Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଆୟୁବ 19

ଆୟୁବ - ମୋହର ମୁକ୍ତିକର୍ତ୍ତା ଜୀବିତ

ଏଥିରେ ଆୟୁବ ଉତ୍ତର କରି କହିଲା,

“ତୁମ୍ଭେମାନେ କେତେ କାଳ ମୋʼ ପ୍ରାଣକୁ ବିରକ୍ତ କରିବ

ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ?

ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି,

ମୋʼ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ।

ହେଉ, ମୁଁ ଭ୍ରମ କରିଅଛି,

ମୋହର ଭ୍ରମ ମୋʼ ସଙ୍ଗେ ଥାଏ।

ଯଦି ତୁମ୍ଭେମାନେ ନିତାନ୍ତ ମୋʼ ଉପରେ ଆପଣାମାନଙ୍କୁ ବଡ଼ କରିବ

ଓ ମୋʼ ବିରୁଦ୍ଧରେ ମୋʼ ଗ୍ଳାନିର ପ୍ରତିବାଦ କରିବ;

ତେବେ ଜାଣ ଯେ, ପରମେଶ୍ୱର ମୋʼ ବିଷୟରେ ବିପରୀତ କରିଅଛନ୍ତି

ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି।

ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ;

ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ।

ସେ ମୋʼ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ

ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି।

ସେ ମୋʼ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି

ଓ ମୋʼ ମସ୍ତକରୁ ମୁକୁଟ ନେଇଅଛନ୍ତି।

ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି

ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି।

ମଧ୍ୟ ସେ ମୋʼ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି

ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି।

ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି

ଓ ମୋʼ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି

ଓ ମୋʼ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି।

ସେ ମୋହର ଜ୍ଞାତିମାନଙ୍କୁ ମୋʼ ଠାରୁ ଦୂର କରିଅଛନ୍ତି

ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।

ମୋʼ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି

ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି।

ମୋʼ ଗୃହନିବାସୀମାନେ ଓ ମୋʼ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି;

ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି।

ମୁଁ ଆପଣା ଦାସକୁ ଡାକିଲେ

ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ।

ମୋʼ ନିଶ୍ୱାସ ମୋʼ ଭାର୍ଯ୍ୟା ପ୍ରତି

ଓ ମୋʼ ନିବେଦନ ମୋʼ ସହୋଦର ପ୍ରତି ଘୃଣିତ।

ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି;

ମୁଁ ଉଠିଲେ, ସେମାନେ ମୋʼ ବିରୁଦ୍ଧରେ କଥା କହନ୍ତି।

ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି

ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି।

ମୋʼ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି

ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।

ହେ ମୋହର ମିତ୍ରମାନେ, ମୋʼ ପ୍ରତି ଦୟା କର, ମୋʼ ପ୍ରତି ଦୟା କର;

କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି।

ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ

ଓ ମୋʼ ମାଂସରେ ତୃପ୍ତ ହେଉ ନାହଁ?

ଆହା, ଏବେ ମୋʼ କଥାସବୁ ଯେବେ ଲେଖାଯାʼନ୍ତା!

ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା!

ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା

ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା!

ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି

ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;

ପୁଣି, ମୋହର ଚର୍ମ ଏହିରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ

ମୁଁ ମାଂସବିହୀନ1 ହୋଇ ପରମେଶ୍ୱରଙ୍କୁ ଦେଖିବି;

ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି,

ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ।

ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।

ମୋʼ ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ,

ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା?

ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ;

କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ;

ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।”

Source notes (1)
  1. Footnote ମାଂସବିହୀନ କିମ୍ବା ମାଂସରେ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.