Biblica® Open Odia Contemporary Bible
ପ୍ରଥମ କରିନ୍ଥୀୟ 15
ଖ୍ରୀଷ୍ଟଙ୍କର ପୁନରୁତ୍ଥାନ
ହେ ଭାଇମାନେ, ଯେଉଁ ସୁସମାଚାର ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କଲ ଏବଂ ଯେଉଁଥିରେ ଅଟଳ ରହିଅଛ, ତାହା ବର୍ତ୍ତମାନ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ। ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ବାକ୍ୟ ପ୍ରଚାର କରିଥିଲି ତାହା ଯଦି ତୁମ୍ଭେମାନେ ଦୃଢ଼ ରୂପେ ଧରିଥାଅ, ତେବେ ଏହି ସୁସମାଚାର ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ଲାଭ କରୁଅଛ। ନଚେତ୍, ତୁମ୍ଭେମାନେ ତ ବୃଥାରେ ବିଶ୍ୱାସ କଲ।
କାରଣ ମୁଁ ଯେଉଁ ଶିକ୍ଷା ପାଇଥିଲି ତାହା ମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ: ଧର୍ମଶାସ୍ତ୍ର ଅନୁସାରେ ଖ୍ରୀଷ୍ଟ ଆମ ପାପ ପାଇଁ ମୃତ୍ୟୁବରଣ କଲେ, ସେ କବରସ୍ଥ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିନରେ ଉତ୍ଥିତ ହେଲେ, ପୁଣି କେଫା ଙ୍କୁ, ତା ପରେ ଦ୍ଵାଦଶ ଶିଷ୍ୟଙ୍କୁ ଦର୍ଶନ ଦେଲେ। ଏହାପରେ ପାଞ୍ଚ ଶହରୁ ଅଧିକ ଭାଇମାନଙ୍କୁ ଏକ ସମୟରେ ଦର୍ଶନ ଦେଲେ, ଯଦିବା ସେମାନଙ୍କ ମଧ୍ୟରୁ କେହି କେହି ମହାନିଦ୍ରାପ୍ରାପ୍ତ, ତଥାପି ଅଧିକାଂଶ ଆଜିଯାଏ ଜୀବିତ ଅଛନ୍ତି। ତା ପରେ ସେ ଯାକୁବଙ୍କୁ, ଓ ପରେ ସବୁ ପ୍ରେରିତଶିଷ୍ୟଙ୍କୁ ଦର୍ଶନ ଦେଲେ, ସର୍ବଶେଷରେ ଅକାଳଜାତ ପରି ଯେ ମୁଁ ସେ ମୋତେ ମଧ୍ୟ ସେ ଦର୍ଶନ ଦେଲେ।
କାରଣ ପ୍ରେରିତଶିଷ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ନଗଣ୍ୟ ଓ ପ୍ରେରିତଶିଷ୍ୟ ଆଖ୍ୟା ପାଇବାକୁ ସୁଦ୍ଧା ଅଯୋଗ୍ୟ, କାରଣ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ନିର୍ଯ୍ୟାତନା କରିଥିଲି। ମାତ୍ର ମୁଁ ଯାହା ହୋଇ ପାରିଛି ତାହା ଈଶ୍ୱରଙ୍କ ଅନୁଗ୍ରହ ହେତୁ ହୋଇଛି, ପୁଣି ମୋ ପ୍ରତି ତାହାଙ୍କର ଅନୁଗ୍ରହ ବିଫଳ ହୋଇନାହିଁ। ନା, ସେସମସ୍ତଙ୍କ ଅପେକ୍ଷା ମୁଁ ଅଧିକ ପରିଶ୍ରମ କରିଛି, ତଥାପି ମୁଁ ନୁହେଁ, କିନ୍ତୁ ମୋ ସହିତ ରହିଥିବା ଈଶ୍ୱରଙ୍କ ଅନୁଗ୍ରହ ତାହା କରିଛି। ତେଣୁ, ମୁଁ ହୁଏ, ବା ସେମାନେ ହୁଅନ୍ତୁ, ଏହା ହିଁ ଆମେ ପ୍ରଚାର କରୁ, ଓ ଏହା ହିଁ ତୁମ୍ଭେମାନେ ବିଶ୍ୱାସ କରିଅଛ।
ମୃତ୍ୟୁ ଲୋକଙ୍କ ପୁନରୁତ୍ଥାନ
କିନ୍ତୁ ଖ୍ରୀଷ୍ଟ ଯେ ମୃତଲୋକଙ୍କ ମଧ୍ୟରୁ ଉତ୍ଥିତ ହୋଇଛନ୍ତି ଏହା ଯଦି ପ୍ରଚାର କରାଯାଉଛି, ତେବେ ମୃତଲୋକଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ ମଧ୍ୟରେ କେହି କେହି କିପରି କହି ପାରୁଅଛନ୍ତି? ଯଦି ମୃତଲୋକଙ୍କର ପୁନରୁତ୍ଥାନ ନାହିଁ, ତେବେ ଖ୍ରୀଷ୍ଟ ସୁଦ୍ଧା ଉତ୍ଥିତ ହୋଇନାହାନ୍ତି। ପୁଣି ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନାହାନ୍ତି, ତେବେ ଆମର ପ୍ରଚାର ବୃଥା ଏବଂ ତୁମ୍ଭମାନଙ୍କର ବିଶ୍ୱାସ ବୃଥା। ଆହୁରି ମଧ୍ୟ, ଈଶ୍ୱରଙ୍କ ବିଷୟରେ ଆମେ ମିଥ୍ୟାସାକ୍ଷୀ ବୋଲି ବିବେଚିତ ହେବୁ, କାରଣ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ କରିଛନ୍ତି ବୋଲି ଆମେ ସାକ୍ଷ୍ୟ ଦେଇଛୁ। କିନ୍ତୁ ମୃତଲୋକେ ଯଦି ଉତ୍ଥିତ ନ ହୁଅନ୍ତି ତେବେ ତ ଈଶ୍ୱର ଖ୍ରୀଷ୍ଟଙ୍କୁ ଉଠାଇ ନାହାନ୍ତି। କାରଣ ମୃତଲୋକେ ଯଦି ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇନାହାନ୍ତି। ପୁଣି ଖ୍ରୀଷ୍ଟ ଯଦି ଉତ୍ଥିତ ହୋଇନାହାନ୍ତି, ତୁମ୍ଭମାନଙ୍କର ବିଶ୍ୱାସ ବିଫଳ; ତୁମ୍ଭେମାନେ ଏ ଯାଏ ପାପରେ ରହିଛ। ତା ହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଛନ୍ତି ସେମାନେ ବିନାଶପ୍ରାପ୍ତ। ଯଦି ଖ୍ରୀଷ୍ଟଙ୍କଠାରେ ଆମର ବିଶ୍ୱାସ କେବଳ ଇହ ଜୀବନ ପାଇଁ, ତେବେ ସବୁ ମନୁଷ୍ୟଙ୍କ ଅପେକ୍ଷା ଆମେ ସବୁଠାରୁ ହତଭାଗ୍ୟ।
କିନ୍ତୁ ବାସ୍ତବରେ ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇ, ମହାନିଦ୍ରାପ୍ରାପ୍ତ ଲୋକଙ୍କ ମଧ୍ୟରେ ପ୍ରଥମ ଫଳ ସ୍ଵରୂପ ହୋଇଛନ୍ତି। ଯେହେତୁ ଜଣେ ମନୁଷ୍ୟ ଦ୍ଵାରା ମୃତ୍ୟୁ ଆସିଲା, ସେହିହେତୁ ଜଣେ ମନୁଷ୍ୟଙ୍କ ଦ୍ଵାରା ମୃତଲୋକଙ୍କର ପୁନରୁତ୍ଥାନ ମଧ୍ୟ ଆସିଛି। କାରଣ ଆଦମଙ୍କଠାରେ ଥିବାରୁ ସମସ୍ତେ ଯେପରି ମୃତ୍ୟୁଭୋଗ କରନ୍ତି, ସେହିପରି ଖ୍ରୀଷ୍ଟଙ୍କଠାରେ ଥିବାରୁ ସଜୀବ ହେବେ। କିନ୍ତୁ ପ୍ରତ୍ୟେକେ ନିଜ ନିଜ କ୍ରମ ଅନୁସାରେ ଉଠିବେ: ପ୍ରଥମ ଫଳ ସ୍ଵରୂପ; ଖ୍ରୀଷ୍ଟ, ତତ୍ପରେ ତାହାଙ୍କର ପୁନରାଗମନ ବେଳେ, ତାହାଙ୍କର ଆଶ୍ରିତ ଲୋକମାନେ। ଏହାପରେ ଅନ୍ତିମକାଳ ଆସିବ, ସେତେବେଳେ ସେସମସ୍ତ ଆଧିପତ୍ୟ କ୍ଷମତା ଓ ଶକ୍ତି ଲୋପ କରି ପିତା ଈଶ୍ୱରଙ୍କୁ ରାଜ୍ୟ ସମର୍ପଣ କରିବେ। କାରଣ ସେ ତାହାଙ୍କର ସବୁ ଶତ୍ରୁଙ୍କୁ ପଦାନତ ନ କରିବା ପର୍ଯ୍ୟନ୍ତ ଅବଶ୍ୟ ରାଜତ୍ଵ କରିବେ। ଯେଉଁ ଶେଷ ଶତ୍ରୁ ଲୋପ ପାଇବ ତାହା ହେଉଛି ମୃତ୍ୟୁ। କାରଣ ଈଶ୍ୱର “ସବୁକିଛି ତାଙ୍କର ପଦାଧୀନ କରିଛନ୍ତି।” ସେ ଯେତେବେଳେ କହନ୍ତି, “ସବୁକିଛି” ତାହାଙ୍କର ଅଧୀନ କରିଛନ୍ତି, ଏହା ସୁସ୍ପଷ୍ଟ ଯେ ଈଶ୍ୱର ଯେ କି ସବୁକିଛି ଖ୍ରୀଷ୍ଟଙ୍କର ଅଧୀନ କଲେ, ସେ ନିଜେ ତହିଁରେ ଅନ୍ତର୍ଭୁକ୍ତ ନୁହନ୍ତି। ସେସମସ୍ତ ବିଷୟ ପୁତ୍ରଙ୍କର ଅଧୀନ କରିବାପରେ, ସ୍ଵୟଂ ପୁତ୍ର ନିଜକୁ ତାହାଙ୍କର ବଶୀଭୂତ କରିବେ, ଯେପରିକି ଈଶ୍ୱର ସର୍ବେସର୍ବା ହେବେ।
ଯଦି ପୁନରୁତ୍ଥାନ ନାହିଁ, ତେବେ ଯେଉଁମାନେ ମୃତଲୋକଙ୍କ ତରଫରୁ ଡୁବିତ ହୁଅନ୍ତି ସେମାନେ ତାହା କରିବାର ଅର୍ଥ କଅଣ? ଯଦି ମୃତଲୋକେ ଆଦୌ ଉତ୍ଥିତ ନ ହୁଅନ୍ତି, ତେବେ ସେମାନଙ୍କ ତରଫରୁ ଲୋକେ କାହିଁକି ଡୁବିତ ହେଉଛନ୍ତି? ଆମେ ମଧ୍ୟ, କାହିଁକି ପ୍ରତି ପ୍ରହର ନିଜକୁ ବିପଦାପନ୍ନ କରୁଛୁ? ହେ ଭାଇମାନେ ଆମର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବାରୁ ତୁମ୍ଭମାନଙ୍କ ବିଷୟରେ ମୋର ଦର୍ପ ଯେପରି ସତ୍ୟ, ଏ କଥା ମଧ୍ୟ ସେହିପରି ସତ୍ୟ ଯେ ମୁଁ ପ୍ରତିଦିନ ମରୁଅଛି। ଯଦି କେବଳ ମାନବୀୟ ଦୃଷ୍ଚିକୋଣରୁ ମୁଁ ଏଫିସସ୍ରେ ହିଂସ୍ର ପଶୁମାନଙ୍କ ସହିତ ଲଢ଼ିଲି, ତେବେ ମୁଁ କି ଲାଭ ପାଇଅଛି? ଯଦି ମୃତଲୋକେ ଉତ୍ଥିତ ନ ହୁଅନ୍ତି,
ତେବେ “ଆସ ଆମେ ଭୋଜନପାନ କରିବା,
କାରଣ କାଲି ତ ଆମର ମରଣ ହେବ।”
ଭ୍ରାନ୍ତ ହୁଅ ନାହିଁ: “କୁସଙ୍ଗ ସତ୍ଚରିତ୍ର ନଷ୍ଟ କରେ।” ତୁମେ ଯେପରି ହେବା ଉଚିତ ସେହିପ୍ରକାରେ ସୁବିବେକୀ ହୁଅ, ଓ ପାପ ପରିହାର କର; କାରଣ ଏପରି କେତେକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଅଜ୍ଞ, ତୁମର ଲଜ୍ଜାବୋଧ ପାଇଁ ମୁଁ ଏହା କହୁଛି।
ପୁନରୁତ୍ଥିତ ଶରୀର ସମ୍ବନ୍ଧରେ
କିନ୍ତୁ କେହି ହୁଏତ ପ୍ରଶ୍ନ କରିପାରେ, “ମୃତଲୋକେ କିପରି ପୁନରୁତ୍ଥିତ ହୁଅନ୍ତି? କି ପ୍ରକାର ଶରୀରଧାରଣ କରି ସେମାନେ ଆସିବେ?” କେଡ଼େ ନିର୍ବୋଧ କଥା! ତୁମେ ଯାହା ବୁଣ ତାହା ନ ମଲେ ସଜୀବ ହୁଏ ନାହିଁ। ତୁମେ ଯାହା ବୁଣି ଥାଅ, ତାହା ହୁଏତ ଗହମ ବା ଅନ୍ୟ କୌଣସି ଶସ୍ୟର ବୀଜଟିଏ, ତାହା ଯେଉଁ ଶରୀରଧାରଣ କରିବ, ତାହା ତ ତୁମେ ବୁଣି ନ ଥାଅ। ମାତ୍ର ଈଶ୍ୱର ଆପଣା ସଂକଳ୍ପ ଅନୁସାରେ ତାହାକୁ ଏକ ଶରୀର ଦିଅନ୍ତି, ଏବଂ ପ୍ରତ୍ୟେକ ପ୍ରକାର ବୀଜକୁ ତାହାର ନିଜସ୍ଵ ଶରୀର ଦିଅନ୍ତି। ସବୁ ମାଂସବିଶିଷ୍ଟ ଶରୀର ଏକପ୍ରକାର ନୁହେଁ: ମନୁଷ୍ୟମାନଙ୍କର ଗୋଟିଏ ପ୍ରକାର ଶରୀର, ପଶୁମାନଙ୍କର ଆଉ ଗୋଟିଏ ପ୍ରକାର, ପକ୍ଷୀମାନଙ୍କର ଅନ୍ୟ ପ୍ରକାର ଓ ମାଛମାନଙ୍କର ଆଉ ଏକପ୍ରକାର ଶରୀର। ଆହୁରି ମଧ୍ୟ ଗଗନମଣ୍ଡଳସ୍ଥିତ ବିଷୟଗୁଡ଼ିକର ଶରୀର ଅଛି ଓ ପୃଥିବୀସ୍ଥିତ ବିଷୟଗୁଡ଼ିକର ଶରୀର ଅଛି; ମାତ୍ର ଗଗନ ମଣ୍ଡଳରେ ଥିବା ଶରୀରଗୁଡ଼ିକର ଶୋଭା ଗୋଟିଏ ପ୍ରକାର, ଏବଂ ପୃଥିବୀରେ ଥିବା ଶରୀରଗୁଡ଼ିକର ଶୋଭା ଅନ୍ୟ ପ୍ରକାର। ସୂର୍ଯ୍ୟର ଶୋଭା ଗୋଟିଏ ପ୍ରକାର, ଚନ୍ଦ୍ରର ଅନ୍ୟ ପ୍ରକାର ଏବଂ ନକ୍ଷତ୍ରଗୁଡ଼ିକର ଆଉ ଏକପ୍ରକାର; ପୁଣି ଗୋଟିଏ ନକ୍ଷତ୍ରର ଶୋଭା ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ।
ମୃତମାନଙ୍କର ପୁନରୁତ୍ଥାନ ବିଷୟରେ ଏହିପରି ହେବ। ଯେଉଁ ଶରୀର ପୋତା ହୁଏ ତାହା କ୍ଷୟଶୀଳ ତହିଁରୁ ଯାହା ଉତ୍ଥିତ ହୁଏ, ତାହା ଅକ୍ଷୟ; ତାହା ଅନାଦରରେ ପୋତା ଯାଏ, ଗୌରବରେ ଉତ୍ଥିତ ହୁଏ; ତାହା ଦୁର୍ବଳାବସ୍ଥାରେ ପୋତାଯାଏ, ଶକ୍ତିରେ ଉତ୍ଥିତ ହୁଏ; ଏକ ପ୍ରାକୃତିକ ଶରୀର ପୋତାଯାଏ, ଏକ ଆଧ୍ୟାତ୍ମିକ ଶରୀର ଉତ୍ଥିତ ହୁଏ।
ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। ତେଣୁ ଏହିପରି ଲେଖାଅଛି: “ପ୍ରଥମ ମନୁଷ୍ୟ ଆଦମ ଜଣେ ଜୀବନ୍ତ ପ୍ରାଣୀ ହେଲେ”; ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ। ଯାହା ଆଧ୍ୟାତ୍ମିକ ତାହା ପ୍ରଥମେ ଆସି ନ ଥିଲା, ମାତ୍ର ଯାହା ପ୍ରାକୃତିକ, ତାହା ଆସିଲା ତା ପରେ ଆସିଲା ଆଧ୍ୟାତ୍ମିକ। ପ୍ରଥମ ମନୁଷ୍ୟ ପାର୍ଥିବ, ମାଟିରୁ ଗଢା; ଦ୍ୱିତୀୟ ମନୁଷ୍ୟ ସ୍ଵର୍ଗରୁ ଆଗତ। ଯେଉଁମାନେ ପୃଥିବୀର, ସେମାନେ ସେହି ପାର୍ଥିବ ମନୁଷ୍ୟ ପରି ଆଉ; ଯେଉଁମାନେ ସ୍ଵର୍ଗର, ସେମାନେ ସ୍ଵର୍ଗରୁ ଆଗତ ମନୁଷ୍ୟଙ୍କ ପରି। ଆମେ ପାର୍ଥିବ ମନୁଷ୍ୟର ସାଦୃଶ୍ୟ ଯେପରି ଧାରଣ କରିଛୁ, ତଦ୍ରୂପ ସ୍ଵର୍ଗରୁ ଆଗତ ମନୁଷ୍ୟଙ୍କ ସାଦୃଶ୍ୟ ଧାରଣ କରିବୁ।
ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଏହା ଘୋଷଣା କରୁଛି ଯେ, ରକ୍ତମାଂସର ଶରୀର ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରେ ନାହିଁ, କିମ୍ବା ଯାହା କ୍ଷୟଶୀଳ ବିଷୟ ତାହା ଅକ୍ଷୟ ବିଷୟର ଅଧିକାରୀ ହୁଏ ନାହିଁ। ଶୁଣ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ ବିଷୟ କହୁଅଛି: ଆମେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ, ମାତ୍ର ଆମେ ସମସ୍ତେ ରୂପାନ୍ତରିତ ହେବା। ଏହା ମୁହୂର୍ତ୍ତକ ମଧ୍ୟରେ, ଆଖି ପିଛୁଳାକେ, ଶେଷ ତୂରୀଧ୍ୱନି ହେବା ମାତ୍ରକେ, ମୃତଲୋକେ ଅକ୍ଷୟ ହୋଇ ଉଠିବେ, ଏବଂ ଆମେ ରୂପାନ୍ତରିତ ହେବା। କାରଣ ଯାହା କ୍ଷୟଶୀଳ ତାହାକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଏବଂ ଯାହା ମରଣଶିଳ ତାହାକୁ ଅମରତ୍ଵରୂପ ବସ୍ତ୍ର ପରିଧାନ କରିବାକୁ ହେବ। ଯେତେବେଳେ ଏହି କ୍ଷୟଶୀଳ ଶରୀର ଅକ୍ଷୟତାରୂପ ବସ୍ତ୍ର ଓ ଏହି ମରଣଶିଳ ଶରୀର ଅମରତ୍ଵରୂପ ବସ୍ତ୍ର ପରିଧାନ କରିବ, ସେତେବେଳେ ଏହି ଲିଖିତ ବାଣୀ ସଫଳ ହେବ: “ଜୟ ମୃତ୍ୟୁକୁ ଗ୍ରାସ କରିଛି।”
“ରେ ମୃତ୍ୟୁ, କାହିଁ, ତୋର ବିଜୟ?
ରେ ମୃତ୍ୟୁ, କାହିଁ, ତୋର ନାହୁଡ଼?”
ମୃତ୍ୟୁର ନାହୁଡ଼ ପାପ, ଏବଂ ପାପର ଶକ୍ତି ହେଉଛି ବିଧିବ୍ୟବସ୍ଥା। କିନ୍ତୁ ଈଶ୍ୱରଙ୍କର ସ୍ତୁତିବାଦ ହେଉ! ସେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆମକୁ ବିଜୟ ପ୍ରଦାନ କରନ୍ତି।
ହେ ମୋର ପ୍ରିୟ ଭାଇମାନେ, ସେଥିପାଇଁ ଅଟଳ ରହିଥାଅ। କୌଣସି ବିଷୟ ତୁମକୁ ବିଚଳିତ ନ କରୁ। ସର୍ବଦା ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ସମ୍ପୁର୍ଣ୍ଣ ଭାବେ ନିୟୋଜିତ କର, କାରଣ ତୁମ୍ଭେମାନେ ଜାଣ ଯେ ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କ ପରିଶ୍ରମ ବୃଥା ନୁହେଁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.