Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 58

ଦୁଷ୍ଟମାନଙ୍କ ଶାସ୍ତି ନିମନ୍ତେ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍।

ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ?

ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ?

ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ କରୁଅଛ;

ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ।

ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ;

ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି।

ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ;

ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ ତୁଲ୍ୟ;

ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର

ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ।

ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ;

ହେ ସଦାପ୍ରଭୋ, ଯୁବା ସିଂହମାନଙ୍କର କଳଦନ୍ତ ଭାଙ୍ଗି ପକାଅ।

ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ;

ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ ଛିନ୍ନ ତୀର ତୁଲ୍ୟ ହେଉ।

ଯେଉଁ ଶାମୁକା ଯାଉ ଯାଉ ତରଳି ଯାଏ

ଓ ସ୍ତ୍ରୀର ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି ପରି ସେମାନେ ହେଉନ୍ତୁ।

ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରିବା ପୂର୍ବରୁ ସେ କଞ୍ଚା

ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ।

ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ;

ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ।

ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି;

ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର ଅଛନ୍ତି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.