Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରଥମ ଶାମୁୟେଲ 31

ଶାଉଲଙ୍କ ମୃତ୍ୟୁୁ

ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ ଓ ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ। ଏହିରୂପେ ଶାଉଲଙ୍କ ସଙ୍ଗରେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ। ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ;” କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା। ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହି ଦିନ ଏକସଙ୍ଗରେ ମଲେ। ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଯର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ।

ଏଥିଉତ୍ତାରେ ପର ଦିବସ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ। ତହୁଁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜ୍ଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି, ସେମାନେ ତାଙ୍କର ସଜ୍ଜା ଅଷ୍ଟାରୋତ୍‍ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବେଥ୍-ଶାନ ପ୍ରାଚୀରରେ ଟାଙ୍ଗି ଦେଲେ। ଏଉତ୍ତାରେ ଯାବେଶ-ଗିଲୀୟଦ ନିବାସୀମାନେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଆନ୍ତେ, ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିସାରା ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବେଥ୍-ଶାନ ପ୍ରାଚୀରରୁ ଯାବେଶକୁ ନେଇ ସେଠାରେ ସେସବୁ ଦଗ୍ଧ କଲେ। ପୁଣି, ସେମାନେ ସେମାନଙ୍କର ଅସ୍ଥି ନେଇ ଯାବେଶସ୍ଥ ଝାଉଁ ବୃକ୍ଷ ତଳେ ପୋତି ରଖିଲେ ଓ ସାତ ଦିନ ଉପବାସ କଲେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.