Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 9

ପଞ୍ଚମ ଦୂତ ତୂରୀଧ୍ୱନି କଲେ, ଏବଂ ଆକାଶରୁ ପୃଥିବୀ ଉପରେ ଏକ ନକ୍ଷେତ୍ର ପଡ଼ିବାର ମୁଁ ଦେଖିଲି। ତାହାକୁ ଅତଳସ୍ପର୍ଶୀ ଗହ୍ଵରର ପ୍ରବେଶ ଦ୍ଵାରର ଚାବି ଦିଆଗଲା। ସେ ସେହି ଅତଳସ୍ପର୍ଶୀ ଗହ୍ଵର ଖୋଲିବାରୁ, ଏକ ପ୍ରକାଣ୍ଡ ଭାଟିରୁ ଉଠୁଥିବା ଧୂମ ସଦୃଶ ଧୂମ ତହିଁରୁ ନିର୍ଗତ ହେଲା। ସେହି ଅତଳସ୍ପର୍ଶୀ ଗହ୍ଵରରୁ ନିର୍ଗତ ଧୂମରେ ସୂର୍ଯ୍ୟ ଓ ଆକାଶ ଅନ୍ଧକାରାଚ୍ଛନ୍ନ ହେଲା। ସେହି ଧୂମ ମଧ୍ୟରୁ ପଙ୍ଗପାଳମାନେ ପୃଥିବୀ ଉପରକୁ ଓହ୍ଲାଇ ଆସିଲେ ଏବଂ ସେମାନଙ୍କୁ ପୃଥିବୀର ବିଛାଗୁଡ଼ିକ ପରି ଦଂଶନକାରୀ ଶକ୍ତି ଦିଆଗଲା। ପୃଥିବୀର ତୃଣ ବା ଗୁଳ୍ମ ବା ବୃକ୍ଷାଦିର ଅନିଷ୍ଟ ନ କରି ଯେଉଁ ଲୋକମାନଙ୍କର କପାଳରେ ଈଶ୍ୱରଙ୍କ ମୁଦ୍ରାଙ୍କ ନ ଥିଲା, କେବଳ ସେହିମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା। ସେହି ଲୋକମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ କେବଳ ଉତ୍ପୀଡ଼ନ କରିବାକୁ ସେମାନଙ୍କୁ କ୍ଷମତା ଦିଆ ହୋଇଥିଲା। ମନୁଷ୍ୟକୁ ବିଛା ଦଂଶନ କଲେ ଯେଉଁ ପ୍ରକାର ଯନ୍ତ୍ରଣା ହୁଏ ସେମାନେ ସେହିପ୍ରକାର ଯନ୍ତ୍ରଣା ଭୋଗ କଲେ। ସେହି ଦିନମାନଙ୍କରେ ଲୋକେ ମରଣ ଖୋଜିବେ ମାତ୍ର ପାଇବେ ନାହିଁ; ସେମାନେ ମୃତ୍ୟୁ କାମନା କରିବେ, ମାତ୍ର ମୃତ୍ୟୁ ଧରା ଦେବ ନାହିଁ।

ଏହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଶ୍ୱଗୁଡ଼ିକ ପରି ଦେଖା ଯାଉଥିଲେ। ସେମାନେ ମସ୍ତକରେ ଯାହା ପିନ୍ଧିଥିଲେ, ତାହା ସୁବର୍ଣ୍ଣ ମୁକୁଟ ପରି ମନେ ହେଉଥିଲା ଏବଂ ସେମାନଙ୍କ ମୁଖ ମନୁଷ୍ୟର ମୁଖ ସଦୃଶ ଥିଲା। ନାରୀମାନଙ୍କ କେଶ ପରି ସେମାନଙ୍କର କେଶ, ଓ ଦନ୍ତଗୁଡ଼ିକ ସିଂହଦନ୍ତ ତୁଲ୍ୟ ଥିଲା। ଲୌହ ବକ୍ଷସ୍ତ୍ରାଣ ପରି ସେମାନଙ୍କର ବକ୍ଷସ୍ତ୍ରାଣ ଥିଲା, ଏବଂ ସେମାନଙ୍କ ଡେଣାର ଶଦ୍ଦ ରଣକ୍ଷେତ୍ରକୁ ଦୌଡୁଥିବା ଅନେକ ଅଶ୍ୱ ଓ ରଥର ଘର୍ଘର ଶଦ୍ଦ ପରି ଥିଲା। ବିଛା ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼ ଥିଲା, ଏବଂ ପାଞ୍ଚ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଉତ୍ପୀଡ଼ନ କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା। ଅତଳସ୍ପର୍ଶୀ ଗହ୍ଵରର ଦୂତ ସେମାନଙ୍କ ଉପରେ ରାଜା ପରି ଥିଲା, ଯାହାର ନାମ ହିବ୍ରୁ ଭାଷାରେ ଆବାଦ୍ଦୋନ ଏବଂ ଗ୍ରୀକ ଭାଷାରେ ଆପଲ୍ଲିୟନ।

ପ୍ରଥମ ମହା ସଙ୍କଟ ଗତ ହେଲା; ଆହୁରି ଦୁଇଟି ମହା ସଙ୍କଟ ଆସୁଅଛି।

ଷଷ୍ଠ ଦୂତ ତୂରୀଧ୍ୱନି କଲେ, ଏବଂ ଈଶ୍ୱରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗଗୁଡ଼ିକ ମଧ୍ୟରୁ ମୁଁ ଏକ ସ୍ଵର ଶୁଣିଲି। ତାହା ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, “ମହାନଦୀ ଇଉଫ୍ରେଟିସ୍‌ରେ ବନ୍ଦୀଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ।” ତହୁଁ ସେହି ଘଣ୍ଟା, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ ରଖା ଯାଇଥିବା ଚାରି ଦୂତଙ୍କୁ ମନୁଷ୍ୟଜାତିର ଏକ ତୃତୀୟାଂଶ ବଧ କରିବାକୁ ମୁକ୍ତ କରାଗଲା। ସେମାନଙ୍କର ଅଶ୍ୱାରୋହୀ ସୈନ୍ୟ ସଂଖ୍ୟା କୋଡ଼ିଏ କୋଟି ଏହି ସଂଖ୍ୟା ମୁଁ ଶୁଣିବାକୁ ପାଇଲି।

ମୁଁ ଦିବ୍ୟଦର୍ଶନରେ ଯେଉଁ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଦେଖିଲି, ସେମାନେ ଏହିପ୍ରକାର ଦିଶୁଥିଲେ: ଆରୋହୀମାନଙ୍କର ବକ୍ଷସ୍ତ୍ରାଣ ଅଗ୍ନିତୁଲ୍ୟ ଲୋହିତ ବର୍ଣ୍ଣ, ଘନ ନୀଳ ବର୍ଣ୍ଣ ଓ ଗନ୍ଧକ ପରି ପୀତ ବର୍ଣ୍ଣ। ଅଶ୍ୱଗୁଡ଼ିକର ମସ୍ତକ ସିଂହର ମସ୍ତକ ସଦୃଶ ଓ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା। ସେମାନଙ୍କ ମୁଖନିଃସୃତ ଅଗ୍ନି, ଧୂମ ଓ ଗନ୍ଧକ ରୂପ ତିନି ମହାମାରୀ ଦ୍ଵାରା ମନୁଷ୍ୟଜାତିର ଏକ ତୃତୀୟାଂଶ ନିହତ ହେଲେ। ଅଶ୍ୱମାନଙ୍କର ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା; କାରଣ ସେମାନଙ୍କର ଲାଙ୍ଗୁଳଗୁଡ଼ିକ ମସ୍ତକବିଶିଷ୍ଟ ସର୍ପ ତୁଲ୍ୟ, ଯାହା ଦ୍ଵାରା ସେମାନେ କ୍ଷତ ସୃଷ୍ଟି କରନ୍ତି।

ଏହିସବୁ ମହାମାରୀ ଦ୍ଵାରା ପ୍ରାଣ ହରାଇ ନ ଥିବା ଅବଶିଷ୍ଟ ମନୁଷ୍ୟମାନେ ତଥାପି ନିଜର କୃତ କର୍ମ ବିଷୟରେ ଅନୁତାପ କଲେ ନାହିଁ; ସେମାନେ ପ୍ରେତମାନଙ୍କ ପୂଜାରୁ ଏବଂ ସୁନା, ରୂପା, ପିତ୍ତଳ, ପଥର ଓ କାଠରେ ନିର୍ମିତ ଯେଉଁ ପ୍ରତିମାଗୁଡ଼ିକ ଦେଖି କି ଶୁଣି କି ଚାଲି ପାରନ୍ତି ନାହିଁ, ସେମାନଙ୍କ ପୂଜାରୁ ନିବୃତ୍ତ ହେଲେ ନାହିଁ। ଏହା ବ୍ୟତୀତ ସେମାନେ ନରହତ୍ୟା, ଗୁଣିବିଦ୍ୟା, ଯୌନ ଅସଦାଚରଣ କିମ୍ବା ଚୋରି କର୍ମ ପାଇଁ ମଧ୍ୟ ଅନୁତାପ କଲେ ନାହିଁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.