ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 95
ସ୍ତୁତିଗାନ
ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ;
ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ।
ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ,
ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ।
କାରଣ ସଦାପ୍ରଭୁ ମହାନ ପରମେଶ୍ୱର
ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।
ପୃଥିବୀର ଗଭୀର ସ୍ଥାନସବୁ ତାହାଙ୍କ ହସ୍ତଗତ;
ପର୍ବତଗଣର ଶିଖ ମଧ୍ୟ ତାହାଙ୍କର।
ସମୁଦ୍ର ମଧ୍ୟ ତାହାଙ୍କର, ସେ ତାହା ସୃଷ୍ଟି କଲେ;
ପୁଣି, ଶୁଷ୍କ ଭୂମି ତାହାଙ୍କ ହସ୍ତନିର୍ମିତ।
ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ;
ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ;
କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର,
ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ।
ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ।
ଯେପରି ମିରୀବାଃ1 ନିକଟରେ ଉତ୍ତେଜିତ ହେବା ସମୟରେ,
ଯେପରି ପ୍ରାନ୍ତର ମଧ୍ୟରେ ମଃସା2 ନିକଟରେ ପରୀକ୍ଷା ସମୟରେ, ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ;
ସେସମୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ଆମ୍ଭଙ୍କୁ ପରୀକ୍ଷା କଲେ,
ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ ଦେଖିଲେ।
ଆମ୍ଭେ ଚାଳିଶ ବର୍ଷ ଯାଏ ସେହି ବଂଶ ପ୍ରତି ବିରକ୍ତ ଥିଲୁ,
ପୁଣି କହିଲୁ, “ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ
ଓ ସେମାନେ ଆମ୍ଭର ପଥ ଜାଣି ନାହାନ୍ତି;”
ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ
କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ କଲୁ।
Source notes (2)
- Footnote ମିରୀବାଃ ଯାହାର ଅର୍ଥ କଳହ
- Footnote ମଃସା ଯାହାର ଅର୍ଥ ପରୀକ୍ଷା
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.