Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିରି. 10

ପ୍ରତିମା ପୂଜା ଓ ସତ୍ୟ ଈଶ୍ୱରଙ୍କ ପୂଜା

ହେ ଇସ୍ରାଏଲ ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ;

ସଦାପ୍ରଭୁ ଏହି କଥା କହନ୍ତି,

“ତୁମ୍ଭେମାନେ ଅନ୍ୟଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ,

ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ,

କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।

ଅନ୍ୟଦେଶୀୟମାନଙ୍କର ବିଧିସକଳ ଅସାର;

ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ।

ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି;

ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ;

ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ।

ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରିପାରନ୍ତି ନାହିଁ

କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ।”

ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ;

ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ।

ହେ ସର୍ବଦେଶୀୟମାନଙ୍କର ରାଜନ୍‍, ତୁମ୍ଭଙ୍କୁ କିଏ ଭୟ ନ କରିବ?

କାରଣ ତାହା ତୁମ୍ଭର ପ୍ରାପ୍ୟ;

ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ

ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।

ସେମାନେ ସମସ୍ତେ ପଶୁବତ୍‍ ଓ ଅଜ୍ଞାନ ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର।

ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ,

ତାହା କାରିଗରର କର୍ମ ଓ ସ୍ୱର୍ଣ୍ଣକାରର ହସ୍ତନିର୍ମିତ;

ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତ କର୍ମ।

ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି;

ସେ ଜୀବିତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା;

ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ,

ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।

ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ,

“ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି,

ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।”

ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି,

ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି

ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;

ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି,

ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ,

ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି;

ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି

ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।

ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ଓ ଜ୍ଞାନହୀନ ହୋଇଅଛି;

ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି;

କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ।

ସେସବୁ ଅସାର ଓ ଭ୍ରାନ୍ତିର କର୍ମ;

ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।

ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏମାନଙ୍କ ପରି ନୁହନ୍ତି;

କାରଣ ସେ ସର୍ବ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ ବଂଶ ତାହାଙ୍କର ଅଧିକାର ସ୍ୱରୂପ;

ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।

ହେ ଅବରୁଦ୍ଧ ସ୍ଥାନ ନିବାସୀନ୍‍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।

କାରଣ ସଦାପ୍ରଭୁ ଏହି କଥା କହନ୍ତି,

“ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା

ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।”

ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ;

ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।”

ମୋର ତମ୍ବୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ଡି ଯାଇଅଛି;

ମୋର ବାଳକମାନେ ମୋʼ ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି,

ମୋର ତମ୍ବୁ ଆଉ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହିଁ।

କାରଣ ପାଳକଗଣ ପଶୁବତ୍‍ ହୋଇଅଛନ୍ତି

ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି;

ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି।

କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି,

ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ

ଉତ୍ତର ଦେଶରୁ ମହାଚହଳ ଆସୁଅଛି।

ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ;

ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ।

ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର;

କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ।

ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ

ଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ,

ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ;

କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି,

ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତି

ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.