Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 10

ଜଣେ ସ୍ଵର୍ଗଦୂତ ଓ ଏକ ଚର୍ମପୁସ୍ତକ

ଏଉତ୍ତାରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ସେ ମେଘରେ ବସ୍ତ୍ରାନ୍ୱିତ ଥିଲେ, ତାଙ୍କ ମସ୍ତକ ଉପରେ ମେଘଧନୁ ବିରାଜମାନ ଥିଲା; ତାଙ୍କ ମୁଖମଣ୍ଡଳ ସୂର୍ଯ୍ୟ ସଦୃଶ ଏବଂ ତାଙ୍କ ଚରଣଦ୍ଵୟ ଅଗ୍ନିସ୍ତମ୍ଭ ତୁଲ୍ୟ ଥିଲା। ସେ ଏକ କ୍ଷୁଦ୍ର ଚର୍ମପୁସ୍ତକ ଧରିଥିଲେ, ଏହା ତାଙ୍କ ହସ୍ତରେ ଖୋଲା ହୋଇ ରହିଥିଲା। ସେ ତାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳ ଉପରେ ରଖିଲେ, ପୁଣି ସେ ସିଂହଗର୍ଜନ ପରି ହୁଙ୍କାର ଦେଲେ। ସେ ହୁଙ୍କାର ଦିଅନ୍ତେ, ସପ୍ତ ବଜ୍ରପାତର ମହାନାଦରେ ନିଜ ନିଜ କଥା ବ୍ୟକ୍ତ କଲେ। ପୁଣି ସପ୍ତ ବଜ୍ରପାତ ମହାନାଦରେ କହନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; କିନ୍ତୁ ଆକାଶରୁ ଏକ ସ୍ଵର ଏହା କହିବାର ଶୁଣିଲି, “ସପ୍ତ ବଜ୍ରପାତ ଯାହା କହିଲେ ତାହା ଗୋପନ ରଖ, ତାହା ଲିପିବଦ୍ଧ କର ନାହିଁ।”

ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସାଗର ଓ ସ୍ଥଳ ଉପରେ ଠିଆ ହୋଇଥିବାର ଦେଖିଥିଲି, ସେ ସ୍ଵର୍ଗଆଡ଼େ ନିଜର ଦକ୍ଷିଣ ହସ୍ତ ଉତ୍ତୋଳନ କଲେ। ଆହୁରି ମଧ୍ୟ ଯେ ଆକାଶ ଓ ତହିଁରେ ଥିବା ସମସ୍ତ ବିଷୟ, ପୃଥିବୀ ଓ ତହିଁରେ ଥିବା ସମସ୍ତ ବିଷୟ, ସାଗର ଓ ତହିଁରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, “ଆଉ ବିଳମ୍ବ ହେବ ନାହିଁ! କିନ୍ତୁ ଯେଉଁ ଦିନମାନଙ୍କରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇବାକୁ ଉଦ୍ୟତ ହେବେ, ଈଶ୍ୱର ଆପଣା ଦାସ ଭାବବାଦୀମାନଙ୍କ ନିକଟରେ ଯେପରି ଘୋଷଣା କରିଥିଲେ, ତଦନୁସାରେ ତାହାଙ୍କର ନିଗୂଢ଼ ସଂକଳ୍ପ ସାଧିତ ହେବ।”

ତତ୍ପରେ ଯେଉଁ ସ୍ଵର ମୁଁ ଆକାଶରୁ ଶୁଣିଥିଲି, ତାହା ମୋତେ ପୁନର୍ବାର କହିଲା “ଯାଅ, ସାଗର ଓ ସ୍ଥଳ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଥିବା ଖୋଲା ପୁସ୍ତକଟି ଗ୍ରହଣ କର।”

ତେଣୁ ମୁଁ ଦୂତଙ୍କ ନିକଟକୁ ଯାଇ ସେହି କ୍ଷୁଦ୍ର ପୁସ୍ତକ ମୋତେ ଦେବାକୁ କହିଲି। ସେ ମୋତେ କହିଲେ, ଏହା ନେଇ ଭକ୍ଷଣ କର। ଏହା ତୁମର ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ ମୁଖରେ ତାହା ମଧୁ ପରି ମିଷ୍ଟ ଲାଗିବ। ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକ ନେଇ ଭକ୍ଷଣ କଲି। ତାହା ମୋ ମୁଖରେ ମଧୁ ପରି ମିଷ୍ଟ ଲାଗିଲା, କିନ୍ତୁ ଉଦରକୁ ଗଲା ପରେ, ତାହା ମୋର ଉଦରରେ ତିକ୍ତ ହୋଇଗଲା। ତତ୍ପରେ ମୋତେ କୁହାଗଲା, “ତୁମକୁ ଅନେକ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ରାଜାମାନଙ୍କ ବିଷୟରେ ପୁନର୍ବାର ଭବିଷ୍ୟଦ୍‌ବାଣୀ କହିବାକୁ ହେବ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.