Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 96

ସଦାପ୍ରଭୁ ରାଜାଧିରାଜ

ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;

ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର;

ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର।

ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ,

ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ କର।

କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ;

ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ।

କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର;

ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।

ସମ୍ଭ୍ରମ ଓ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ;

ଶକ୍ତି ଓ ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ।

ହେ ନାନା ଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର,

ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।

ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର;

ନୈବେଦ୍ୟ ଆଣ ଓ ତାହାଙ୍କ ପ୍ରାଙ୍ଗଣକୁ ଆସ।

ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର;

ସମୁଦାୟ ପୃଥିବୀ, ତାହାଙ୍କ ଛାମୁରେ କମ୍ପମାନ ହୁଅ।

“ସଦାପ୍ରଭୁ ରାଜ୍ୟ କରନ୍ତି, ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ;

ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ;

ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ।”

ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କର;

ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;

କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ;

ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ;

ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି;

ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି;

ସେ ଧର୍ମରେ ଜଗତର

ଓ ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.