Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରଥମ ବଂଶାବଳୀ 16

ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ

ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି, ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣଙ୍କୁ ଏକ ଏକ ରୁଟି, ମାଂସର ଏକ ଏକ ଅଂଶ, ଏକ ଏକ ଖଣ୍ଡ ଦ୍ରାକ୍ଷାଚକ୍ତି ପରିବେଷଣ କଲେ।

ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ। ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍‍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍‍, ବନାୟ, ଓବେଦ୍‍-ଇଦୋମ ଓ ଯିୟୀୟେଲ୍‍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ; ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ।

ଆଉ ସେହି ଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ।

ଦାଉଦଙ୍କ ପ୍ରଶଂସାର ଗୀତି

ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର;

ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ।

ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର;

ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକର୍ମ ବିଷୟରେ କଥୋପକଥନ କର।

ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର;

ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ।

ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର,

ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର।

ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ,

ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,

ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା,

ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।

ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି;

ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି।

ତାହାଙ୍କ ନିୟମ ଚିରକାଳ ସ୍ମରଣ କର,

ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି;

ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ

ଓ ସେହି ଶପଥ ସେ ଇସ୍‌ହାକଙ୍କ ପ୍ରତି କରିଥିଲେ;

ପୁଣି, ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ

ଇସ୍ରାଏଲ ପ୍ରତି ସ୍ଥିର କଲେ।

ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ

ସେହି କିଣାନ ଦେଶ ତୁମ୍ଭକୁ ଦେବା;”

ସେହି ସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ,

ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ;

ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ

ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ।

ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ;

ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ;

କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର

ଓ ଆମ୍ଭର ଭବିଷ୍ୟଦ୍‍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।”

ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର;

ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର।

ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ,

ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର।

କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି;

ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ।

କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା1 ମାତ୍ର;

ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।

ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ,

ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ।

ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର,

ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।

ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର;

ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ;

ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର।

ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ;

ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ।

ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ;

ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”

ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;

କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ;

ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ,

କାରଣ, ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି।

ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ,

ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ଆଉ, ତୁମ୍ଭେମାନେ କୁହ, “ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର,

ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର,

ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା

ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା।”

ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ

ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ।

ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।

ସିନ୍ଦୁକ ସମ୍ମୁଖରେ ଉପାସନା

ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ ଆଉ ଓବେଦ୍‍-ଇଦୋମ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍‍‍ର ପୁତ୍ର ଓବେଦ୍‍-ଇଦୋମ, ଆଉ ହୋଷା ଦ୍ୱାରପାଳ ହେଲେ ଆଉ, ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ ସାଦୋକ ଯାଜକ ଓ ତାହାର ଯାଜକ-ଭ୍ରାତୃଗଣ ଗିବୀୟୋନ୍‍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ; ପୁଣି, ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ ଓ ଯିଦୂଥୂନ୍‍; ପୁଣି, ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ। ଆଉ, ହେମନ, ଯିଦୂଥୂନ୍‍ ତୂରୀ, କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନ୍‍‍ର ପୁତ୍ରମାନେ ଦ୍ୱାରପାଳ ହେଲେ।

ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ, ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ।

Source notes (1)
  1. Footnote ପ୍ରତିମା କିମ୍ବା ଅବସ୍ତୁ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.