ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଦ୍ବିତୀୟ ବଂଶାବଳୀ 35
ଯୋଶୀୟଙ୍କ ନିସ୍ତାର ପର୍ବ ପାଳନ
ଏଥିଉତ୍ତାରେ ଯୋଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ନିସ୍ତାର ପର୍ବ ପାଳନ କଲେ ଓ ଲୋକମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ। ପୁଣି, ସେ ଯାଜକମାନଙ୍କୁ ସେମାନଙ୍କ ରକ୍ଷଣୀୟ ସ୍ଥାନରେ ନିଯୁକ୍ତ କଲେ ଓ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କରିବାକୁ ସେମାନଙ୍କୁ ସାହସ ଦେଲେ। ପୁଣି, ଯେଉଁ ଲେବୀୟମାନେ ସମଗ୍ର ଇସ୍ରାଏଲକୁ ଶିକ୍ଷା ଦେଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିଲେ, ସେମାନଙ୍କୁ ସେ କହିଲେ, “ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କର ନିର୍ମିତ ଗୃହ ମଧ୍ୟରେ ପବିତ୍ର ସିନ୍ଦୁକ ରଖ; ତୁମ୍ଭମାନଙ୍କ ସ୍କନ୍ଧରେ ଆଉ ଭାର ରହିବ ନାହିଁ; ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ସେବା କର। ପୁଣି, ଇସ୍ରାଏଲର ରାଜା ଦାଉଦଙ୍କର ଲିଖନାନୁସାରେ ଓ ତାଙ୍କର ପୁତ୍ର ଶଲୋମନଙ୍କର ଲିଖନାନୁସାରେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ପାଳି ଅନୁକ୍ରମେ ଆପଣାମାନଙ୍କୁ ପ୍ରସ୍ତୁତ କର। ଆଉ, ଲୋକମାନଙ୍କ ସନ୍ତାନଗଣର, ଅର୍ଥାତ୍, ତୁମ୍ଭମାନଙ୍କ ଭ୍ରାତୃଗଣର ପିତୃବଂଶୀୟ ବିଭାଗାନୁସାରେ ପବିତ୍ର ସ୍ଥାନରେ ଠିଆ ହୁଅ ଓ ଲେବୀୟମାନଙ୍କର ପ୍ରତ୍ୟେକ ପିତୃବଂଶ ପାଇଁ ଏକ ଏକ ଅଂଶ ହେଉ। ପୁଣି, ନିସ୍ତାର ପର୍ବର ବଳି ବଧ କର ଓ ଆପଣାମାନଙ୍କୁ ପବିତ୍ର କର ଓ ମୋଶାଙ୍କ ହସ୍ତରେ (ଦତ୍ତ) ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ କର୍ମ କରିବା ନିମନ୍ତେ ଆପଣାମାନଙ୍କ ଭ୍ରାତୃଗଣ ପାଇଁ ପ୍ରସ୍ତୁତ ହୁଅ।”
ଏଉତ୍ତାରେ ଯୋଶୀୟ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ ତିରିଶ ହଜାର ପର୍ଯ୍ୟନ୍ତ ମେଷଶାବକ ଓ ଛାଗବତ୍ସ ଓ ତିନି ହଜାର ବୃଷ ଦେଲେ; ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା। ପୁଣି, ତାଙ୍କର ଅଧିପତିମାନେ ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଦାନ କଲେ। ହିଲ୍କୀୟ ଓ ଜିଖରୀୟ ଓ ଯିହୀୟେଲ, ପରମେଶ୍ୱରଙ୍କ ଗୃହର ଏହି ଅଧ୍ୟକ୍ଷମାନେ ନିସ୍ତାର ପର୍ବର ବଳି ନିମନ୍ତେ ଯାଜକମାନଙ୍କୁ ଦୁଇ ହଜାର ଛଅ ଶହ ମେଷାଦିର ବତ୍ସ ଓ ତିନି ଶହ ବୃଷ ଦେଲେ। ମଧ୍ୟ କୋନାନୀୟ ଓ ଶମୟୀୟ ଓ ନଥନେଲ ନାମକ ତାହାର ଭାଇମାନେ, ଆଉ ହଶବୀୟ ଓ ଯିୟୀୟେଲ୍ ଓ ଯୋଷାବଦ୍, ଏହି ଲେବୀୟ ପ୍ରଧାନମାନେ ନିସ୍ତାର ପର୍ବର ବଳି ନିମନ୍ତେ ଲେବୀୟମାନଙ୍କୁ ପାଞ୍ଚ ସହସ୍ର ମେଷାଦିର ବତ୍ସ ଓ ପାଞ୍ଚ ଶହ ବୃଷ ଦେଲେ। ଏହିରୂପେ କର୍ମର ଆୟୋଜନ ହୁଅନ୍ତେ, ରାଜାଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ। ପୁଣି, ନିସ୍ତାର ପର୍ବର ବଳିସବୁ ବଧ କରାଯାʼନ୍ତେ, ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ସେଚନ କଲେ ଓ ଲେବୀୟମାନେ ସେସବୁର ଚର୍ମ କାଢ଼ିଲେ। ଆଉ, ମୋଶାଙ୍କ ପୁସ୍ତକର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକରଣାର୍ଥେ ଲୋକମାନଙ୍କ ସନ୍ତାନମାନଙ୍କୁ ସେମାନଙ୍କ ପିତୃବଂଶୀୟ ବିଭାଗାନୁସାରେ ଦେବା ପାଇଁ ସେମାନେ ହୋମବଳି ଉଠାଇ ନେଲେ, ଆଉ ସେମାନେ ବୃଷମାନଙ୍କୁ ସେହିପରି କଲେ। ଏଉତ୍ତାରେ ସେମାନେ ବିଧାନାନୁସାରେ ନିସ୍ତାର ପର୍ବର ବଳି ଅଗ୍ନିରେ ପାକ କଲେ; ଆଉ, ସେମାନେ ଅନ୍ୟାନ୍ୟ ପବିତ୍ର ବଳି ହାଣ୍ଡିରେ ଓ ହଣ୍ଡାରେ ଓ କରେଇରେ ସିଦ୍ଧ କଲେ ଓ ଲୋକମାନଙ୍କ ସନ୍ତାନଗଣ ନିକଟକୁ ତାହାସବୁ ଶୀଘ୍ର ନେଇ ପରିବେଷଣ କଲେ। ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ; କାରଣ ହାରୋଣ ସନ୍ତାନ-ଯାଜକମାନେ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ; ଏହେତୁ ଲେବୀୟମାନେ ଆପଣାମାନଙ୍କ ପାଇଁ ଓ ହାରୋଣ-ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ। ପୁଣି, ଦାଉଦଙ୍କର ଓ ଆସଫର ଓ ହେମନର ଓ ରାଜଦର୍ଶକ ଯିଦୂଥୂନ୍ର ଆଜ୍ଞାନୁସାରେ, ଆସଫ-ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଥିଲେ ଓ ପ୍ରତ୍ୟେକ ଦ୍ୱାରରେ ଦ୍ୱାରପାଳମାନେ ଥିଲେ; ଆପଣା ଆପଣା ସେବାକାର୍ଯ୍ୟରୁ ସେମାନଙ୍କର ଯିବାର ଆବଶ୍ୟକ ହେଲା ନାହିଁ, କାରଣ ସେମାନଙ୍କ ଲେବୀୟ ଭାଇମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ।
ଏହିରୂପେ ଯୋଶୀୟ ରାଜାଙ୍କର ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନାର୍ଥେ ଓ ସଦାପ୍ରଭୁଙ୍କ ଯଜ୍ଞବେଦିରେ ହୋମବଳି ଉତ୍ସର୍ଗକରଣାର୍ଥେ ସେହି ଦିନ ସଦାପ୍ରଭୁଙ୍କ ସେବାର୍ଥକ ସକଳର ଆୟୋଜନ ହେଲା। ଏଣୁ ଉପସ୍ଥିତ ଇସ୍ରାଏଲ ସନ୍ତାନମାନେ ସେହି ସମୟରେ ସାତ ଦିନ ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ। ପୁଣି, ଶାମୁୟେଲ ଭବିଷ୍ୟଦ୍ବକ୍ତାଙ୍କର ଦିନଠାରୁ ଇସ୍ରାଏଲ ମଧ୍ୟରେ ଏପ୍ରକାର ନିସ୍ତାର ପର୍ବ ପ୍ରତିପାଳିତ ହୋଇ ନ ଥିଲା; କିଅବା ଯୋଶୀୟ ଓ ଯାଜକମାନେ ଓ ଲେବୀୟମାନେ, ପୁଣି ଉପସ୍ଥିତ ସମଗ୍ର ଯିହୁଦା ଓ ଇସ୍ରାଏଲ ଓ ଯିରୂଶାଲମ ନିବାସୀମାନେ ଯେପରି ନିସ୍ତାର ପର୍ବ ପାଳନ କଲେ, ସେପରି ଇସ୍ରାଏଲର କୌଣସି ରାଜା କରି ନାହାନ୍ତି। ଯୋଶୀୟଙ୍କର ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ପ୍ରତିପାଳିତ ହେଲା।
ରାଜା ଯୋଶୀୟଙ୍କର ରାଜତ୍ଵର ସମାପ୍ତି
ଏହିସବୁର ଉତ୍ତାରେ, ଅର୍ଥାତ୍, ଯୋଶୀୟ ମନ୍ଦିର ପ୍ରସ୍ତୁତ କରି ସାରିଲା ଉତ୍ତାରେ ମିସରର ରାଜା ନଖୋ ଫରାତ୍ ନଦୀ ନିକଟସ୍ଥ କର୍କମୀଶ୍ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା; ତହୁଁ ଯୋଶୀୟ ତାହା ବିରୁଦ୍ଧରେ ଗଲେ; ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୁଦାର ରାଜନ୍, ତୁମ୍ଭ ସଙ୍ଗେ ମୋହର କʼଣ କରିବାର ଅଛି? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;” ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନୋହିଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖନିର୍ଗତ ନଖୋର ବାକ୍ୟରେ ମନୋଯୋଗ ନ କରି ମଗିଦ୍ଦୋ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ। ଏଥିଉତ୍ତାରେ ଧନୁର୍ଦ୍ଧରମାନେ ଯୋଶୀୟ ରାଜାଙ୍କୁ ତୀର ମାରିଲେ; ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, “ମୋତେ ନେଇଯାଅ, ମୁଁ ଅତ୍ୟନ୍ତ ଆହତ ହୋଇଅଛି।” ତହୁଁ ତାଙ୍କର ଦାସମାନେ ସେହି ରଥରୁ ତାଙ୍କୁ ନେଇ ତାଙ୍କର ଦ୍ୱିତୀୟ ରଥରେ ଚଢ଼ାଇ ଯିରୂଶାଲମକୁ ଆଣିଲେ; ଆଉ ସେ ମଲେ ଓ ଆପଣା ପିତୃଲୋକଙ୍କର କବରରେ କବର ପାଇଲେ। ଏଥିରେ ଯୋଶୀୟଙ୍କ ଲାଗି ସମଗ୍ର ଯିହୁଦା ଓ ଯିରୂଶାଲମ ଶୋକ କଲେ। ପୁଣି, ଯିରିମୀୟ ଯୋଶୀୟଙ୍କ ଲାଗି ବିଳାପ କଲେ; ଆଉ ଗାୟକ ଓ ଗାୟିକା ସମସ୍ତେ ଆପଣା ଆପଣା ବିଳାପରେ ଯୋଶୀୟଙ୍କ ବିଷୟ ଆଜି ପର୍ଯ୍ୟନ୍ତ ଉଲ୍ଲେଖ କରନ୍ତି; ଲୋକମାନେ ଇସ୍ରାଏଲ ମଧ୍ୟରେ ଏହା ଏକ ପାଳନୀୟ ବିଧି କଲେ; ଆଉ ଦେଖ, ତାହା ବିଳାପ-ସଂହିତାରେ ଲିଖିତ ଅଛି। ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁଯାୟୀ ତାଙ୍କର ସୁକର୍ମ ଓ ତାଙ୍କର ଆଦ୍ୟନ୍ତ କ୍ରିୟାସକଳ, ଦେଖ, ଇସ୍ରାଏଲ ଓ ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲିଖିତ ଅଛି।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.