Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 27

ସ୍ତୁତି ବନ୍ଦନା

ଦାଉଦଙ୍କର ଗୀତ।

ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ;

ମୁଁ କାହାକୁ ଭୟ କରିବି?

ସଦାପ୍ରଭୁ ମୋʼ ଜୀବନର ବଳ;

ମୁଁ କାହାଠାରୁ ଭୀତ ହେବି?

ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ

ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ।

ସୈନ୍ୟଦଳ ମୋʼ ବିରୁଦ୍ଧରେ ଛାଉଣି କଲେ ହେଁ

ମୋହର ଅନ୍ତଃକରଣ ଭୟ କରିବ ନାହିଁ;

ଯଦି ଯୁଦ୍ଧ ମୋʼ ବିରୁଦ୍ଧରେ ଉଠେ,

ତେବେ ମଧ୍ୟ ମୁଁ ସାହସିକ ହେବି।

ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ

ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ

ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି,

ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି,

ତାହା ହିଁ ମୁଁ ଅନ୍ୱେଷଣ କରିବି।

କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ;

ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ;

ସେ ମୋତେ ଶୈଳ ଉପରକୁ ଉଠାଇବେ।

ଏଣୁ ଏବେ ମୋʼ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ;

ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି;

ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

ହେ ସଦାପ୍ରଭୋ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ;

ମୋʼ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ।

ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,”

ମୋʼ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୋ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।”

ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ;

କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ;

ତୁମ୍ଭେ ମୋହର ସହାୟ ହୋଇଅଛ;

ହେ ମୋʼ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।

କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି,

ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

ହେ ସଦାପ୍ରଭୋ, ମୋହର ଶତ୍ରୁଗଣ ସକାଶୁ

ମୋତେ ତୁମ୍ଭର ମାର୍ଗ ଶିଖାଅ;

ଓ ସରଳ ପଥରେ ମୋତେ କଢ଼ାଇ ନିଅ।

ମୋʼ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ;

କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ

ମାରିବା ଲୋକେ ମୋʼ ବିରୁଦ୍ଧରେ ଉଠିଅଛନ୍ତି।

ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି।

ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର;

ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ;

ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.