ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଦ୍ୱିତୀୟ ରାଜାବଳୀ 13
ଇସ୍ରାଏଲର ରାଜା ଯିହୋୟାହସ୍
ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍ଙ୍କ ରାଜତ୍ଵର ତେଇଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍ ତହିଁରୁ ବିମୁଖ ହେଲେ ନାହିଁ। ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍ହଦଦ୍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ। ପୁଣି ଯିହୋୟାହସ୍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଅତ୍ୟାଚାର କଲା, ସେମାନଙ୍କର ସେହି ଅତ୍ୟାଚାର ସେ ଦେଖିଲେ। ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା।
ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ। ତଥାପି ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହି ସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ। ପୁଣି ଶମରୀୟାରେ ଆଶେରା ମୂର୍ତ୍ତି ମଧ୍ୟ ରହିଲା। ଏହି ଯିହୋୟାହସ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଏଥିଉତ୍ତାରେ ଯିହୋୟାହସ୍ଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍ ତାଙ୍କର ପଦରେ ରାଜ୍ୟ କଲେ।
ଇସ୍ରାଏଲର ରାଜା ଯୋୟାଶ୍
ଯିହୁଦାର ଯୋୟାଶ୍ ରାଜାଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ଇସ୍ରାଏଲ ଉପରେ ଶମରୀୟାରେ ରାଜତ୍ୱ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ। ଏହି ଯୋୟାଶ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାର ରାଜା ଅମତ୍ସୀୟ ସଙ୍ଗେ ଯୁଦ୍ଧ କଲେ, ତାହାସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଏଥିଉତ୍ତାରେ ଯୋୟାଶ୍ ମୃତ୍ୟୁବରଣ କଲେ। ତହିଁରେ ଯାରବୀୟାମ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ, ପୁଣି ଯୋୟାଶ୍ ଇସ୍ରାଏଲ ରାଜାମାନଙ୍କ ସହିତ ଶମରୀୟାରେ କବରପ୍ରାପ୍ତ ହେଲେ।
ଇଲୀଶାୟଙ୍କ ମୃତ୍ୟୁୁ
ଇଲୀଶାୟ ଯେଉଁ ପୀଡ଼ାରେ ମଲେ, ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ, ଇସ୍ରାଏଲର ରାଜା ଯୋୟାଶ୍ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଥିରେ ଇଲୀଶାୟ ତାଙ୍କୁ କହିଲେ, “ଧନୁ ଓ ତୀର ଧର,” ତହୁଁ ସେ ଧନୁ ଓ ତୀର ଧରିଲେ। ତେବେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ଧନୁ ଉପରେ ତୁମ୍ଭ ହାତ ଦିଅ,” ତହୁଁ ସେ ତହିଁ ଉପରେ ହାତ ଦେଲେ। ସେତେବେଳେ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ। ଆଉ ଇଲୀଶାୟ କହିଲେ, “ପୂର୍ବଆଡ଼ ଝରକା ଫିଟାଅ,” ତହିଁରେ ସେ ତାହା ଫିଟାଇଲେ। ତେବେ ଇଲୀଶାୟ କହିଲେ, “ତୀର ମାର,” ତହିଁରେ ସେ ତୀର ମାରିଲେ। ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁଙ୍କର ଜୟତୀର, ଅରାମର ବିପକ୍ଷ ଜୟତୀର, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ।” ଆହୁରି ସେ କହିଲେ, “ତୀରସବୁ ନିଅ,” ତହିଁରେ ସେ ତାହାସବୁ ନେଲେ। ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର,” ତହିଁରେ ସେ ତିନି ଥର ଆଘାତ କରି ନିବୃତ୍ତ ହେଲେ। ଏଥିରେ ପରମେଶ୍ୱରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, “ତୁମ୍ଭେ ତ ପାଞ୍ଚ କି ଛଅ ଥର ଆଘାତ କରିଥାʼନ୍ତ; ତାହା କରିଥିଲେ, ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥାʼନ୍ତ; ମାତ୍ର ଏବେ ତୁମ୍ଭେ କେବଳ ତିନି ଥର ଅରାମକୁ ଆଘାତ କରିବ।”
ଏଥିଉତ୍ତାରେ ଇଲୀଶାୟଙ୍କ ମୃତ୍ୟୁୁ ହୁଅନ୍ତେ, ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ। ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା। ଯିହୋୟାହସ୍ଙ୍କ ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଅତ୍ୟାଚାର କଲା। ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ସମ୍ମୁଖରୁ ସେମାନଙ୍କୁ ଦୂର କଲେ ନାହିଁ। ଏଥିଉତ୍ତାରେ ଅରାମର ରାଜା ହସାୟେଲ ମଲା; ତହୁଁ ତାହାର ପୁତ୍ର ବିନ୍ହଦଦ୍ ତାହାର ପଦରେ ରାଜ୍ୟ କଲା। ପୁଣି ଯୋୟାଶ୍ଙ୍କର ପିତା ଯିହୋୟାହାସ୍ଙ୍କଠାରୁ ହସାୟେଲ ଯେ ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ହସାୟେଲର ପୁତ୍ର ବିନ୍ହଦଦ୍ଠାରୁ ପୁନର୍ବାର ନେଲେ। ଯୋୟାଶ୍ ତାହାକୁ ତିନି ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.