Skip to content
BibleKenya

Biblica® Open Odia Contemporary Bible

ପ୍ରଥମ କରିନ୍ଥୀୟ 12

ଆତ୍ମିକଦାନ ସମୂହ

ଭାଇମାନେ, ତୁମ୍ଭେମାନେ ଆତ୍ମିକଦାନ ସମୂହ ବିଷୟରେ, ଅଜ୍ଞ ଥାଅ ବୋଲି ମୁଁ ଚାହେଁ ନାହିଁ। ତୁମ୍ଭେମାନେ ବିଧର୍ମୀ ଲୋକ ଥିଲାବେଳେ, କୌଣସି ନା କୌଣସି ପ୍ରକାରେ ପ୍ରଭାବିତ ହୋଇ ମୂକ ପ୍ରତିମାମାନଙ୍କ ନିକଟକୁ ଭ୍ରାନ୍ତ ଭାବରେ ଚାଳିତ ହେଉଥିଲ ଏହା ତୁମ୍ଭେମାନେ ଜାଣିଛ। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କହେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା କଥା କହୁଥିବା କୌଣସି ଲୋକ କେବେ, “ଯୀଶୁ ଅଭୀଶପ୍ତ,” ବୋଲି କହେ ନାହିଁ, ପୁଣି ପବିତ୍ରଆତ୍ମାଙ୍କ ବ୍ୟତୀତ କୌଣସି ଲୋକ, “ଯୀଶୁ ପ୍ରଭୁ” ବୋଲି କହିପାରେ ନାହିଁ।

ବିଭିନ୍ନ ପ୍ରକାର ଆତ୍ମିକଦାନ ଅଛି, କିନ୍ତୁ ଆତ୍ମା ଏକ। ବିଭିନ୍ନ ପ୍ରକାର ସେବା ଅଛି, କିନ୍ତୁ ପ୍ରଭୁ ଏକ। ବିଭିନ୍ନ ପ୍ରକାର କାର୍ଯ୍ୟ ଅଛି, କିନ୍ତୁ ସେହି ଏକମାତ୍ର ଈଶ୍ୱର ସମସ୍ତଙ୍କ ମଧ୍ୟରେ ସବୁ କାର୍ଯ୍ୟ ସାଧନ କରନ୍ତି।

ସର୍ବସାଧାରଣଙ୍କ ମଙ୍ଗଳ ନିମନ୍ତେ ପ୍ରତ୍ୟେକ ଜଣକୁ ଆତ୍ମାଙ୍କର ପରିପ୍ରକାଶନର ଦାନ ଦତ୍ତ ହୁଏ। ଜଣକୁ ଦତ୍ତ ହୁଏ, ଆତ୍ମାଙ୍କ ଦ୍ଵାରା ଜ୍ଞାନର ବାର୍ତ୍ତା ପରିବେଷଣର ଦକ୍ଷତା, ଅନ୍ୟଜଣକୁ ସେହି ଏକ ଆତ୍ମାଙ୍କ ସାହାଯ୍ୟରେ ବୁଦ୍ଧିର ବାର୍ତ୍ତା ପ୍ରଦାନର ଦକ୍ଷତା, ଅନ୍ୟଜଣକୁ ସେହି ଆତ୍ମାଙ୍କ ଦ୍ଵାରା ମିଳେ ବିଶ୍ୱାସ, ଆଉ କାହାକୁ ସେହି ଏକ ଆତ୍ମାଙ୍କ ଦ୍ଵାରା ଆରୋଗ୍ୟକାରୀ ଶକ୍ତି, ଅପର ଜଣକୁ ମିଳେ ଅଲୌକିକ ଶକ୍ତି, ଅନ୍ୟଜଣକୁ ଭାବବାଣୀ କହିବାର ଶକ୍ତି, ଆଉ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା, ଆଉ କାହାକୁ ଅଜଣା ଭାଷାରେ କଥା କହିବା ଦକ୍ଷତା, ଏବଂ ଅନ୍ୟଜଣକୁ ଅଜଣା ଭାଷାର ଅର୍ଥ ପ୍ରକାଶ କରିବାର ଦକ୍ଷତା। ଏସମସ୍ତ ସେହି ଏକ ଓ ସମାନ ଆତ୍ମାଙ୍କର କାର୍ଯ୍ୟ, ଏବଂ ସେ ନିଜ ସଂକଳ୍ପ ଅନୁସାରେ, ପ୍ରତ୍ୟେକ ଜଣକୁ ସେହିସବୁ ଦାନ କରନ୍ତି।

ଏକ ଶରୀର, ଅନେକ ଅଙ୍ଗପ୍ରତ୍ୟଙ୍ଗ

ଅନେକ ଅଙ୍ଗପ୍ରତ୍ୟଙ୍ଗ ନେଇ, ଗଠିତ ହେଲେ ମଧ୍ୟ, ଶରୀର ଗୋଟିଏ, ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ମଧ୍ୟ ସେହିସବୁ ଦ୍ଵାରା ଗୋଟିଏ ଶରୀର ଗଠିତ ହୋଇଛି, ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସେହିପ୍ରକାର। ଆମେ ଯିହୁଦୀ ହେଉ ବା ଗ୍ରୀକ ହେଉ, କ୍ରୀତଦାସ ହେଉ ବା ସ୍ୱାଧୀନ ହେଉ ସମସ୍ତେ ଏକ ଆତ୍ମାଙ୍କ ଦ୍ଵାରା ଏକ ଶରୀର ରୂପେ ଡୁବିତ ହୋଇଅଛୁ ଏବଂ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ଶରୀର ଗୋଟିଏ ଅଙ୍ଗ ଦ୍ଵାରା ଗଠିତ ହୋଇନାହିଁ ମାତ୍ର ଅନେକ ଅଙ୍ଗପ୍ରତ୍ୟଙ୍ଗ ଦ୍ଵାରା ଗଠିତ ହୋଇଛି।

ପାଦ ଯଦି କହନ୍ତା, “ମୁଁ ହାତ ନୁହେଁ, ତେଣୁ ଶରୀରର ଅଂଶ ନୁହେଁ,” ତେବେ ସେହି କାରଣରୁ ତାହା ଯେ ଶରୀରର ଅଂଶ ହେବାରୁ ବାଦ୍ ପଡ଼ନ୍ତା ତା ନୁହେଁ। ପୁଣି କାନ ଯଦି କହନ୍ତା, “ମୁଁ ଆଖି ନୁହେଁ, ତେଣୁ ଶରୀରର ଅଂଶ ନୁହେଁ,” ତେବେ ସେହି କାରଣରୁ ତାହା ଯେ ଶରୀରର ଅଂଶ ହେବାରୁ ବାଦ୍ ପଡ଼ନ୍ତା ତା ନୁହେଁ। ସମଗ୍ର ଶରୀର ଯଦି ଚକ୍ଷୁ ହୋଇଥାଆନ୍ତା, ତେବେ ଶ୍ରବଣ ଇନ୍ଦ୍ରିୟ ଥାଆନ୍ତା କେଉଁଠି? ସମଗ୍ର ଶରୀର ଯଦି କର୍ଣ୍ଣ ହୋଇଥାଆନ୍ତା, ତେବେ ଘ୍ରାଣ ଇନ୍ଦ୍ରିୟ ଥାଆନ୍ତା କେଉଁଠି? କିନ୍ତୁ ପ୍ରକୃତପକ୍ଷେ, ଈଶ୍ୱର ପ୍ରତ୍ୟେକଟି ଅଙ୍ଗକୁ, ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଛନ୍ତି। ସେହିସବୁ ଯଦି ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଶରୀର ଥାଆନ୍ତା କେଉଁଠି? କିନ୍ତୁ ପ୍ରକୃତରେ, ଅଙ୍ଗପ୍ରତ୍ୟଙ୍ଗ ଅନେକ, କିନ୍ତୁ ଶରୀର ଏକ।

“ତୋ ଠାରେ ମୋର ପ୍ରୟୋଜନ ନାହିଁ!” ଏ କଥା ଚକ୍ଷୁ ହସ୍ତକୁ କହିପାରିବ ନାହିଁ, ଏବଂ “ତୋ ଠାରେ ମୋର ପ୍ରୟୋଜନ ନାହିଁ!” ଏ କଥା ମସ୍ତକ ପାଦକୁ କହିପାରିବ ନାହିଁ, ବରଞ୍ଚ, ଶରୀରର ଯେଉଁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଦୁର୍ବଳ ବିବେଚିତ, ସେଗୁଡ଼ିକ ଅପରିହାର୍ଯ୍ୟ, ପୁଣି ଯେଉଁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ହୀନ ବୋଲି ଆମେ ମନେ କରୁ ସେଗୁଡ଼ିକୁ ଆମେ ଅଧିକ ସମାଦର କରିଥାଉ। ଆହୁରି ମଧ୍ୟ ଯେଉଁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଅଶୋଭନୀୟ ସେଗୁଡ଼ିକୁ ଆମେ ବିଶେଷ ଶୋଭାଯୁକ୍ତ କରିଥାଉ, ଅଥଚ ଆମର ଶୋଭନୀୟ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର ବିଶେଷ ଯତ୍ନ ପ୍ରୟୋଜନ ହୁଏ ନାହିଁ। କିନ୍ତୁ ଶରୀର ମଧ୍ୟରେ ଯେପରି ବିଭେଦ ସୃଷ୍ଟି ନ ହୁଏ, ଓ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ପରସ୍ପର ପ୍ରତି ସମଭାବରେ ମନୋଯୋଗୀ ହୁଅନ୍ତି, ଏଥିପାଇଁ ଯେଉଁ ଅଙ୍ଗଗୁଡ଼ିକ ବିବେଚିତ, ସେଗୁଡ଼ିକୁ ଈଶ୍ୱର ଅଧିକ ମାନ୍ୟତା ଦେଇ ଶରୀରର ଅଂଶସବୁକୁ ସଂଯୁକ୍ତ କରିଛନ୍ତି। ଯଦି ଗୋଟିଏ ଅଙ୍ଗ କଷ୍ଟ ପାଏ, ତେବେ ତା ସଙ୍ଗେ ସବୁ ଅଙ୍ଗ କଷ୍ଟ ପାଆନ୍ତି; ଯଦି ଗୋଟିଏ ଅଙ୍ଗ ସମ୍ମାନ ପାଏ, ତେବେ ତା ସଙ୍ଗେ ସବୁ ଅଙ୍ଗ ଆନନ୍ଦ ଲାଭ କରନ୍ତି।

ତୁମ୍ଭେମାନେ ହେଉଛ ଖ୍ରୀଷ୍ଟଙ୍କ ଶରୀର, ଏବଂ ତୁମେ ପ୍ରତ୍ୟେକେ ତହିଁର ଗୋଟିଏ ଗୋଟିଏ ଅଙ୍ଗ ବିଶେଷ। ଈଶ୍ୱର ମଣ୍ଡଳୀରେ ପ୍ରଥମେ ପ୍ରେରିତଶିଷ୍ୟମାନଙ୍କୁ, ଦ୍ୱିତୀୟରେ ଭାବବାଦୀମାନଙ୍କୁ, ତୃତୀୟରେ ଶିକ୍ଷାଦାତାମାନଙ୍କୁ, ତା ପରେ ଅଲୌକିକ କାର୍ଯ୍ୟ ସାଧକମାନଙ୍କୁ, ପୁଣି ଆରୋଗ୍ୟକାରୀ ଦାନ ପାଇଥିବା ଲୋକଙ୍କୁ, ସାହାଯ୍ୟକାରୀମାନଙ୍କୁ, କାର୍ଯ୍ୟ ପରିଚାଳନା କରିବା ଦାନପ୍ରାପ୍ତ ଲୋକଙ୍କୁ, ଓ ଅଜଣା ଭାଷାରେ କଥା କହିବା ବ୍ୟକ୍ତିମାନଙ୍କୁ ନିଯୁକ୍ତ କରିଛନ୍ତି। ସମସ୍ତେ କଅଣ ପ୍ରେରିତଶିଷ୍ୟ? ସମସ୍ତେ କଅଣ ଭାବବାଦୀ? ସମସ୍ତେ କଅଣ ଶିକ୍ଷାଦାତା? ସମସ୍ତେ କଅଣ ଅଲୌକିକ କାର୍ଯ୍ୟସାଧକ? ସମସ୍ତେ କଅଣ ଆରୋଗ୍ୟ କରିବା ଦାନ ପାଇଛନ୍ତି? ସମସ୍ତେ କଅଣ ଅଜଣା ଭାଷାରେ କଥା କହନ୍ତି? ସମସ୍ତେ କଅଣ ଅର୍ଥ କରିପାରନ୍ତି? କିନ୍ତୁ ଶ୍ରେଷ୍ଠ ଦାନଗୁଡ଼ିକ ପାଇବାକୁ ଆଗ୍ରହ ସହକାରେ ବାଞ୍ଚ୍ଥ। କର।

ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ସର୍ବାପେକ୍ଷା ଉତ୍କୃଷ୍ଟ ମାର୍ଗ ଦେଖାଇବି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.