Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ରୋମୀୟ 12

ଏକ ସଜୀବ ବଳି

ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।

ଅନୁଗ୍ରହର ଦାନ

କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର। କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ, ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ। ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ; କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ; ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ।

ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀର ଲକ୍ଷଣ

ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ; ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର; ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର; ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ; ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ। ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର। ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ। ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର; ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ। ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି,

“ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”

“ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ;

ଯଦି ସେ ତୃଷିତ ତାହାକୁ ପାନ କରାଅ;

କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।”

କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.