Skip to content
BibleKenya

Biblica® Open Odia Contemporary Bible

ପ୍ରଥମ କରିନ୍ଥୀୟ 14

ପ୍ରେମର ଅନୁସରଣ କର ଓ ଆତ୍ମିକ ଦାନଗୁଡ଼ିକ, ବିଶେଷତଃ ଭାବବାଣୀ କହିବା ଦାନ ନିମନ୍ତେ ଆଗ୍ରହ ସହକାରେ କାମନା କର। କାରଣ ଯେ ଅଜଣା ଭାଷାରେ କଥା କହେ ସେ ମନୁଷ୍ୟମାନଙ୍କୁ କଥା କହେ ନାହିଁ ମାତ୍ର ଈଶ୍ୱରଙ୍କୁ କହେ। ପ୍ରକୃତରେ, କେହି ତାହାର କଥା ବୁଝିପାରେ ନାହିଁ; ସେ ଆତ୍ମାଙ୍କ ଦ୍ଵାରା ନିଗୂଢ଼ ବିଷୟମାନ ଉଚ୍ଚାରଣ କରେ। କିନ୍ତୁ ଯେ ଭାବବାଣୀ କହେ ସେ ମନୁଷ୍ୟମାନଙ୍କ ଅଭିବୃଦ୍ଧି, ଉତ୍ସାହ ଓ ସାନ୍ତ୍ଵନା ନିମନ୍ତେ ସେମାନଙ୍କୁ କହେ। ଯେ ଅଜଣା ଭାଷାରେ କଥା କହେ ସେ ନିଜର ଉତ୍କର୍ଷ ସାଧନ କରେ, କିନ୍ତୁ ଯେ ଭାବବାଣୀ କହେ ସେ ମଣ୍ଡଳୀର ଉତ୍କର୍ଷ ସାଧନ କରେ। ତୁମେ ପ୍ରତ୍ୟେକେ ଅଜଣା ଭାଷାରେ କଥା କୁହ ବୋଲି ମୁଁ ଇଚ୍ଛା କରେ, କିନ୍ତୁ ତା ଅପେକ୍ଷା ବରଂ ଭାବବାଣୀ କୁହ ବୋଲି, ମୁଁ ଅଧିକତର ଇଚ୍ଛା କରେ। ଅଜଣା ଭାଷାରେ କଥା କହିବା ବ୍ୟକ୍ତି ଯଦି ମଣ୍ଡଳୀର ଉତ୍କର୍ଷ ସାଧନ ପାଇଁ ଭାଷାର ଅର୍ଥ ନ କହେ, ତେବେ ଭାବବାଣୀ କହୁଥିବା ବ୍ୟକ୍ତି, ତା ଅପେକ୍ଷା ଶ୍ରେଷ୍ଠତର।

ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ଅଜଣା ଭାଷାରେ କଥା କହେ, ଅଥଚ କୌଣସି ପ୍ରକାଶିତ ବାକ୍ୟ ବା ଜ୍ଞାନ ବା ଭବିଷ୍ୟଦ୍‌ବାଣୀ, କିମ୍ବା ଶିକ୍ଷାପ୍ରଦ ବିଷୟ ତୁମ୍ଭମାନଙ୍କୁ ନ ଦିଏ, ତେବେ ମୁଁ ତୁମ୍ଭମାନଙ୍କର କି ଉପକାରରେ ଆସିପାରେ? ନିର୍ଜୀବ ବାଦ୍ୟଯନ୍ତ୍ର ଯଥା ବଂଶୀ ବା ବୀଣା ଯଦି ସ୍ପଷ୍ଟ ତାନରେ ବଜା ନ ଯାଏ, ତେବେ କେଉଁ ସୁର ବାଜୁଛି, କିପରି ଜଣାଯିବ? ପୁଣି, ତୂରୀଧ୍ୱନି ଯଦି ସ୍ପଷ୍ଟ ଡାକରା ନ ଦିଏ, ତେବେ କିଏ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବ? ତୁମ ବିଷୟରେ ଠିକ ସେହିପରି। ଜିହ୍ଵା ଦ୍ଵାରା ତୁମେ ଯଦି ବୋଧଗମ୍ୟ ଭାଷାରେ କଥା ନ କୁହ, ତେବେ ତୁମେ କଅଣ କହୁଛ କିଏ କିପରି ଜାଣିବ? ତୁମେ କେବଳ ଶୂନ୍ୟକୁ କଥା କହିଲା ପରି ହେବ। ଜଗତରେ ଯେ ଅନେକ ପ୍ରକାର ଭାଷା ଅଛି ଏଥିରେ ସନ୍ଦେହ ନାହିଁ, ତଥାପି କୌଣସିଟି ଅର୍ଥହୀନ ନୁହେଁ। କୌଣସି ବ୍ୟକ୍ତି କଅଣ କହୁଛି ତାହାର ଅର୍ଥ ଯଦି ମୁଁ ବୁଝି ନ ପାରେ, ତେବେ ସେହି ବକ୍ତା ନିକଟରେ ମୁଁ ବିଦେଶୀ ତୁଲ୍ୟ, ଓ ସେ ମୋ ନିକଟରେ ବିଦେଶୀ ତୁଲ୍ୟ। ତୁମ୍ଭମାନଙ୍କ ବିଷୟରେ ଠିକ ସେହିପରି। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନସବୁ ଲାଭ କରିବାକୁ ଉତ୍ସୁକ ହୋଇଥିବାରୁ, ଯେଉଁ ଦାନଗୁଡ଼ିକ ମଣ୍ଡଳୀର ଅଭିବୃଦ୍ଧି ସାଧନ କରେ ସେହିସବୁରେ ଉତ୍କର୍ଷ ଲାଭ କରିବାକୁ ସଚେଷ୍ଟ ହୁଅ।

ଏହି କାରଣରୁ ଅଜଣା ଭାଷାରେ କଥା କହି ପାରୁଥିବା ବ୍ୟକ୍ତି ଯେପରି ତାହାର ବ୍ୟାଖ୍ୟା କରିପାରେ ଏଥିପାଇଁ ସେ ପ୍ରାର୍ଥନା କରୁ। କାରଣ ମୁଁ ଯଦି ଅଜଣା ଭାଷାରେ ପ୍ରାର୍ଥନା କରେ, ମୋର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋର ମନ ତାହା ବୁଝିବାକୁ ବିଫଳ ହୁଏ। ତା ହେଲେ ମୁଁ କଅଣ କରିବି? ମୁଁ ମୋର ଆତ୍ମା ଦ୍ଵାରା ପ୍ରାର୍ଥନା କରିବି, କିନ୍ତୁ ମୋର ମନ ଦ୍ଵାରା ମଧ୍ୟ ପ୍ରାର୍ଥନା କରିବି; ମୁଁ ମୋର ଆତ୍ମା ଦ୍ଵାରା ଗାନ କରିବି, କିନ୍ତୁ ମୋର ମନ ଦ୍ଵାରା ମଧ୍ୟ ଗାନ କରିବି। ତୁମେ ଯଦି ତୁମର ଆତ୍ମା ଦ୍ଵାରା ଈଶ୍ୱରଙ୍କ ସ୍ତୁତି କରୁଛ, ତେବେ ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି, ଯେ କି ତୁମ କଥାର ଅର୍ଥ ବୁଝିପାରୁ ନାହିଁ, ସେ କିପରି ତୁମର ସ୍ତୁତିବାଦରେ “ଆମେନ୍” କହିପାରିବ? ତୁମେ ହୁଏତ ସୁନ୍ଦର ଭାବରେ ସ୍ତୁତି ପ୍ରଶଂସା କରୁଛ, କିନ୍ତୁ ସେହି ଅନ୍ୟ ଲୋକର ଆଧ୍ୟାତ୍ମିକ ଉନ୍ନତି ସାଧିତ ହେବ ନାହିଁ।

ମୁଁ ଈଶ୍ୱରଙ୍କର ଧନ୍ୟବାଦ କରେ ଯେ, ତୁମ ସମସ୍ତଙ୍କ ଅପେକ୍ଷା ମୁଁ ଅଧିକଭାବେ ଅଜଣା ଭାଷାରେ କଥା କହେ। କିନ୍ତୁ ମଣ୍ଡଳୀରେ ମୁଁ ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ବରଂ ପାଞ୍ଚୋଟି ବୋଧଗମ୍ୟ ଶଦ୍ଦ ବ୍ୟବହାର କରିବି ସିନା କିନ୍ତୁ ଅଜଣା ଭାଷାରେ ଦଶ ହଜାର ଶଦ୍ଦ ବ୍ୟବହାର କରିବି ନାହିଁ।

ଭାଇମାନେ, ତୁମର ଚିନ୍ତାଭାବନାରେ ପିଲାଙ୍କ ପରି ହୁଅ ନାହିଁ। ମନ୍ଦ ବିଷୟରେ ଶିଶୁମାନଙ୍କ ପରି ହୁଅ, କିନ୍ତୁ ତୁମର ଚିନ୍ତାଭାବନାରେ ପ୍ରାପ୍ତବୟସ୍କ ଲୋକଙ୍କପରି ହୁଅ। ବିଧିବ୍ୟବସ୍ଥାରେ ଲେଖାଅଛି:

“ଅଜଣା ଭାଷାରେ କଥା କହୁଥିବା ଲୋକଙ୍କ ଦ୍ଵାରା

ଏବଂ ବିଦେଶୀ ଲୋକଙ୍କ ମୁଖ ଦ୍ଵାରା

ମୁଁ ଏହି ଲୋକମାନଙ୍କୁ କଥା କହିବି,

ତଥାପି ସେମାନେ ମୋ କଥାରେ କର୍ଣ୍ଣପାତ କରିବେ ନାହିଁ,

ପ୍ରଭୁ ଏହା କହନ୍ତି।”

ତେଣୁ, ବିଶ୍ୱାସୀମାନଙ୍କ ପାଇଁ ଅଜଣା ଭାଷାରେ କଥା କହିବା, ଏକ ଚିହ୍ନ, ସ୍ଵରୂପ ନୁହେଁ; ମାତ୍ର ଅବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ଵରୂପ, କିନ୍ତୁ ବିଶ୍ୱାସୀମାନଙ୍କ ପାଇଁ ଭାବବାଣୀ କହିବା ଚିହ୍ନ ସ୍ଵରୂପ, ଅବିଶ୍ୱାସୀମାନଙ୍କ ପାଇଁ ନୁହେଁ। ଅତଏବ ସମଗ୍ର ମଣ୍ଡଳୀ ସମବେତ ହେଲାବେଳେ ସମସ୍ତେ ଯଦି ଅଜଣା ଭାଷାରେ କଥା କହନ୍ତି, ଏବଂ ଯେଉଁମାନେ ବୁଝିପାରନ୍ତି ନାହିଁ କିମ୍ବା ଯେଉଁମାନେ ଅବିଶ୍ୱାସୀ ଏପରି କେତେକ ଲୋକ ଯଦି ସେଠାକୁ ଯାଆନ୍ତି, ତେବେ ସେମାନେ କଅଣ ତୁମ୍ଭମାନଙ୍କୁ ପାଗଳ ବୋଲି କହିବେ ନାହିଁ? କିନ୍ତୁ ସମସ୍ତେ ଭାବବାଣୀ କହୁଥିଲା ବେଳେ ଯଦି ଜଣେ ଅବିଶ୍ୱାସୀ କିମ୍ବା ବୁଝି ନ ପାରୁଥିବା ଲୋକ ଆସେ, ସେ ସମସ୍ତଙ୍କର ବାର୍ତ୍ତା ଦ୍ଵାରା ପାପୀ ବୋଲି ନିଶ୍ଚିତ ବୋଧ ପାଇବ ଓ ସମସ୍ତଙ୍କ ଦ୍ଵାରା ବିଚାରିତ ହେବ, ଏବଂ ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ। ତେଣୁ ସେ ସାଷ୍ଟାଙ୍ଗ ପ୍ରଣାମ କରି ଈଶ୍ୱରଙ୍କ ଆରାଧନା କରିବ, ଓ ସ୍ୱୀକାର କରି କହିବ, “ପ୍ରକୃତରେ ଈଶ୍ୱର ତୁମ୍ଭମାନଙ୍କମଧ୍ୟରେ ଅଛନ୍ତି!”

ଉପାସନା ସଭାରେ ଶୃଙ୍ଖଳାରକ୍ଷା

ତା ହେଲେ ହେ ଭାଇମାନେ, ଆମେ କଅଣ କହିବା? ତୁମ୍ଭେମାନେ ଯେତେବେଳେ ସମବେତ ହୁଅ, ସେତେବେଳେ କାହାରି ପାଖରେ ଏକ ଗୀତ, ବା କିଛି ଶିକ୍ଷାମୂଳକ ବାକ୍ୟ, ବା ଐଶ୍ୱରିକ ପ୍ରତ୍ୟାଦେଶ, କିମ୍ବା ଅଜଣା ଭାଷା ବା ତାହାର ଅର୍ଥ କରିବା ଶକ୍ତି, ଏହିପରି ଭାବରେ ପ୍ରତ୍ୟେକର କିଛି ନା କିଛି ଅଛି। ଏହିସମସ୍ତ ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ କରାଯାଉ। କେହି ଯଦି ଅଜଣା ଭାଷାରେ କଥା କହେ, ତେବେ ଦୁଇଜଣ କିମ୍ବା ଖୁବ୍ ବେଶୀ ହେଲେ ତିନିଜଣ, ପାଳି ପାଳି କରି କହନ୍ତୁ, ଏବଂ କେହି ଜଣେ ତାହାର ଅର୍ଥ କହି ଦେଉ। ଯଦି ଅର୍ଥ କରିବାକୁ କେହି ନ ଥାଏ, ତେବେ ବକ୍ତା ଉପାସନା ସଭାରେ ନୀରବ ରହୁ ଏବଂ ନିଜ ସହିତ ତଥା ଈଶ୍ୱରଙ୍କ ସହିତ କଥା କହୁ।

ଦୁଇ ବା ତିନିଜଣ ଭାବବାଣୀ କହନ୍ତୁ, ଏବଂ ଯାହା କୁହାଯାଉଛି ଅନ୍ୟମାନେ ମନୋଯୋଗ ସହ ବିଚାରବିବେଚନା କରନ୍ତୁ। ଉପବିଷ୍ଟ ଲୋକଙ୍କ ମଧ୍ୟରେ କେହି ଯଦି ଐଶ୍ୱରିକ ପ୍ରତ୍ୟାଦେଶ ପାଏ, ତେବେ ପ୍ରଥମ ବକ୍ତା ନୀରବ ରହୁ। କାରଣ ସମସ୍ତେ ଯେପରି ଶିକ୍ଷା ଓ ଉତ୍ସାହ ପ୍ରାପ୍ତ ହେବେ ଏଥିପାଇଁ ତୁମେ ସମସ୍ତେ ପାଳି କରି ଭାବବାଣୀ କହିପାର। ଭାବବାଦୀମାନଙ୍କର ଆତ୍ମା ଭାବବାଦୀମାନଙ୍କର ଆୟତ୍ତାଧୀନ। ଯେହେତୁ ଈଶ୍ୱର ବିଶୃଖଂଳତାର ଈଶ୍ୱର ନୁହନ୍ତି ମାତ୍ର ଶାନ୍ତିର ଈଶ୍ୱର, ଯେପରି ସାଧୁମାନଙ୍କର ସବୁ ମଣ୍ଡଳୀରେ ହୋଇଥାଏ।

ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହିବା ଉଚିତ। ସେମାନଙ୍କୁ କଥା କହିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ, କିନ୍ତୁ ବିଧିବ୍ୟବସ୍ଥାର ଉକ୍ତି ଅନୁସାରେ, ସେମାନେ ବଶୀଭୂତା ହୋଇ ରହନ୍ତୁ। ଯଦି ସେମାନେ କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ନିଜ ନିଜ ସ୍ୱାମୀମାନଙ୍କୁ ପଚାରନ୍ତୁ; କାରଣ ମଣ୍ଡଳୀରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।

କଅଣ ତୁମ୍ଭମାନଙ୍କଠାରୁ ଈଶ୍ୱରଙ୍କ ବାକ୍ୟର ଉତ୍ପତ୍ତି ହୋଇଥିଲା? କିମ୍ବା କେବଳ କଅଣ ତୁମ୍ଭମାନଙ୍କ ନିକଟକୁ ତାହା ଆସିଅଛି? କେହି ଯଦି ନିଜକୁ ଭାବବାଦୀ କିମ୍ବା ଆଧ୍ୟାତ୍ମିକ ଦାନ ପାଇଥିବା ବ୍ୟକ୍ତି ବୋଲି ମନେ କରେ, ତେବେ ମୁଁ ତୁମ୍ଭମାନଙ୍କୁ ଯାହା ଲେଖୁଛି ସେହିସବୁ ପ୍ରଭୁଙ୍କର ଆଦେଶ ବୋଲି ସେ ସ୍ୱୀକାର କରୁ। ସେ ଯଦି ଏହାକୁ ଅବଜ୍ଞା କରେ, ସେ ନିଜେ ଅବଜ୍ଞାତ ହେବ।

ଅତଏବ, ହେ ମୋର ଭାଇମାନେ, ଭାବବାଣୀ କହିବାକୁ ଆଗ୍ରହାନ୍ୱିତ ହୁଅ, ଏବଂ ଅଜଣା ଭାଷାରେ କଥା କହିବାକୁ ନିଷେଧ କର ନାହିଁ। କିନ୍ତୁ ସମସ୍ତ ବିଷୟ ଯଥୋଚିତ ଓ ଶୃଙ୍ଖଳିତ ଭାବରେ କରାଯିବା ଉଚିତ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.