Biblica® Open Odia Contemporary Bible
ପ୍ରଥମ କରିନ୍ଥୀୟ 11
ମୁଁ ଯେପରି ଖ୍ରୀଷ୍ଟଙ୍କ ଆଦର୍ଶ ଅନୁକରଣ କରୁଛି ତୁମ୍ଭେମାନେ ସେହିପରି ମୋର ଆଦର୍ଶ ଅନୁକରଣ କର।
ଉପାସନା ବେଳେ ମସ୍ତକ ଆଚ୍ଛାଦନ ର ଶିଷ୍ଟ ଆଚରଣ
ତୁମ୍ଭେମାନେ ଯେସବୁ ବିଷୟରେ ମୋତେ ସ୍ମରଣ କରୁଛ, ଓ ମୁଁ ତୁମ୍ଭମାନଙ୍କୁ ଯେଉଁ ପ୍ରକାରେ ଶିକ୍ଷା ପ୍ରଦାନ କରିଥିଲି। ସେହିପ୍ରକାରେ ସେସବୁ ପାଳନ କରୁଛ ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି। ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ଵରୂପ, ଓ ପୁରୁଷ ସ୍ତ୍ରୀର ମସ୍ତକ ସ୍ଵରୂପ ଏବଂ ଈଶ୍ୱର ଖ୍ରୀଷ୍ଟଙ୍କର ମସ୍ତକ ସ୍ଵରୂପ, ଏହା ତୁମ୍ଭେମାନେ ଉପଲବ୍ଧି କର ବୋଲି ମୁଁ ଇଚ୍ଛା କରେ। କୌଣସି ପୁରୁଷ ଯଦି ନିଜର ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭାବବାଣୀ କହେ ସେ ନିଜ ମସ୍ତକର ଅବମାନନା କରେ। ଆହୁରି ମଧ୍ୟ କୌଣସି ସ୍ତ୍ରୀ ଯଦି ନିଜର ମସ୍ତକ ଅନାବୃତ କରି ପ୍ରାର୍ଥନା କରେ ବା ଭାବବାଣୀ କହେ ସେ ନିଜ ମସ୍ତକର ଅବମାନନା କରେ ସତେ ଯେପରି ତାହାର ମସ୍ତକ ମୁଣ୍ଡନ କରାହୋଇଛି। ସ୍ତ୍ରୀ ଯଦି ମସ୍ତକ ଆଚ୍ଛାଦନ ନ କରେ, ସେ ତାହାର କେଶ କାଟି ପକାଉ; ଏବଂ ସ୍ତ୍ରୀ ପକ୍ଷରେ କେଶ କାଟିବା କିମ୍ବା ମସ୍ତକ ମୁଣ୍ଡନ କରିବା ଯଦି ଅପମାନଜନକ, ତେବେ ସେ ମସ୍ତକ ଆଚ୍ଛାଦନ କରିବା ଉଚିତ।
ପୁରୁଷ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ଵରୂପ ହୋଇଥିବାରୁ, ସେ ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ; କିନ୍ତୁ ସ୍ତ୍ରୀ ହେଉଛି ପୁରୁଷର ଗୌରବ ସ୍ଵରୂପ। କାରଣ ନାରୀଠାରୁ ପୁରୁଷର ଉତ୍ପତ୍ତି ହୋଇ ନ ଥିଲା, ମାତ୍ର ପୁରୁଷଠାରୁ ନାରୀର ଉତ୍ପତ୍ତି ହୋଇଥିଲା; କିମ୍ବା ନାରୀ ପାଇଁ ପୁରୁଷ ସୃଷ୍ଟି ହୋଇ ନ ଥିଲା, ମାତ୍ର ପୁରୁଷ ପାଇଁ ନାରୀ ସୃଷ୍ଟି ହୋଇଥିଲା। ଏଥିସକାଶେ ଏବଂ ସ୍ଵର୍ଗଦୂତମାନଙ୍କ ସକାଶେ ନାରୀ ନିଜ ମସ୍ତକରେ କ୍ଷମତାଧୀନର ଚିହ୍ନ ଧାରଣ କରିବା ଉଚିତ। ତଥାପି, ପ୍ରଭୁଙ୍କ ଯୋଜନାରେ ନାରୀ ପୁରୁଷଠାରୁ ସ୍ୱାଧୀନ ନୁହେଁ, କିମ୍ବା ପୁରୁଷ ନାରୀଠାରୁ ସ୍ୱାଧୀନ ନୁହେଁ। କାରଣ ପୁରୁଷଠାରୁ ଯେପରି ନାରୀର ଉତ୍ପତ୍ତି ହୋଇଥିଲା, ସେହିପରି ନାରୀଠାରୁ ପୁରୁଷ ଜାତ ହୁଏ। କିନ୍ତୁ ସମସ୍ତ ବିଷୟର ଉତ୍ପତ୍ତି ଈଶ୍ୱରଙ୍କଠାରୁ ହୁଏ।
ତୁମ୍ଭେମାନେ ନିଜେ ବିଚାର କରି ଦେଖ: ମସ୍ତକ ଆଚ୍ଛାଦନ ନ କରି ସ୍ତ୍ରୀ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଉପଯୁକ୍ତ କି? ପ୍ରକୃତି ନିଜେ କଅଣ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦିଏ ନାହିଁ ଯେ, ଦୀର୍ଘ କେଶ ପୁରୁଷ ପାଇଁ ଲଜ୍ଜାଜନକ, କିନ୍ତୁ ନାରୀ ପକ୍ଷେ ଦୀର୍ଘ କେଶ ଗୌରବଜନକ? କାରଣ ଆବରଣ ସ୍ଵରୂପେ ସ୍ତ୍ରୀକୁ ଦୀର୍ଘ କେଶ ଦିଆଯାଇଛି। ଏ ବିଷୟରେ କେହି ଯଦି ବାଦାନୁବାଦ କରିବାକୁ ଇଚ୍ଛା କରେ, ତେବେ ଆମର କିମ୍ବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଅନ୍ୟ କୌଣସି ପ୍ରଥା ପ୍ରଚଳିତ ନାହିଁ।
ପ୍ରଭୁଭୋଜ ସମ୍ବନ୍ଧରେ
ନିମ୍ନଲିଖିତ ନିର୍ଦ୍ଦେଶାବଳୀରେ ତୁମ୍ଭମାନଙ୍କ ପାଇଁ ମୋର କୌଣସି ପ୍ରଶଂସା ନାହିଁ, କାରଣ ତୁମ୍ଭମାନଙ୍କର ସଭାଗୁଡ଼ିକ ମଙ୍ଗଳ କରିବା ଅପେକ୍ଷା ଅଧିକତର କ୍ଷତି କରୁଛି। ପ୍ରଥମତଃ, ମୁଁ ଶୁଣୁଛି ଯେ ତୁମ୍ଭେମାନେ ମଣ୍ଡଳୀ ଭାବରେ ଯେତେବେଳେ ସମବେତ ହେଉଛ, ତୁମ୍ଭମାନଙ୍କମଧ୍ୟରେ ଦଳଭେଦ ରହିଛି, ଏବଂ ଏ କଥା ମୁଁ କେତେକାଂଶରେ ବିଶ୍ୱାସ କରୁଛି। ତୁମ ମଧ୍ୟରେ ଯେ ମତଭେଦ ରହିବ, ଏଥିରେ ସନ୍ଦେହ ନାହିଁ ତଦ୍ଦ୍ୱାରା କେଉଁମାନେ ଈଶ୍ୱରଙ୍କର ଅନୁମୋଦିତ ବ୍ୟକ୍ତି ତାହା ପ୍ରକାଶ ପାଇବ। ତୁମ୍ଭେମାନେ ସମବେତ ହେବା ସମୟରେ, ପ୍ରଭୁଙ୍କର ଭୋଜ ଗ୍ରହଣ କରୁ ନାହଁ, କାରଣ ତାହା ଭୋଜନ କଲାବେଳେ, ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ତୁମେ ପ୍ରତ୍ୟେକେ ଆଗେ ନିଜର ଖାଦ୍ୟ ଭୋଜନ କରି ଦେଉଛ, ଏବଂ ଏହା ଫଳରେ, ଜଣେ ଭୋକିଲା ରହୁଛି ତ ଅନ୍ୟ ଜଣେ ମାତାଲ ହେଉଛି। ଭୋଜନପାନ କରିବାକୁ ତୁମର କଅଣ ଘର ନାହିଁ? କିମ୍ବା ତୁମେ କଅଣ ଈଶ୍ୱରଙ୍କ ମଣ୍ଡଳୀ ପ୍ରତି ଅବଜ୍ଞା ପ୍ରଦର୍ଶନ କରୁଛ ଓ ଯେଉଁମାନଙ୍କର କିଛି ନାହିଁ ସେମାନଙ୍କୁ ଅପମାନିତ କରୁଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? ଏଥିପାଇଁ କଅଣ ତୁମ୍ଭମାନଙ୍କୁ ପ୍ରଶଂସା କରିବି? ଆଦୌ ନୁହେଁ!
କାରଣ ମୁଁ ପ୍ରଭୁଙ୍କ ନିକଟରୁ ଯେଉଁ ଶିକ୍ଷା ପାଇଥିଲି ତାହା ତୁମ୍ଭମାନଙ୍କୁ ପ୍ରଦାନ କରିଛି ତାହା ଏହି: ଶତ୍ରୁହସ୍ତରେ ସମର୍ପିତ ହେବା ରାତ୍ରିରେ, ପ୍ରଭୁ ଯୀଶୁ ରୋଟୀ ନେଲେ, ଏବଂ ଧନ୍ୟବାଦ ଦେବା ପରେ, ସେ ତାହା ଭାଙ୍ଗି କହିଲେ, “ତୁମ୍ଭମାନଙ୍କ ପାଇଁ, ଏହା ହେଉଛି ମୋର ଶରୀର; ମୋତେ ସ୍ମରଣ କରି ଏହା କର।” ସେହିପ୍ରକାରେ, ଭୋଜନ ପରେ ସେ ପାନପାତ୍ର ନେଇ, କହିଲେ, “ଏହି ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ମୋତେ ସ୍ମରଣ କରି ଏହା କର।” କାରଣ ଯେତେ ଥର ତୁମ୍ଭେମାନେ ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେଥର ତୁମ୍ଭେମାନେ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ତାହାଙ୍କର ମୃତ୍ୟୁଭୋଗ ବିଷୟ ଘୋଷଣା କରୁଅଛ।
ଅତଏବ, ଯେକେହି ଅଯୋଗ୍ୟ ଭାବରେ ଏହି ରୋଟୀ ଭୋଜନ କରେ ଓ ପ୍ରଭୁଙ୍କ ପାନପାତ୍ରରୁ ପାନ କରେ ସେ ପ୍ରଭୁଙ୍କ ଶରୀର ଓ ରକ୍ତ ବିରୁଦ୍ଧରେ ପାପ ପାଇଁ ଦୋଷୀ ହେବ। ଏହି ରୋଟୀ ଭୋଜନ କରିବା ପୂର୍ବରୁ ଓ ପାନପାତ୍ରରୁ ପାନ କରିବା ପୂର୍ବରୁ ମନୁଷ୍ୟ ଆପଣାକୁ ପରୀକ୍ଷା କରିବା ଉଚିତ। କାରଣ ଯେକେହି ଖ୍ରୀଷ୍ଟଙ୍କ ଶରୀରର ବିଶେଷତ୍ଵ ନ ବୁଝି ଭୋଜନ କରେ ଓ ପାନ କରେ ସେ ନିଜ ପାଇଁ ଦଣ୍ଡ ଭୋଜନ କରେ ଓ ପାନ କରେ। ସେଥିପାଇଁ ତୁମ୍ଭମାନଙ୍କମଧ୍ୟରେ ଅନେକେ ଦୁର୍ବଳ, ଓ ରୋଗଗ୍ରସ୍ତ ଏବଂ ଅନେକେ ମହାନିଦ୍ରାପ୍ରାପ୍ତ। କିନ୍ତୁ ଆମେ ଯଦି ନିଜର ବିଚାର କରନ୍ତୁ, ତେବେ ଆମେ ବିଚାରାଧୀନ ହୁଅନ୍ତୁ ନାହିଁ। ଆମେ ଯେପରି ଜଗତବାସୀଙ୍କ ସହିତ ଦଣ୍ଡିତ ନ ହେବୁ, ଏଥିପାଇଁ ପ୍ରଭୁ ଆମର ବିଚାର କଲାବେଳେ ଆମକୁ ସଂଶୋଧନ କରୁଛନ୍ତି।
ଅତଏବ, ହେ ମୋର ଭାଇମାନେ, ଭୋଜନ କରିବାକୁ ଏକତ୍ର ହେଲାବେଳେ, ପରସ୍ପର ପାଇଁ ଅପେକ୍ଷା କର। କେହି ଯଦି କ୍ଷୁଧିତ ଥାଏ ସେ ନିଜ ଘରେ ଭୋଜନ କରୁ, ତା ହେଲେ ତୁମର ଏକତ୍ର ହେବା ସମୟ ଦଣ୍ଡର କାରଣ ହେବ ନାହିଁ।
ମୁଁ ଗଲେ ଅନ୍ୟାନ୍ୟ ବିଷୟରେ ନିର୍ଦ୍ଦେଶ ଦେବି।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.