Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଆଦି ପୁସ୍ତକ 5

ଆଦମଙ୍କର ବଂଶଧର

ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ।

ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ। ଶେଥର ଜନ୍ମ ଉତ୍ତାରେ ଆଦମ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ। ଆଦମଙ୍କର ବୟସ ସର୍ବସୁଦ୍ଧା ନଅ ଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ।

ଶେଥ ଶହେ ପାଞ୍ଚ ବର୍ଷ ବୟସରେ ଈନୋଶକୁ ଜାତ କଲା; ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠ ଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା। ଶେଥର ବୟସ ସର୍ବସୁଦ୍ଧା ନଅ ଶହ ବାର ବର୍ଷ ଥିଲା; ତହୁଁ ସେ ମଲା।

ଈନୋଶ ନବେ ବର୍ଷ ବୟସରେ କୟିନାନକୁ ଜାତ କଲା; ପୁଣି, କୟିନାନର ଜନ୍ମ ଉତ୍ତାରେ ସେ ଆଠ ଶହ ପନ୍ଦର ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; ଈନୋଶର ବୟସ ସର୍ବସୁଦ୍ଧା ନଅ ଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା।

କୟିନାନ ସତୁରି ବର୍ଷ ବୟସରେ ମହଲଲେଲକୁ ଜାତ କଲା; ମହଲଲେଲ ଜନ୍ମିଲା ଉତ୍ତାରେ ସେ ଆଠ ଶହ ଚାଳିଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟାମାନଙ୍କୁ ଜାତ କଲା; ଆଉ କୟିନାନର ବୟସ ସର୍ବସୁଦ୍ଧା ନଅ ଶହ ଦଶ ବର୍ଷ ଥିଲା; ତହୁଁ ସେ ମଲା।

ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦକୁ ଜାତ କଲା; ଯେରଦ ଜନ୍ମିଲା ଉତ୍ତାରେ ସେ ଆଠ ଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; ମହଲଲେଲର ବୟସ ସର୍ବସୁଦ୍ଧା ଆଠ ଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା।

ଯେରଦ ଶହେ ବାଷଠି ବର୍ଷ ବୟସରେ ହନୋକଙ୍କୁ ଜାତ କଲା; ହନୋକଙ୍କର ଜନ୍ମ ଉତ୍ତାରେ ସେ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; ଯେରଦର ବୟସ ସର୍ବସୁଦ୍ଧା ନଅ ଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା।

ହନୋକ ପଞ୍ଚଷଠି ବର୍ଷ ବୟସରେ ମଥୂଶେଲହକୁ ଜାତ କଲେ; ମଥୂଶେଲହର ଜନ୍ମ ଉତ୍ତାରେ ହନୋକ ତିନି ଶହ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ପୁଣି, ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ; ହନୋକଙ୍କର ବୟସ ସର୍ବସୁଦ୍ଧା ତିନି ଶହ ପଞ୍ଚଷଠି ବର୍ଷ ଥିଲା; ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ।

ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା; ଲେମକର ଜନ୍ମ ଉତ୍ତାରେ ମଥୂଶେଲହ ସାତ ଶହ ବୟାଅଶୀ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; ମଥୂଶେଲହର ବୟସ ସର୍ବସୁଦ୍ଧା ନଅ ଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା।

ଲେମକ ଶହେ ବୟାଅଶୀ ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ (ସାନ୍ତ୍ୱନା) ଦେଲେ, ଯେହେତୁ ସେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଳେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ।”

ନୋହଙ୍କର ଜନ୍ମ ଉତ୍ତାରେ ଲେମକ ପାଞ୍ଚ ଶହ ପଞ୍ଚାନବେ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ; ତାଙ୍କର ବୟସ ସର୍ବସୁଦ୍ଧା ସାତ ଶହ ସତସ୍ତରି ବର୍ଷ ଥିଲା; ତହୁଁ ସେ ମଲେ।

ଆଉ ନୋହଙ୍କୁ ପାଞ୍ଚ ଶହ ବର୍ଷ ବୟସ ହେଲା; ଆଉ ନୋହ, ଶେମ ଓ ହାମ ଓ ଯେଫତ୍‍କୁ ଜାତ କଲେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.