ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 36
ମନୁଷ୍ୟର ଦୁଷ୍ଟତା
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ।
ଦୁଷ୍ଟର ଅପରାଧ ମୋʼ ହୃଦୟ ମଧ୍ୟରେ କହେ,
ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର।
କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ
ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ।
ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର;
ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।
ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ;
ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ;
ସେ ମନ୍ଦତା ଘୃଣା କରେ ନାହିଁ।
ପରମେଶ୍ୱର ମଙ୍ଗଳମୟ
ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ;
ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ।
ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ;
ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ;
ହେ ସଦାପ୍ରଭୋ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।
ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ!
ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।
ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ;
ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।
କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି;
ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା
ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର।
ଅହଙ୍କାରୀର ଚରଣ ମୋʼ ବିରୁଦ୍ଧରେ ନ ଆସୁ
ଓ ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ।
ହେଇ, ଅଧର୍ମାଚାରୀମାନେ ପତିତ ହେଲେ;
ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.