Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 146

ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର।

ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି;

ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।

ତୁମ୍ଭେମାନେ ଅଧିପତିମାନଙ୍କ ଉପରେ,

କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ-ସନ୍ତାନ ଉପରେ ନିର୍ଭର କର ନାହିଁ।

ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ;

ସେହି ଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ।

ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ,

ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ;

ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର

ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ;

ସେ ସଦାକାଳ ସତ୍ୟ ପାଳନ କରନ୍ତି;

ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟବିଚାର କରନ୍ତି;

ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି;

ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି।

ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି;

ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି;

ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।

ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି;

ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି;

ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।

ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ,

ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.