Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରଥମ ଶାମୁୟେଲ 27

ପଲେଷ୍ଟୀୟଙ୍କ ମଧ୍ୟକୁ ଦାଉଦଙ୍କ ପଳାୟନ

ଏଥିଉତ୍ତାରେ ଦାଉଦ ମନେ ମନେ କହିଲେ, “ଏବେ ମୁଁ କୌଣସି ଦିନ ଶାଉଲଙ୍କ ହସ୍ତରେ ବିନଷ୍ଟ ହେବି; ପଲେଷ୍ଟୀୟମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋହର ଆଉ କିଛି ଭଲ ଉପାୟ ନାହିଁ; ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ; ଏହିରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି।” ଏଉତ୍ତାରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା ଛଅ ଶହ ଲୋକ ଉଠି ପାର ହୋଇ ମୋୟାବର ପୁତ୍ର ଆଖୀଶ୍‍ ନାମକ ଗାଥ୍‍ର ରାଜା ନିକଟକୁ ଗଲେ। ପୁଣି, ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପରିବାର ସହିତ ଆଖୀଶ୍‍ ନିକଟରେ ଗାଥ୍‍ ନଗରରେ ବାସ କଲେ, ବିଶେଷତଃ ଦାଉଦ ଓ ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ ନାବଲର ଭାର୍ଯ୍ୟା କର୍ମିଲୀୟା ଅବୀଗଲ ନାମ୍ନୀ ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ। ଏଣୁ ଦାଉଦ ଗାଥ୍‍କୁ ପଳାଇଅଛି, ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ।

ଏଥିଉତ୍ତାରେ ଦାଉଦ ଆଖୀଶ୍‍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦେଉନ୍ତୁ; କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ?” ତହିଁରେ ଆଖୀଶ୍‍ ସେହି ଦିନ ତାହାକୁ ସିକ୍ଲଗ୍‍ ନଗର ଦେଲା; ଏହି ହେତୁ ଆଜି ପର୍ଯ୍ୟନ୍ତ ସିକ୍ଲଗ୍‍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି।

ଦାଉଦ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ ଏକ ବର୍ଷ ଚାରି ମାସ ଥିଲା। ଏଥିମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗଶୂରୀୟ ଓ ଗିଷରୀୟ ଓ ଅମାଲେକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାଆନ୍ତି; କାରଣ ଶୂରର ସନ୍ନିକଟ ଓ ମିସର ପର୍ଯ୍ୟନ୍ତ ଯେଉଁ ଦେଶ, ତହିଁ ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ। ପୁଣି, ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍‍ ନିକଟକୁ ଫେରି ଆସନ୍ତି। ଏଥିରେ “ଆଜି ତୁମ୍ଭେମାନେ କେଉଁ ସ୍ଥାନ ଆକ୍ରମଣ କଲ” ବୋଲି ଆଖୀଶ୍‍ ପଚାରନ୍ତେ, ଦାଉଦ କହନ୍ତି, “ଯିହୁଦାର ଦକ୍ଷିଣାଞ୍ଚଳ ଓ ଯିରହମେଲୀୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣାଞ୍ଚଳ।” ପୁଣି, ଦାଉଦ ଏପରି କରନ୍ତି ଓ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ସମୟାବଧି ଏପରି କରିବାର ତାଙ୍କର ରୀତି ହୋଇଅଛି, “ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ” ବୋଲି ଭାବି ଦାଉଦ ଗାଥ୍‍କୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ। ଏହେତୁ ଆଖୀଶ୍‍ ଦାଉଦଙ୍କୁ ବିଶ୍ୱାସ କରି କହିଲା, “ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି; ଏଣୁ ସେ ସର୍ବଦା ମୋହର ଦାସ ହୋଇ ରହିବ।”

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.