Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ମାଥିଉ 7

ଅନ୍ୟର ବିଚାର ନ କରିବା

(ଲୂକ 6:37,41,42)

ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ। କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ। ଆଉ କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ? ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ। ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହିସବୁ ସେମାନଙ୍କ ପାଦ ତଳେ ଦଳି ଦେବେ ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିଦେବେ।

ମାଗ, ଖୋଜ ଓ ଦ୍ୱାରରେ ଆଘାତ କର

(ଲୂକ 11:9-13)

ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ଆଘାତ କର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ଆଘାତ କରେ, ତାହା ନିମନ୍ତେ ଫିଟାଇ ଦିଆଯିବ। କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ, କିଅବା ମାଛ ମାଗିଲେ ତାହାକୁ ସର୍ପ ଦେବ? ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!

ଧର୍ମଶାସ୍ତ୍ରର ସାର

(ଲୂକ 13:24)

ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ।

ଗଛ ଓ ତାʼ ଫଳ

(ଲୂକ 6:43-44,46; 13:25-27)

ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସକ ବାଘ! ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି? ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ। ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ। ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ।

ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ

(ମାଥିଉ 25:12; ଯିଶାଇୟ 29:13)

ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ସେ ଦିନ ଅନେକେ ମୋତେ କହିବେ, ‘ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ?’ ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ‘ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ।’

ଦୁଇ ଗୃହ ନିର୍ମାଣକାରୀ

(ଲୂକ 6:47-49)

ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ। ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା। ଆଉ ଯେ କେହି ମୋହର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୂର୍ଖ ଲୋକ ଭଳି ହେବ। ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା।”

ଯୀଶୁଙ୍କର ଅଧିକାର

(ମାଥିଉ 13:54; 22:33; ଲୂକ 4:22,32; ମାର୍କ 6:2)

ଯୀଶୁ ଏହିସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.