Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 1

ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତଶିଷ୍ୟ ହୋଇଥିବା ପାଉଲଙ୍କଠାରୁ ଓ ଆମର ଭାଇ ତୀମଥିଙ୍କଠାରୁ,

କରିନ୍ଥୀରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ତଥା ସମଗ୍ର ଆଖାୟାରେ ଥିବା ସାଧୁବୃନ୍ଦଙ୍କୁ ଅଭିବାଦନ:

ତୁମ୍ଭମାନଙ୍କ ପ୍ରତି ଆମର ପିତା ଈଶ୍ୱରଙ୍କଠାରୁ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।

ସାନ୍ତ୍ଵନାଦାତା ଈଶ୍ୱରଙ୍କର ସ୍ତୁତି ହେଉ

ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଓ ଈଶ୍ୱରଙ୍କର ସ୍ତୁତି ହେଉ, ସେ କରୁଣାମୟ ପିତା ଓ ସର୍ବ ସାନ୍ତ୍ଵନାର ଆକର ଅଟନ୍ତି, ଈଶ୍ୱରଙ୍କଠାରୁ ଆମେ ଯେଉଁ ସାନ୍ତ୍ଵନା ଲାଭ କରିଥାଉ, ତଦ୍ଦ୍ୱାରା ନାନାଦି ଦୁଃଖକ୍ଳେଶ ଭୋଗୁଥିବା ଲୋକଙ୍କୁ ଆମେ ଯେପରି ସାନ୍ତ୍ଵନା ପ୍ରଦାନ କରିପାରୁ ଏଥିପାଇଁ ସେ ଆମକୁ ସର୍ବପ୍ରକାର ଦୁଃଖକ୍ଳେଶରେ ସାନ୍ତ୍ଵନା ଦିଅନ୍ତି। କାରଣ ଖ୍ରୀଷ୍ଟଙ୍କର ଦୁଃଖଭୋଗ ଆମ ଜୀବନରେ ଯେପରି ପ୍ରଚୁର, ଠିକ ସେହିପରି ଖ୍ରୀଷ୍ଟଙ୍କ ଦ୍ଵାରା ଆମ ପାଇଁ ସାନ୍ତ୍ଵନା ମଧ୍ୟ ପ୍ରଚୁର। ଆମେ ଯଦି ଦୁର୍ଦ୍ଦଶାପନ୍ନ, ତେବେ ତୁମ୍ଭମାନଙ୍କ ସାନ୍ତ୍ଵନା ଓ ପରିତ୍ରାଣ ନିମନ୍ତେ; ଆମେ ଯଦି ସାନ୍ତ୍ଵନାପ୍ରାପ୍ତ, ତେବେ ତାହା ତୁମର ସାନ୍ତ୍ଵନା ନିମନ୍ତେ, ଆମେ ଯେଉଁ ପ୍ରକାର ଦୁଃଖଭୋଗ କରୁଛୁ ସେହିପ୍ରକାର ଦୁଃଖ ସହିବାକୁ ସେହି ସାନ୍ତ୍ଵନା ତୁମଠାରେ ଧୈର୍ଯ୍ୟ ଉତ୍ପନ୍ନ କରେ। ପୁଣି ତୁମ ନିମନ୍ତେ ଆମର ଆଶା ଦୃଢ଼ ରହିଛି, କାରଣ ଆମେ ଜାଣିଛୁ ଯେ ଆମର ଦୁଃଖଭୋଗରେ ତୁମ୍ଭେମାନେ ଯେପରି ଭାଗୀ ହେଉଛ, ଠିକ ସେହିପରି ଆମର ସାନ୍ତ୍ଵନାରେ ମଧ୍ୟ ଭାଗୀ ହେଉଛ।

ହେ ଭାଇମାନେ, ଏସିଆ ପ୍ରଦେଶରେ ଆମେ ଯେଉଁସବୁ ଦୁଃଖକଷ୍ଟ ଭୋଗ କଲୁ, ସେହି ବିଷୟରେ ତୁମ୍ଭେମାନେ ଅଜ୍ଞ ଥାଅ ବୋଲି ଆମର ଇଚ୍ଛା ନୁହେଁ। ଆମେ ଯେଉଁ ପ୍ରକାର ଚାପର ସମ୍ମୁଖୀନ ହେଲୁ, ତାହା ଆମର ସହିବା ଶକ୍ତିରୁ ଅତିଶୟ ଅଧିକ ଥିଲା, ଏପରିକି ଆମେ ଜୀବନର ଆଶା ସୁଦ୍ଧା ଛାଡ଼ିଦେଲୁ। ପ୍ରକୃତରେ, ଆମେ ମୃତ୍ୟୁଦଣ୍ଡାଦେଶ ପାଇଲା ପରି ହୃଦୟରେ ଅନୁଭବ କଲୁ। କିନ୍ତୁ ଆମେ ଯେପରି ନିଜ ଉପରେ ନିର୍ଭର ନ କରି ଯେଉଁ ଈଶ୍ୱର ମୃତଲୋକଙ୍କୁ ଉତ୍ଥିତ କରନ୍ତି, ତାହାଙ୍କ ଉପରେ ନିର୍ଭର କରୁ ଏଥିପାଇଁ ଏପରି ଘଟିଲା। ସେ ଆମକୁ ଏପ୍ରକାର ମାରାତ୍ମକ ସଂକଟରୁ ଉଦ୍ଧାର କଲେ ଏବଂ ଉଦ୍ଧାର କରିବେ। ତୁମ୍ଭେମାନେ ପ୍ରାର୍ଥନା ଦ୍ଵାରା ଆମକୁ ସାହାଯ୍ୟ କରୁଥିବାରୁ ସେ ଆମକୁ ଉଦ୍ଧାର କରୁଥିବେ ବୋଲି ଆମେ ତାହାଙ୍କ ଉପରେ ଭରସା ରଖିଛୁ, ତା ହେଲେ ଅନେକଙ୍କ ପ୍ରାର୍ଥନାର ଉତ୍ତର ସ୍ଵରୂପେ ଆମକୁ ଯେଉଁ ଅନୁଗ୍ରହ ପ୍ରଦତ୍ତ ହୋଇଛି। ସେଥିନିମନ୍ତେ ଆମ ସକାଶେ ଅନେକେ ଈଶ୍ୱରଙ୍କୁ ଧନ୍ୟବାଦ ଦେବେ।

ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ସହ ଆମର ସମ୍ପର୍କରେ ଈଶ୍ୱରାଗତ ପବିତ୍ରତା ଓ ସରଳତାରେ ଆମେ ଯେଉଁ ପ୍ରକାର ଆଚରଣ କରିଛୁ, ସେବିଷୟରେ ଆମର ବିବେକ ଯେ ସାକ୍ଷ୍ୟ ଦିଏ। ଏହା ହିଁ ଆମର ଦର୍ପ, ଜାଗତିକ ଜ୍ଞାନରେ ନୁହେଁ, ମାତ୍ର ଈଶ୍ୱରଙ୍କ ଅନୁଗ୍ରହରେ ଆମେ ଏହା କରିପାରିଛୁ। କାରଣ ଯାହା ତୁମ୍ଭେମାନେ ପଢ଼ି ପାରିବ ନାହିଁ କି ବୁଝି ପାରିବ ନାହିଁ ଏପରି କୌଣସି ବିଷୟ ଆମେ ତୁମ ନିକଟକୁ ଲେଖୁ ନାହୁଁ, ପୁଣି ଆମର ଆଶା ଏହି ଯେ ତୁମ୍ଭେମାନେ ଆମକୁ ଯେପରି ଆଂଶିକଭାବେ ବୁଝିଅଛ, ଦିନେ ସପୂର୍ଣ୍ଣଭାବେ ବୁଝିବ, ଯଦ୍ଦ୍ୱାରା ପ୍ରଭୁ ଯୀଶୁଙ୍କ ପୁନରାଗମନ ଦିବସରେ ତୁମ୍ଭେମାନେ ଯେପରି ଆମର ଦର୍ପର କାରଣ ହେବ ଆମେ ମଧ୍ୟ ସେହିପରି ତୁମ୍ଭମାନଙ୍କର ଦର୍ପର କାରଣ ହୋଇପାରିବୁ।

ଏ ବିଷୟରେ ମୁଁ ନିଶ୍ଚିତ ଥିବାରୁ, ତୁମ୍ଭେମାନେ ଯେପରି ଦ୍ୱିଗୁଣ ଆନନ୍ଦ ଲାଭ କରିବ ଏଥିପାଇଁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ପରିକଳ୍ପନା କରିଥିଲି। ମାସିଦୋନିଆକୁ ଯିବା ବାଟରେ ଏବଂ ମାସିଦୋନିଆରୁ ଫେରିବା ବାଟରେ, ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ପରିକଳ୍ପନା କରିଥିଲି ଏବଂ ତୁମ୍ଭେମାନେ ମୋତେ ଯିହୁଦା ପ୍ରଦେଶକୁ ଯିବା ପାଇଁ ବାଟ ବଳାଇ ଦେଇଥାଆନ୍ତ। ତା ହେଲେ ଏହି ପରିକଳ୍ପନା କଲାବେଳେ ମୁଁ କଅଣ ମନରେ ଦ୍ୱିଧା କରିଥିଲି? ଅଥବା ମୁଁ କଅଣ ଜାଗତିକ ମନୁଷ୍ୟ ପରି ମୋର ପରିକକ୍ପନାସବୁ ପ୍ରସ୍ତୁତ କରେ ଅର୍ଥାତ୍ ମୁଁ କଅଣ ଏକ ନିଶ୍ୱାସରେ “ହିଁ, ହିଁ” ଓ “ନାହିଁ, ନାହିଁ” କହିଥାଏ?

କିନ୍ତୁ ଈଶ୍ୱର ବିଶ୍ୱସ୍ତ ବୋଲି ଯେପରି ସତ୍ୟ, ଏହା ମଧ୍ୟ ସେହିପରି ସତ୍ୟ ଯେ ତୁମ୍ଭମାନଙ୍କ ପ୍ରତି ଆମର ବାର୍ତ୍ତା “ହିଁ” ଓ “ନାହିଁ” ହୁଏ ନାହିଁ। କାରଣ ଈଶ୍ୱରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟ, ଯାହାଙ୍କୁ ମୁଁ, ଶୀଲା ଓ ତୀମଥି ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲୁ ସେ “ହିଁ” ଓ “ନାହିଁ,” ହୋଇ ନ ପାରନ୍ତି ମାତ୍ର ତାହାଙ୍କଠାରେ ସର୍ବଦା “ହିଁ” ହୋଇଥାଏ। କାରଣ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କର ସମସ୍ତ ପ୍ରତିଶ୍ରୁତି, “ହିଁ” ହୁଏ। ସେଥିଯୋଗୁଁ ତାହାଙ୍କ ମାଧ୍ୟମରେ ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ଆମେ “ଆମେନ୍” ଉଚ୍ଚାରଣ କରିଥାଉ। ଆହୁରି ମଧ୍ୟ ସ୍ଵୟଂ ଈଶ୍ୱର ଆମ୍ଭମାନଙ୍କୁ ତଥା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଅଟଳ ରଖିଅଛନ୍ତି। ଏବଂ ଆମ୍ଭମାନଙ୍କୁ ଅଭିଷିକ୍ତ କରିଅଛନ୍ତି, ସେ ଆମ ଉପରେ ତାହାଙ୍କର ଅଧିକାରତ୍ଵର ମୁଦ୍ରାଙ୍କ ଦେଇଅଛନ୍ତି, ଓ ସେ ଆମକୁ ଯାହାସବୁ ଦେବେ, ତାହାର ଅଗ୍ରୀମ ଦାନ ସ୍ଵରୂପେ ଆମ ହୃଦୟରେ ପବିତ୍ରଆତ୍ମଙ୍କୁ ଦେଇଅଛନ୍ତି।

ମୁଁ ଈଶ୍ୱରଙ୍କୁ ସାକ୍ଷୀ କରି କହୁଛି ଯେ, ତୁମ୍ଭମାନଙ୍କୁ ଦୁଃଖରୁ ରକ୍ଷା କରିବାକୁ ମୁଁ କରିନ୍ଥକୁ ଫେରି ଗଲି ନାହିଁ। ଆମେ ଯେ ତୁମ୍ଭମାନଙ୍କ ବିଶ୍ୱାସ ଉପରେ କର୍ତ୍ତୃତ୍ଵ କରୁ, ତା ନୁହେଁ ମାତ୍ର ତୁମ୍ଭମାନଙ୍କର ଆନନ୍ଦ ପାଇଁ ତୁମ ସହିତ କାର୍ଯ୍ୟ କରୁ, କାରଣ ବିଶ୍ୱାସରେ ତୁମ୍ଭେମାନେ ଅଟଳ ରହିଛ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.