ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଯିହୋଶୂୟ 16
ଇଫ୍ରୟିମ ଓ ମନଃଶିଙ୍କ ବାଣ୍ଟ
ପୂର୍ବଦିଗସ୍ଥିତ ଯିରୀହୋର ଜଳ ନିକଟବର୍ତ୍ତୀ ଯିରୀହୋ ସନ୍ନିକଟ ଯର୍ଦ୍ଦନ ଅବଧି ଯିରୀହୋଠାରୁ ପର୍ବତମୟ ଦେଶ ଦେଇ ବେଥେଲ୍କୁ ଉର୍ଦ୍ଧ୍ବଗାମୀ ପ୍ରାନ୍ତର ଯୋଷେଫ-ସନ୍ତାନମାନଙ୍କ ବାଣ୍ଟ ହେଲା। ତହୁଁ ସେ ସୀମା ବେଥେଲ୍ଠାରୁ ଲୂସ୍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରୋତ୍କୁ ଗଲା; ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବେଥ୍-ହୋରଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଏହିରୂପେ ଯୋଷେଫର ସନ୍ତାନ ମନଃଶି ଓ ଇଫ୍ରୟିମ ଆପଣା ଆପଣା ଅଧିକାର ଗ୍ରହଣ କଲେ।
ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବ ଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା। ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ମଥତ୍ ଉତ୍ତରରେ ବାହାରିଗଲା; ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍ଶୀଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବ ଦିଗରେ ଯାନୋହକୁ ଗଲା। ପୁଣି ଯାନୋହଠାରୁ ଅଟାରୋତ୍ ଓ ନାରା ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା। ତହୁଁ ସେ ସୀମା ତପୂହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର। ଏହାଛଡ଼ା ମନଃଶି-ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ-ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା। ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.