Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 37

ଦୁଷ୍ଟର ଦୁର୍ଦ୍ଦଶା ଓ ସନ୍ଥର ସୁଦଶା

ଦାଉଦଙ୍କର ଗୀତ।

ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ

ଆପଣାକୁ ବିରକ୍ତ କର ନାହିଁ,

କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ।

କାରଣ ସେମାନେ ଘାସ ପରି ଶୀଘ୍ର କଟାଯିବେ

ଓ କୋମଳ ତୃଣ ପରି ଶୁଷ୍କ ହେବେ।

ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର;

ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ।

ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର;

ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।

ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର;

ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ।

ଆଉ, ସେ ଦୀପ୍ତି ତୁଲ୍ୟ ତୁମ୍ଭର ଧର୍ମ

ଓ ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ।

ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ;

ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ

ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ।

କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ

ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ।

କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର

ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ।

ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟ ଲୋକ ନ ଥିବ;

ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ।

ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ

ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ।

ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ

ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ।

ପ୍ରଭୁ ତାହାକୁ ଉପହାସ କରିବେ।

କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି।

ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ

ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା

ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି।

ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ

ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।

ଅନେକ ଦୁଷ୍ଟ ଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା

ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।

କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ

ଧାର୍ମିକକୁ ଧରି ରଖିବେ।

ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି

ଓ ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ।

ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ;

ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ।

ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ,

ପୁଣି, ସଦାପ୍ରଭୁଙ୍କ ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ;

ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ ନିଃଶେଷିତ ହୋଇଯିବେ।

ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ।

ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ।

କାରଣ ତାହାଙ୍କର ଆଶୀର୍ବାଦ ପ୍ରାପ୍ତ ଲୋକେ ଦେଶାଧିକାର କରିବେ;

ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ

ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ

ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି।

ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ;

କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି।

ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି;

ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ

ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ।

ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ;

ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।

ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର;

ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ।

କାରଣ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଆନ୍ତି

ଓ ଆପଣା ସଦ୍‍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ;

ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି;

ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ।

ଧାର୍ମିକ ଦେଶାଧିକାର କରିବ

ଓ ସଦାକାଳ ତହିଁରେ ବାସ କରିବ।

ଧାର୍ମିକର ମୁଖ ଜ୍ଞାନର କଥା କହେ

ଓ ତାହାର ଜିହ୍ୱା ନ୍ୟାୟ ବିଚାରର କଥା କହେ।

ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି;

ତାହାର କୌଣସି ପାଦଗତି ଖସିଯିବ ନାହିଁ।

ଦୁଷ୍ଟ ଲୋକ ଧାର୍ମିକକୁ ଜଗି ବସେ

ଓ ତାହାକୁ ବଧ କରିବାକୁ ଚେଷ୍ଟା କରେ।

ସଦାପ୍ରଭୁ ତାହାର ହସ୍ତରେ ତାହାକୁ ଛାଡ଼ି ଦେବେ ନାହିଁ;

କିଅବା ସେ ବିଚାରିତ ହେବା ବେଳେ ତାହାକୁ ଦୋଷୀ କରିବେ ନାହିଁ।

ସଦାପ୍ରଭୁଙ୍କର ଅନୁସରଣ କର ଓ ତାହାଙ୍କ ପଥ ରକ୍ଷା କର,

ତହିଁରେ ସେ ତୁମ୍ଭକୁ ଦେଶାଧିକାର ନିମନ୍ତେ ଉନ୍ନତ କରିବେ;

ଦୁଷ୍ଟମାନେ ଉଚ୍ଛିନ୍ନ ହେବା ସମୟରେ ତୁମ୍ଭେ ତାହା ଦେଖିବ।

ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ

ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି।

ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ, ସେ ନ ଥିଲା;

ଆହୁରି, ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ।

ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ ନିରୀକ୍ଷଣ କର;

କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି।

ମାତ୍ର ଅଧର୍ମାଚାରୀମାନେ ଏକାବେଳେ ବିନଷ୍ଟ ହେବେ;

ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ।

ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ ହୁଏ;

ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି।

ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି;

ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ କରନ୍ତି,

କାରଣ ସେମାନେ ତାହାଙ୍କର ଶରଣାଗତ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.