Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ରୋମୀୟ 7

ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ

ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କଅଣ ଜାଣ ନାହିଁ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି। ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ। ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାହାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ। ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ବରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ। କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା, କିନ୍ତୁ ଯେପରି ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ବର୍ତ୍ତମାନ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାରେ ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ।

ମୋଶାଙ୍କ ବ୍ୟବସ୍ଥା ଓ ପାପ

ତେବେ, ଆମ୍ଭେମାନେ କଅଣ କହିବା? ମୋଶାଙ୍କ ବ୍ୟବସ୍ଥା କଅଣ ପାପ? ତାହା କେବେ ହେଁ ନ ହେଉ। ବରଂ ପାପ କଅଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି। କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋʼ ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ବ୍ୟବସ୍ଥା ବିନା ପାପ ମୃତ। ଆଉ, ମୁଁ ଏ କ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି; ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋʼ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା। କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା। ଅତଏବ, ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ। ତେବେ, ଯାହା ଉତ୍ତମ, ତାହା କି ମୋʼ ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋʼ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ। ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ। କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ। କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ। ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋʼ ଠାରେ ବାସ କରୁଥିବା ପାପ ତାହା କରୁଅଛି। କାରଣ ମୋʼ ଠାରେ, ଅର୍ଥାତ୍‍, ମୋʼ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ। କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ। କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋʼ ଠାରେ ବାସ କରୁଥିବା ପାପ ତାହା କରେ। ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୋʼଠାରେ କାର୍ଯ୍ୟ କରେ, ତାହା ମୁଁ ଦେଖୁଅଛି। କାରଣ ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ବରଙ୍କ ବ୍ୟବସ୍ଥାରେ ଆନନ୍ଦ କରେ, କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ବ୍ୟବସ୍ଥା ଦେଖେ, ତାହା ମୋହର ମନର ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ। ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ବରଙ୍କର ଧନ୍ୟବାଦ ହେଉ। ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ବରଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ବ୍ୟବସ୍ଥାର ଦାସ ଅଟେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.