Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 59

ନିରାପତ୍ତା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।

ହେ ମୋହର ପରମେଶ୍ୱର, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;

ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।

ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର,

ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର।

କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି;

ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି;

ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ।

ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି;

ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର।

ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର,

ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ;

କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। [ସେଲା]

ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତି

ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି।

ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି;

ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ;

କାରଣ ସେମାନେ କହନ୍ତି, “କିଏ ଆମ୍ଭମାନଙ୍କୁ ଶୁଣିବ?”

ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କ ପ୍ରତି ହସିବ;

ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ।

ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି;

କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।

ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ;

ପରମେଶ୍ୱର ମୋʼ ଶତ୍ରୁମାନଙ୍କ ଉପରେ ମୋʼ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।

ସେମାନଙ୍କୁ ବଧ କର ନାହିଁ, କେଜାଣି ମୋʼ ଲୋକମାନେ ପାସୋରି ଯିବେ;

ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୋ,

ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର।

ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ,

ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ

ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।

ଯେପରି ସେମାନେ ଆଉ ନ ଥିବେ,

ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର;

ପୁଣି, ପରମେଶ୍ୱର ଯେ ଯାକୁବ1 ମଧ୍ୟରେ,

ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। [ସେଲା]

ଆଉ, ସେମାନେ ସନ୍ଧ୍ୟା ବେଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତୁ

ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ।

ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ।

ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ।2

ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି

ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି;

କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ।

ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି;

ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।

Source notes (2)
  1. Footnote ଯାକୁବ ଅର୍ଥାତ୍‍ ଇସ୍ରାଏଲ
  2. Footnote ସାରାରାତ୍ରି ରହିବେ। କିମ୍ବା ଅସନ୍ତୋଷ ହେବେ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.