Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଆୟୁବ 20

ସୋଫର - ଦୁଷ୍ଟ ଦୁଃଖଭୋଗ କରନ୍ତି

ଏଥିଉତ୍ତାରେ ନାମାଥୀୟ ସୋଫର ଉତ୍ତର କରି କହିଲା,

“ଏଥିପାଇଁ ମୋର ଅନ୍ତରସ୍ଥ ଚଞ୍ଚଳତା

ସକାଶୁ ମୋହର ଚିନ୍ତା ମୋତେ ଉତ୍ତର ଦିଏ।

ମୁଁ ଯେଉଁ ଅନୁଯୋଗ ଶୁଣିଲି, ତାହା ମୋତେ ଲଜ୍ଜିତ କରେ

ଏବଂ ମୋହର ବୁଦ୍ଧିବିଶିଷ୍ଟ ଆତ୍ମା ମୋତେ ଉତ୍ତର ଦିଏ।

ତୁମ୍ଭେ କʼଣ ଏହା ଜାଣ ନାହିଁ ଯେ, ପୁରାତନ କାଳରୁ,

ପୃଥିବୀରେ ମନୁଷ୍ୟର ସ୍ଥାପନଠାରୁ

ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ

ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?

ଯଦ୍ୟପି ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠେ

ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ;

ତଥାପି ସେ ଆପଣା ମଳ ତୁଲ୍ୟ ଅନନ୍ତକାଳ ନଷ୍ଟ ହେବ;

ଯେଉଁମାନେ ତାହାକୁ ଦେଖିଥିଲେ, ସେମାନେ କହିବେ, ସେ କାହିଁ?

ସେ ସ୍ୱପ୍ନ ତୁଲ୍ୟ ଉଡ଼ିଯିବ, ଆଉ ଦେଖାଯିବ ନାହିଁ;

ହଁ, ସେ ରାତ୍ରିକାଳୀନ ଦର୍ଶନ ତୁଲ୍ୟ ଦୂରୀକୃତ ହେବ।

ଯେଉଁ ଚକ୍ଷୁ ତାହାକୁ ଦେଖିଲା, ଆଉ ତାହାକୁ ଦେଖିବ ନାହିଁ;

କିଅବା ତାହାର ବାସସ୍ଥାନ ତାହାକୁ ଆଉ ଦେଖିବ ନାହିଁ।

ତାହାର ସନ୍ତାନଗଣ ଦରିଦ୍ରମାନଙ୍କର ଅନୁଗ୍ରହ ଚେଷ୍ଟା କରିବେ

ଓ ତାହାର ସନ୍ତାନଗଣ1 ତାହାର ସମ୍ପତ୍ତି ଫେରାଇ ଦେବେ।

ତାହାର ଅସ୍ଥି ତାହାର ଯୌବନରେ ପରିପୂର୍ଣ୍ଣ,

ମାତ୍ର ତାହା ତାହା ସଙ୍ଗେ ଧୂଳିରେ ଶୟନ କରିବ।

ଯଦ୍ୟପି ଦୁଷ୍ଟତା ତାହାର ମୁଖକୁ ସୁମିଷ୍ଟ ଲାଗେ,

ଯଦ୍ୟପି ସେ ଆପଣା ଜିହ୍ୱା ତଳେ ତାହା ଲୁଚାଇ ରଖେ;

ଯଦ୍ୟପି ସେ ତାହା ଯାକି ରଖି ନ ଛାଡ଼େ,

ମାତ୍ର ଆପଣା ମୁଖ ମଧ୍ୟରେ ରଖିଥାଏ;

ତଥାପି ତାହାର ଆହାର ଉଦରରେ ବିକୃତ ହୁଏ,

ତାହା ତାହାର ଅନ୍ତରରେ କାଳସର୍ପର ଗରଳ ସ୍ୱରୂପ।

ସେ ଧନ ଗ୍ରାସ କରିଅଛି ଓ ସେ ପୁନର୍ବାର ତାହା ଉଦ୍ଗାର କରିବ;

ପରମେଶ୍ୱର ତାହାର ଉଦରରୁ ତାହାସବୁ ଦୂର କରିବେ।

ସେ କାଳସର୍ପର ବିଷ ଚୁଷିବ;

ବିଷଧରର ଜିହ୍ୱା ତାହାକୁ ବଧ କରିବ।

ସେ ନଦୀମାନ, ଅର୍ଥାତ୍‍, ମଧୁ

ଓ ନବନୀତ ପ୍ରବାହୀ ସ୍ରୋତମାନ ଦେଖିବ ନାହିଁ।

ସେ ଯହିଁ ପାଇଁ ପରିଶ୍ରମ କଲା, ତାହା ଫେରାଇ ଦେବ ଓ ଗ୍ରାସ କରିବ ନାହିଁ;

ସେ ଆପଣା ପ୍ରାପ୍ତ ସମ୍ପତ୍ତି ଅନୁସାରେ ଆନନ୍ଦ କରିବ ନାହିଁ।

କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି;

ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।

ସେ ଆପଣା ଅନ୍ତରରେ କିଛି ଶାନ୍ତି ପାଇଲା ନାହିଁ,

ଏଣୁ ସେ ଆପଣା ଇଷ୍ଟ ବସ୍ତୁରୁ କିଛି ହିଁ ରକ୍ଷା କରି ପାରିବ ନାହିଁ।

ଯାହା ସେ ଗ୍ରାସ କଲା ନାହିଁ, ଏପରି କିଛି ନ ଥିଲା;

ଏହେତୁ ତାହାର ସୁଦଶା ସ୍ଥାୟୀ ରହିବ ନାହିଁ।

ସେ ଆପଣା ପ୍ରଚୁରତାର ପୂର୍ଣ୍ଣତାରେ କଷ୍ଟ ଭୋଗ କରିବ;

ଦୁର୍ଦ୍ଦଶାଗ୍ରସ୍ତ ପ୍ରତ୍ୟେକର ହସ୍ତ ତାହାକୁ ଆକ୍ରମଣ କରିବ।

ସେ ଆପଣା ଉଦର ପୂର୍ଣ୍ଣ କରିବାକୁ ଉଦ୍ୟତ ହେବା ସମୟରେ

ପରମେଶ୍ୱର ତାହା ଉପରେ ଆପଣା କୋପର ପ୍ରଚଣ୍ଡତା ନିକ୍ଷେପ କରିବେ

ଓ ସେ ଭୋଜନ କରୁଥିବା ସମୟରେ ତାହା ଉପରେ ତାହା ବୃଷ୍ଟି କରିବେ।

ସେ ଲୌହ ଅସ୍ତ୍ର ନିକଟରୁ ପଳାଇବ,

ଆଉ ପିତ୍ତଳଧନୁର ତୀର ତାହାକୁ ବିଦ୍ଧ କରିବ।

ସେ ତାହା ଟାଣେ ଓ ତାହା ତାହାର ଶରୀରରୁ ବାହାରି ଆସେ;

ହଁ, ତାହାର ପିତ୍ତସ୍ଥଳୀରୁ ତେଜସ୍କର ତୀରାଗ୍ର ନିର୍ଗତ ହୁଏ;

ସେ ନାନା ଭୟରେ ଆକ୍ରାନ୍ତ।

ସମୁଦାୟ ଅନ୍ଧକାର ତାହାର ଧନ ରୂପେ ସଞ୍ଚିତ ହୁଏ;

ମନୁଷ୍ୟର ଅଫୁଙ୍କା ଅଗ୍ନି ତାହାକୁ ଗ୍ରାସ କରିବ;

ତାହା ତାହାର ତମ୍ବୁରେ ଅବଶିଷ୍ଟସକଳ ଭସ୍ମ କରିବ।

ଆକାଶମଣ୍ଡଳ ତାହାର ଅଧର୍ମ ପ୍ରକାଶ କରିବ

ଓ ପୃଥିବୀ ତାହାର ବିପକ୍ଷରେ ଉଠିବ।

ତାହାର ଗୃହର ସମ୍ପତ୍ତି ଉଡ଼ିଯିବ,

ପରମେଶ୍ୱରଙ୍କ କ୍ରୋଧର ଦିନରେ ତାହାର ସର୍ବସ୍ୱ ବହିଯିବ।

ପରମେଶ୍ୱରଙ୍କଠାରୁ ଦୁଷ୍ଟ ଲୋକର ଏହି ବାଣ୍ଟ

ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କ ନିରୂପିତ ଅଧିକାର।”

Source notes (1)
  1. Footnote ତାହାର ସନ୍ତାନଗଣ କିମ୍ବା ତାହାର ହସ୍ତ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.