେବେ ସେମାନେ ମୋ ସଙ୍ଗରେ ଯିବେ।
କେତେକ ବ୍ୟକ୍ତିଗତ ଅନୁରୋଧ
ମୁଁ ମାସିଦୋନିଆ ଦେଇ ଯାତ୍ରା କରିବାପରେ ତୁମ୍ଭମାନଙ୍କ ପାଖକୁ ଯିବି, କାରଣ ମୁଁ ମାସିଦୋନିଆ ଦେଇ ଯିବି। ସମ୍ଭବତଃ ମୁଁ କିଛିକାଳ ତୁମ୍ଭମାନଙ୍କ ସହିତ ରହିବି, ଏପରିକି ଶୀତକାଳଟା କଟାଇପାରେ, ତା ହେଲେ ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ମୋର ଯାତ୍ରା ପାଇଁ ସାହାଯ୍ୟ କରିପାରିବ। ଏବେ ଯିବା ବାଟରେ ତୁମ୍ଭମାନଙ୍କ ସହିତ ମୁଁ କେବଳ ଅଳ୍ପ ସମୟ ରହିବାକୁ ଇଚ୍ଛା କରୁ ନାହିଁ; ପ୍ରଭୁ ଅନୁମତି ଦେଲେ, ତୁମ୍ଭମାନଙ୍କ ସହିତ ମୁଁ କିଛିକାଳ ରହିବି ବୋଲି ଆଶା କରୁଛି। କିନ୍ତୁ ପେଣ୍ଟିକଷ୍ଟ ପର୍ବ ପର୍ଯ୍ୟନ୍ତ ମୁଁ ଏଫିସସ୍ରେ ରହିବି, କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ଏକ ପ୍ରଶସ୍ତ ଦ୍ଵାର ମୋ ପାଇଁ ଉନ୍ମୁକ୍ତ ହୋଇଛି, ଓ ମୋର ବିରୋଧୀ ମଧ୍ୟ ଅନେକ ଅଛନ୍ତି।
ତୀମଥି ଯଦି ଥାଆନ୍ତି, ତେବେ ତୁମମାନଙ୍କ ସହିତ ଥିଲାବେଳେ ସେ ଯେପରି ନିର୍ଭୟରେ ରହିବେ, ଏଥିପ୍ରତି ତୁମ୍ଭେମାନେ ଦୃଷ୍ଟି ଦେବ, କାରଣ ସେ ମୋ ପରି ପ୍ରଭୁଙ୍କ କାର୍ଯ୍ୟରେ ଲାଗିଅଛନ୍ତି। ତେଣୁ, କେହି, ତାଙ୍କୁ ଅନାଦର ନ କରୁ। ସେ ଯେପରି ମୋ ପାଖକୁ ଫେରି ଆସିପାରିବେ ଏଥିପାଇଁ ତାହାଙ୍କୁ ଶାନ୍ତିରେ ବାଟ ବଳାଇଦେବ। ଭାଇମାନଙ୍କ ସହିତ ସେ ଆସିବେ ବୋଲି ମୁଁ ଅପେକ୍ଷା କରୁଛି।
ଏବେ ମୁଁ ଆମର ଭାଇ ଆପଲ୍ଲଙ୍କ ବିଷୟରେ ଲେଖୁଛି: ଅନ୍ୟ ଭାଇମାନଙ୍କ ସଙ୍ଗେ ତୁମମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବିଶେଷ ଅନୁରୋଧ କରିଛି। କିନ୍ତୁ ଏବେ ଯିବାକୁ ସେ ଏକାବେଳେ ଅନିଛୁକ, ମାତ୍ର ସୁଯୋଗ ପାଇଲେ ସେ ଯିବେ।
ସତର୍କ ଥାଅ; ବିଶ୍ୱାସରେ ଅଟଳ ରୁହ; ସାହସୀ ହୁଅ; ଓ ଶକ୍ତିମନ୍ତ ହୁଅ। ସମସ୍ତ କାର୍ଯ୍ୟ ପ୍ରେମରେ କର।
ତୁମ୍ଭେମାନେ ଜାଣିଛ ଯେ ଆଖାୟାରେ ସ୍ତିଫାନାସ୍ଙ୍କ ପରିବାର ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ପ୍ରଥମ, ଏବଂ ସାଧୁମାନଙ୍କ ସେବାରେ ସେମାନେ ନିଜକୁ ନିୟୋଜିତ କରିଛନ୍ତି। ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେଉଁମାନେ ଏହିପ୍ରକାର ଲୋକ ଓ ଯେଉଁମାନେ ସେହି କାର୍ଯ୍ୟରେ ଯୋଗ ଦେଇ ପରିଶ୍ରମ କରୁଛନ୍ତି ସେମାନଙ୍କର ବଶୀଭୂତ ହୁଅ। ସ୍ତିଫାନାସ୍, ଫର୍ତ୍ତୁନାତସ୍ ଓ ଆଖାୟିକସ୍ ଆସିବାରୁ ମୁଁ ଆନନ୍ଦ ଲାଭ କଲି, ଯେହେତୁ ତୁମ୍ଭମାନଙ୍କର ଅନୁପସ୍ଥିତି ହେତୁ ମୋର ଯାହା ଅଭାବ ଥିଲା ତାହା ସେମାନେ ପୂରଣ କରିଛନ୍ତି। କାରଣ ସେମାନେ ମୋର ତଥା ତୁମ୍ଭମାନଙ୍କର ଆତ୍ମାକୁ ସଂଜୀବିତ କରିଛନ୍ତି। ଏହିପ୍ରକାର ବ୍ୟକ୍ତିମାନେ ସମ୍ମାନର ଯୋଗ୍ୟ।
ଅଭିବାଦନ
ଏସିଆ ପ୍ରଦେଶରେ ମଣ୍ଡଳୀଗୁଡ଼ିକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
ଆକ୍ୱିଲା ଓ ପ୍ରିସ୍କିଲା ତଥା ସେମାନଙ୍କ ଗୃହରେ ସମବେତ ହେଉଥିବା ଉପାସକ ମଣ୍ଡଳୀ, ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମରେ ସାଦର ଅଭିବାଦନ ଜଣାଉଛନ୍ତି।
ଏଠାରେ ଥିବା ସବୁ ଭାଇ ଅଭିବାଦନ ପଠାଉଛନ୍ତି।
ପବିତ୍ର ଚୁମ୍ୱନ ଦେଇ ପରସ୍ପରକୁ ଅଭିବାଦନ ଜଣାଅ।
ମୁଁ, ପାଉଲ, ଏହି ଅଭିବାଦନ ନିଜ ହାତରେ ଲେଖି ଜଣାଉଛି।
କେହି ଯଦି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଅଭିଶପ୍ତ ହେଉ! ହେ ପ୍ରଭୁ, ଆସନ୍ତୁ।
ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହିତ ଥାଉ।
ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବାରୁ ତୁମେ ସମସ୍ତେ ମୋର ପ୍ରେମ ଗ୍ରହଣ କର। ଆମେନ୍।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.