Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିହିଜିକଲ 7

ସଦାପ୍ରଭୁଙ୍କ କ୍ରୋଧର ଦିନ

ଆହୁରି, ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା; “ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି;

ଅନ୍ତିମକାଳ, ଦେଶର ଚାରି କୋଣରେ ଅନ୍ତିମକାଳ ଉପସ୍ଥିତ ହୋଇଅଛି।

ଏବେ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା

ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

ଆମ୍ଭେ ତୁମ୍ଭ ପ୍ରତି ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଆମ୍ଭେ ଦୟା କରିବା ନାହିଁ; ମାତ୍ର ତୁମ୍ଭ ଆଚରଣର ଫଳ ଆମ୍ଭେ ତୁମ୍ଭ ଉପରେ ବର୍ତ୍ତାଇବା

ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସବୁ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।

ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି;

ଅମଙ୍ଗଳ ହିଁ ଅମଙ୍ଗଳ; ଦେଖ, ତାହା ଆସୁଅଛି।

ଅନ୍ତିମକାଳ ଉପସ୍ଥିତ, ସେହି ଅନ୍ତିମକାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି; ଦେଖ, ତାହା ଆସୁଅଛି।

ହେ ଦେଶ ନିବାସୀ ଲୋକ, ତୁମ୍ଭର ଶେଷ ବିଚାରାଜ୍ଞା ଉପସ୍ଥିତ,

ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ; ତାହା କୋଳାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ।

ଏବେ ଆମ୍ଭେ ଅବିଳମ୍ବରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳି ଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା,

ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା; ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

ପୁଣି, ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; କିଅବା ଦୟା କରିବା ନାହିଁ; ଆମ୍ଭେ ତୁମ୍ଭର ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା

ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ।

ଦେଖ, ସେହି ଦିନ, ଦେଖ, ତାହା ଆସୁଅଛି; ତୁମ୍ଭର ଶେଷ ବିଚାରାଜ୍ଞା ନିର୍ଗତ ହେଲା;

ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି।

ଦୌରାତ୍ମ୍ୟ ବଢ଼ି ଉଠି ଦୁଷ୍ଟତାରୂପ ଯଷ୍ଟି ହୋଇଅଛି;

ସେମାନଙ୍କର କେହି କିଅବା ସେମାନଙ୍କର ଲୋକସମୂହ କିଅବା ସେମାନଙ୍କର ଧନ ରହିବ ନାହିଁ; ଅଥବା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତା ରହିବ ନାହିଁ।

ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି; କ୍ରୟକାରୀ ଆନନ୍ଦ ନ କରୁ

ଓ ବିକ୍ରୟକାରୀ ଶୋକ ନ କରୁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ କୋପ ଉପସ୍ଥିତ।

ଯେହେତୁ ସେମାନେ ଜୀବିତ ଥିଲେ ହେଁ ବିକ୍ରୟକାରୀ ବିକ୍ରୀତ ଅଧିକାରକୁ ଫେରିଯିବ ନାହିଁ;

କାରଣ ଏହି ଦର୍ଶନ ସେହି ସ୍ଥାନସ୍ଥ ସମୁଦାୟ ଲୋକସମୂହ ବିଷୟକ ଅଟେ, କେହି ଫେରିଯିବେ ନାହିଁ;

ପୁଣି, ଆପଣା ଜୀବନର ଅଧର୍ମରେ କେହି ଆପଣାକୁ ସବଳ କରିବେ ନାହିଁ।

ସେମାନେ ତୂରୀ ବଜାଇ ସବୁ ପ୍ରସ୍ତୁତ କରିଅଛନ୍ତି; ମାତ୍ର କେହି ଯୁଦ୍ଧକୁ ଯାଏ ନାହିଁ;

କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ ଆମ୍ଭର କୋପ ଅଛି।

ଇସ୍ରାଏଲର ପାପର ଶାସ୍ତି

ବାହାରେ ଖଡ୍ଗ, ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି;

ଯେଉଁ ଲୋକ କ୍ଷେତ୍ରରେ ଅଛି, ସେ ଖଡ୍ଗରେ ମରିବ ଓ ଯେ ନଗର ମଧ୍ୟରେ ଅଛି, ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ।

ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି, ସେମାନେ ରକ୍ଷା ପାଇବେ

ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ, ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ।

ସମସ୍ତଙ୍କର ହସ୍ତ ଦୁର୍ବଳ ହେବ, ସମସ୍ତଙ୍କର ଆଣ୍ଠୁ ଜଳ ପରି ଦୁର୍ବଳ ହେବ।

ମଧ୍ୟ ସେମାନେ କଟିଦେଶରେ ଚଟବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ;

ଆଉ, ସମସ୍ତଙ୍କ ମୁଖ ଲଜ୍ଜିତ ହେବ ଓ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ।

ସେମାନେ ଆପଣା ଆପଣା ରୂପା ଦାଣ୍ଡରେ ପକାଇଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ;

ସଦାପ୍ରଭୁଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ;

ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିଅବା ଉଦର ପୂର୍ଣ୍ଣ କରିବ ନାହିଁ; କାରଣ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି।

ସେ ଆପଣାର ଶୋଭାରୂପ ଅଳଙ୍କାର ମହତ୍ତ୍ୱରେ ସ୍ଥାପନ କଲେ; ମାତ୍ର ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ;

ଏହେତୁ ଆମ୍ଭେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ୱରୂପ କରିଅଛୁ।

ପୁଣି, ଆମ୍ଭେ ତାହା ମୃଗୟା ସ୍ୱରୂପେ ବିଦେଶୀମାନଙ୍କର ଓ ଲୁଟିତ ଦ୍ରବ୍ୟ ସ୍ୱରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା;

ତହିଁରେ ସେମାନେ ତାହା ଅପବିତ୍ର କରିବେ।

ଆହୁରି, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା, ତହିଁରେ ସେମାନେ ଆମ୍ଭର ନିଭୃତ ସ୍ଥାନ ଅପବିତ୍ର କରିବେ;

ଆଉ, ଡକାୟତମାନେ ତହିଁ ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।

ଶିକୁଳି ପ୍ରସ୍ତୁତ କର; କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ

ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ଅଟେ।

ଏଥିପାଇଁ ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଦୁଷ୍ଟତମ ଲୋକଙ୍କୁ ଆଣିବା, ତହିଁରେ ସେମାନେ ଏମାନଙ୍କର ଗୃହସବୁ ଅଧିକାର କରିବେ;

ମଧ୍ୟ ଆମ୍ଭେ ବଳବାନମାନଙ୍କର ଦର୍ପ ଚୂର୍ଣ୍ଣ କରିବା; ତହିଁରେ ସେମାନଙ୍କର ପବିତ୍ର ସ୍ଥାନସବୁ ଅପବିତ୍ର ହେବ।

ବିନାଶ ଆସୁଅଛି; ସେମାନେ ଶାନ୍ତି ଅନ୍ଵେଷଣ କରିବେ; ପୁଣି, କିଛି ପାଇବେ ନାହିଁ।

ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ;

ତହିଁରେ ସେମାନେ ଭବିଷ୍ୟଦ୍‍ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ।

ରାଜା ଶୋକ କରିବ ଓ ଅଧିପତି ଉତ୍ସନ୍ନତାରୂପ ବସ୍ତ୍ରରେ ପରିହିତ ହେବ

ଓ ଦେଶସ୍ଥ ଲୋକମାନଙ୍କର ହସ୍ତ କମ୍ପିତ ହେବ; ଆମ୍ଭେ ସେମାନଙ୍କର ଆଚରଣାନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା

ଓ ସେମାନଙ୍କର ଯୋଗ୍ୟତାନୁସାରେ ସେମାନଙ୍କର ବିଚାର କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.