Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିହୋଶୂୟ 1

ଯିହୋଶୂୟଙ୍କୁ ସଦାପ୍ରଭୁଙ୍କ କର୍ତ୍ତୃତ୍ୱ ଓ ଅଧିକାର

ସଦାପ୍ରଭୁଙ୍କ ସେବକ ମୋଶାଙ୍କର ମୃତ୍ୟୁୁ ଉତ୍ତାରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ, “ଆମ୍ଭର ସେବକ ମୋଶା ମରିଅଛି, ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ। ଯେ ଯେ ସ୍ଥାନରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେସବୁ ସ୍ଥାନ ମୋଶା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। ପ୍ରାନ୍ତର ଓ ଏହି ଲିବାନୋନଠାରୁ ମହାନଦୀ, ଅର୍ଥାତ୍‍, ଫରାତ୍‍ ନଦୀ ପର୍ଯ୍ୟନ୍ତ ହିତ୍ତୀୟମାନଙ୍କ ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। ତୁମ୍ଭର ଯାବଜ୍ଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇ ପାରିବ ନାହିଁ; ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା; ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ, କି ତୁମ୍ଭକୁ ତ୍ୟାଗ କରିବା ନାହିଁ। ତୁମ୍ଭେ ବଳବାନ ଓ ସାହସିକ ହୁଅ; କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ। ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ; ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ। ଏହି ବ୍ୟବସ୍ଥା-ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ। ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”

ଯିହୋଶୂୟଙ୍କର ଦାୟିତ୍ୱ ଗ୍ରହଣ

ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ, “ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ପାଥେୟ ସାମଗ୍ରୀ ପ୍ରସ୍ତୁତ କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତିନି ଦିନ ମଧ୍ୟରେ ତୁମ୍ଭମାନଙ୍କୁ ଏହି ଯର୍ଦ୍ଦନ ପାର ହୋଇ ଯିବାକୁ ହେବ।’”

ଆଉ ଯିହୋଶୂୟ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ବିଶ୍ରାମ ପ୍ରଦାନ କରି ଏହି ଦେଶ ଦେବେ, ଏହା କହି ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ କଥା ଆଜ୍ଞା ଦେଇଥିଲେ, ତାହା ସ୍ମରଣ କର। ମୋଶା ଯର୍ଦ୍ଦନର ପୂର୍ବପାରିରେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାରେ ତୁମ୍ଭମାନଙ୍କର ସ୍ତ୍ରୀଲୋକ ଓ ବାଳକ ଓ ପଶୁମାନେ ରହିବେ; ମାତ୍ର ତୁମ୍ଭେମାନେ, ତୁମ୍ଭମାନଙ୍କ ମହାବିକ୍ରମଶାଳୀ ଲୋକମାନେ, ସସଜ୍ଜ ହୋଇ ଆପଣା ଭାଇମାନଙ୍କ ଆଗେ ଆଗେ ପାର ହୋଇଯିବ, ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି, ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବା ଯାଏ, ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି, ତାହା ସେମାନେ ଅଧିକାର କରିବା ଯାଏ ତୁମ୍ଭେମାନେ ସେମାନଙ୍କର ଉପକାର କରିବ; ତହିଁ ଉତ୍ତାରେ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ସେହି ଅଧିକୃତ ଦେଶକୁ ଫେରିଆସି ତାହା ଅଧିକାର କରିବ।” ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର ଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିଅଛ, ତାହାସବୁ ଆମ୍ଭେମାନେ କରିବୁ ଓ ତୁମ୍ଭେ ଆମ୍ଭମାନଙ୍କୁ ଯେକୌଣସି ସ୍ଥାନକୁ ପଠାଇବ; ଆମ୍ଭେମାନେ ସେସ୍ଥାନକୁ ଯିବୁ। ଆମ୍ଭେମାନେ ସବୁ ବିଷୟରେ ଯେପରି ମୋଶାଙ୍କର କଥା ଶୁଣୁଥିଲୁ, ସେପରି ଆମ୍ଭେମାନେ ତୁମ୍ଭ କଥା ଶୁଣିବୁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେପରି ମୋଶାଙ୍କ ସଙ୍ଗରେ ଥିଲେ, ସେପରି ସେ ତୁମ୍ଭ ସଙ୍ଗରେ ହେଉନ୍ତୁ। ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ଡ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।”

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.