Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ହିତୋପଦେଶ 13

ଜ୍ଞାନବାନ

ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣେ;

ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ।

ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳ ଭୋଗ କରେ;

ମାତ୍ର ବିଶ୍ୱାସଘାତକର ପ୍ରାଣ ଦୌରାତ୍ମ୍ୟ ଭୋଗ କରେ।

ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ;

ମାତ୍ର ଯେକେହି ଚିନ୍ତା ନ କରି କଥା କହେ, ତାହାର ବିନାଶ ହେବ।

ଅଳସୁଆ ମନରେ ବାଞ୍ଛା କଲେ ହେଁ କିଛି ପାଏ ନାହିଁ,

ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ।

ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ;

ମାତ୍ର ଦୁଷ୍ଟ ଲୋକ ଦୁର୍ଗନ୍ଧ ସ୍ୱରୂପ, ଆଉ ସେ ଲଜ୍ଜା ଭୋଗ କରେ।

ଧାର୍ମିକତା ସରଳ-ପଥଗାମୀକୁ ରକ୍ଷା କରେ;

ମାତ୍ର ଦୁଷ୍ଟତା ପାପୀକୁ ଓଲଟାଇ ପକାଏ।

କେହି ଆପଣାକୁ ଧନୀ ଦେଖାଏ, କିନ୍ତୁ ତାହାର କିଛି ହିଁ ନାହିଁ;

କେହି ବା ଆପଣାକୁ ଦରିଦ୍ର ଦେଖାଏ, କିନ୍ତୁ ତାହାର ମହାଧନ ଅଛି।

ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ୍ତ ସ୍ୱରୂପ;

ମାତ୍ର ଦରିଦ୍ର ଲୋକ ଧମକ ଶୁଣେ ନାହିଁ।

ଧାର୍ମିକର ଦୀପ୍ତି ଆନନ୍ଦ କରେ;

ମାତ୍ର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।

ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ;

ମାତ୍ର ସୁପରାମର୍ଶ-ଗ୍ରାହକଠାରେ ଜ୍ଞାନ ଅଛି।

ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ,

ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ।

ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ;

ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ।

ଯେଉଁ ଲୋକ ଉପଦେଶ ତୁଚ୍ଛ କରେ, ସେ ଆପଣା ଉପରକୁ ବିନାଶ ଆଣେ;

ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ।

ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ

ଜ୍ଞାନବାନ‍ର ବ୍ୟବସ୍ଥା ଜୀବନ-ଝର ସ୍ୱରୂପ ଅଟେ।

ସୁବୁଦ୍ଧିର ଫଳ ଅନୁଗ୍ରହ,

ମାତ୍ର ବିଶ୍ୱାସଘାତକର ପଥ କଠିନ ଅଟେ।

ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ;

ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।

ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ;

ମାତ୍ର ବିଶ୍ୱସ୍ତ ଦୂତ ସ୍ୱାସ୍ଥ୍ୟଜନକ।

ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ;

ମାତ୍ର ଯେ ଅନୁଯୋଗ ଘେନେ, ସେ ମର୍ଯ୍ୟାଦା ପାଇବ।

ବାଞ୍ଛାସିଦ୍ଧି ପ୍ରାଣକୁ ମିଷ୍ଟ ଲାଗେ;

ପୁଣି, ମନ୍ଦ ତ୍ୟାଗ କରିବାର ମୂର୍ଖ ଲୋକର ଘୃଣା ବିଷୟ।

ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ;

ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ।

ପାପୀମାନଙ୍କ ପଛେ ମନ୍ଦ ଗୋଡ଼ାଏ;

ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ।

ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ;

ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

ଦରିଦ୍ରର ଚାଷ ଦ୍ୱାରା ଖାଦ୍ୟର ବାହୁଲ୍ୟ ହୁଏ;

ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ।

ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ;

ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ।

ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ,

ମାତ୍ର ପାପୀର ଉଦର ଅତୃପ୍ତ ଥାଏ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.