Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 147

ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ତୁତିଗାନ

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ;

ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ।

ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି;

ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି।

ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି

ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।

ସେ ତାରାଗଣର ସଂଖ୍ୟା କରନ୍ତି;

ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି।

ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ;

ତାହାଙ୍କର ବୁଦ୍ଧି ଅସୀମ।

ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି;

ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।

ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର;

ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;

ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି,

ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି,

ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।

ସେ ପଶୁକୁ ତାହାର ଆହାର ଦିଅନ୍ତି

ଓ ରାବନ୍ତା ଡାମରା କାଉ ଛୁଆମାନଙ୍କୁ ଆହାର ଦିଅନ୍ତି।

ସେ ଅଶ୍ୱର ବଳରେ ସନ୍ତୁଷ୍ଟ ନୁହନ୍ତି;

ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହନ୍ତି।

ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ

ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।

ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର;

ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର;

କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି;

ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି।

ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି;

ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି।

ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି;

ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ।

ସେ ମେଷଲୋମ ପରି ତୁଷାର ଦିଅନ୍ତି;

ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି।

ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି;

ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ?

ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ ପକାନ୍ତି;

ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ।

ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି

ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।

ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି ନାହାନ୍ତି;

ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ ତାହା ଜାଣି ନାହାନ୍ତି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.