Skip to content
BibleKenya

Biblica® Open Odia Contemporary Bible

ରୋମୀୟ 10

ଭାଇମାନେ, ଇସ୍ରାଏଲୀୟମାନେ ଯେପରି ପରିତ୍ରାଣ ପାଇବେ, ସେମାନଙ୍କ ନିମନ୍ତେ ଏହା ମୋର ଆକାଂକ୍ଷା ଓ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ମୁଁ ସେମାନଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦେଇପାରେ ଯେ ଈଶ୍ୱରଙ୍କ ପାଇଁ ସେମାନେ ଅତି ଆଗ୍ରହୀ କିନ୍ତୁ ସେମାନଙ୍କର ଉଦ୍‌ଯୋଗ ଜ୍ଞାନ ଉପରେ ଆଧାରିତ ନୁହେଁ। ଯେଉଁ ଧାର୍ମିକତା ଈଶ୍ୱରଙ୍କଠାରୁ ଆସେ, ତାହା ସେମାନେ ନ ଜାଣି ନିଜର ଧାର୍ମିକତା ପ୍ରତିଷ୍ଠା କରିବାକୁ ଚେଷ୍ଟା କଲେ, ତେଣୁ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହେଲେ ନାହିଁ। ପ୍ରତ୍ୟେକ ବିଶ୍ୱାସୀ ଯେପରି ଧାର୍ମିକତା ଲାଭ କରିପାରିବ ଏଥିପାଇଁ ଖ୍ରୀଷ୍ଟ ହେଉଛନ୍ତି ବିଧିବ୍ୟବସ୍ଥାର ପରିସମାପ୍ତି।

ବିଧିବ୍ୟବସ୍ଥା ଦ୍ଵାରା ଯେଉଁ ଧାର୍ମିକତା ମିଳେ ସେହି ବିଷୟରେ ମୋଶା ଏହିପରି ଲେଖିଛନ୍ତି: “ଯେଉଁ ମନୁଷ୍ୟ ଏହିସମସ୍ତ ପାଳନ କରେ ସେ ତଦ୍ଦ୍ୱାରା ବଞ୍ଚିବ।” କିନ୍ତୁ ବିଶ୍ୱାସ ଦ୍ଵାରା ଯେଉଁ ଧାର୍ମିକତା ମିଳେ ତାହା ଏହିପରି କହେ: “ମନେ ମନେ ଏପରି କୁହ ନାହିଁ, (ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ପାଇଁ) ‘କିଏ ସ୍ଵର୍ଗକୁ ଆରୋହଣ କରିବ?’ ” “କିମ୍ବା (ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟଙ୍କୁ ଉଠାଇ ଆଣିବା ପାଇଁ)। ‘କିଏ ରସାତଳକୁ ଅବତରଣ କରିବ?’ ” କିନ୍ତୁ ଶାସ୍ତ୍ର କଅଣ କହେ? “ସେହି ବାକ୍ୟ ତୁମ ନିକଟରେ ଅଛି; ତାହା ତୁମ ମୁଖରେ ଓ ତୁମ ହୃଦୟରେ,” ଏହା ହେଉଛି, ସେହି ବିଶ୍ୱାସର ବାକ୍ୟ ଯାହା ଆମେ ଘୋଷଣା କରୁଛୁ: ଯଦି ତୁମେ ମୁଖରେ ସ୍ୱୀକାର କର ଯେ, “ଯୀଶୁ ପ୍ରଭୁ ଅଟନ୍ତି,” ଏବଂ ହୃଦୟରେ ବିଶ୍ୱାସ କର ଯେ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତେବେ ତୁମେ ପରିତ୍ରାଣ ପାଇବ। ଯେହେତୁ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ଧାର୍ମିକ ବିବେଚିତ ହୁଏ, ଏବଂ ମୁଖରେ ସ୍ୱୀକାର କରେ ଓ ପରିତ୍ରାଣ ଲାଭ କରେ। ଧର୍ମଶାସ୍ତ୍ର ଏହିପରି କହେ, “ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ କେବେ ଲଜ୍ଜିତ ହେବ ନାହିଁ।” କାରଣ ଯିହୁଦୀ ଓ ଗ୍ରୀକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ସେହି ପ୍ରଭୁ ସମସ୍ତଙ୍କର ପ୍ରଭୁ ଅଟନ୍ତି ଏବଂ ତାଙ୍କ ନିକଟରେ ପ୍ରାର୍ଥନାକାରୀ ପ୍ରତ୍ୟେକଙ୍କୁ ସେ ବହୁଳ ଭାବରେ ଆଶୀର୍ବାଦ କରନ୍ତି, ଯେହେତୁ, “ଯେକେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରେ, ସେ ପରିତ୍ରାଣ ପାଇବ।”

ତାହାହେଲେ, ଯାହାଙ୍କଠାରେ ସେମାନେ ବିଶ୍ୱାସ କରିନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି ତାହାଙ୍କଠାରେ କିପରି ବିଶ୍ୱାସ କରିବେ? ଆହୁରି ମଧ୍ୟ ସେମାନଙ୍କ ନିକଟରେ କେହି ପ୍ରଚାର ନ କଲେ ସେମାନେ କିପରି ଶୁଣିବେ? ପୁଣି ପଠା ନ ଗଲେ ସେମାନେ କିପରି ପ୍ରଚାର କରିବେ? କାରଣ ଏହିପରି ଲେଖାଅଛି: “ଯେଉଁମାନେ ଶୁଭବାର୍ତ୍ତା ଘେନି ଆସନ୍ତି ସେମାନଙ୍କ ଚରଣ କେଡ଼େ ଶୋଭନୀୟ!”

କିନ୍ତୁ ସବୁ ଇସ୍ରାଏଲୀୟ ଯେ ଶୁଭବାର୍ତ୍ତା ଗ୍ରହଣ କଲେ। ତା ନୁହେଁ। କାରଣ ଯିଶାଇୟ କହନ୍ତି, “ହେ ପ୍ରଭୁ, କିଏ ଆମ ବାର୍ତ୍ତା ବିଶ୍ୱାସ କରିଅଛି?” ସୁତରାଂ, ବାର୍ତ୍ତା ଶ୍ରବଣରୁ ବିଶ୍ୱାସ ଆସେ ଏବଂ ଖ୍ରୀଷ୍ଟଙ୍କ ବାକ୍ୟ ମାଧ୍ୟମରେ ବାର୍ତ୍ତା ଶ୍ରବଣ କରାଯାଏ। କିନ୍ତୁ ମୁଁ ପ୍ରଶ୍ନ କରେ: ସେମାନେ କଅଣ ଶୁଣି ନ ଥିଲେ? ଅବଶ୍ୟ ସେମାନେ ଶୁଣିଥିଲେ:

“ସେମାନଙ୍କ ସ୍ଵର ସମଗ୍ର ପୃଥିବୀରେ,

ଏବଂ ସେମାନଙ୍କର କଥା ଜଗତର ସୀମା ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛି।”

ମୁଁ ପୁନର୍ବାର ପ୍ରଶ୍ନ କରେ: ଇସ୍ରାଏଲ କଅଣ ବୁଝି ନ ଥିଲା? ପ୍ରଥମରେ, ମୋଶା କହନ୍ତି,

“ଯେଉଁମାନେ ଜାତି ପଦବାଚ୍ୟ ନୁହନ୍ତି ଏପରି ଜାତିର ଲୋକଙ୍କ ଦ୍ଵାରା ମୁଁ ତୁମ୍ଭମାନଙ୍କୁ ଈର୍ଷାନ୍ୱିତ କରାଇବି;

ଏବଂ ନିର୍ବୋଧ ଜାତି ଦ୍ଵାରା ତୁମ୍ଭମାନଙ୍କ କ୍ରୋଧ ଜନ୍ମାଇବି।”

ପୁଣି ଯିଶାଇୟ ସାହସ ସହକାରେ କହନ୍ତି,

“ଯେଉଁମାନେ ମୋର ଅନ୍ୱେଷଣ କରି ନ ଥିଲେ ସେମାନେ ମୋର ସନ୍ଧାନ ପାଇଲେ;

ଯେଉଁମାନେ ମୋତେ ଖୋଜି ନ ଥିଲେ ମୁଁ ସେମାନଙ୍କ ନିକଟରେ ନିଜକୁ ପ୍ରକାଶ କଲି।” କିନ୍ତୁ ଇସ୍ରାଏଲ ସମ୍ବନ୍ଧରେ ସେ କହନ୍ତି,

“ଯେଉଁମାନଙ୍କୁ ମୁଁ ସାରାଦିନ ହାତ ବଢ଼ାଇଛି

ସେମାନେ ଅବାଧ୍ୟ ଓ ବିଦ୍ରୋହାଚାରୀ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.