Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 7

ମୁଦ୍ରାଙ୍କିତ ଲୋକେ ସୁରକ୍ଷିତ

ଏଉତ୍ତାରେ ମୁଁ ଦେଖିଲି, ପୃଥିବୀର ଚାରି କୋଣରେ ଚାରି ଜଣ ସ୍ଵର୍ଗଦୂତ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି, ଯେପରି ପୃଥିବୀ ପୃଷ୍ଠରେ କି ସାଗର ବକ୍ଷରେ କି କୌଣସି ବୃକ୍ଷ ଉପରେ ବାୟୁ ପ୍ରବାହିତ ହେବ ନାହିଁ। ତତ୍ପରେ ମୁଁ ଆଉ ଜଣେ ଦୂତଙ୍କୁ ନିତ୍ୟଜୀବୀ ଈଶ୍ୱରଙ୍କ ମୋହର ଧରି ପୂର୍ବଦିଗରୁ ଉଠି ଆସିବାର ଦେଖିଲି। ଯେଉଁ ଚାରି ଦୂତଙ୍କୁ ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦତ୍ତ ହୋଇଥିଲା, ସେମାନଙ୍କୁ ସେ ଉଚ୍ଚସ୍ଵରରେ ଡାକି କହିଲେ: “ଆମେ ଆମର ଈଶ୍ୱରଙ୍କ ଦାସମାନଙ୍କ କପାଳ ମୋହରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କି ବୃକ୍ଷାଦିର କ୍ଷତି କର ନାହିଁ।” ତତ୍ପରେ ମୁଁ ମୋହରାଙ୍କିତ ଲୋକମାନଙ୍କର ସଂଖ୍ୟା ଶୁଣିଲି: ଇସ୍ରାଏଲର ସବୁ ଗୋଷ୍ଠୀରୁ 1,44,000 ଜଣ।

ଯିହୁଦାଗୋଷ୍ଠୀରୁ ବାର ହଜାର ଜଣ ମୁଦ୍ରାଙ୍କିତ ହେଲେ,

ରୁବେନ ଗୋଷ୍ଠୀରୁ ବାର ହଜାର,

ଗାଦ ଗୋଷ୍ଠୀରୁ ବାର ହଜାର,

ଆଶେର ଗୋଷ୍ଠୀରୁ ବାର ହଜାର,

ନପ୍ତାଲୀ ଗୋଷ୍ଠୀରୁ ବାର ହଜାର,

ମନାସେ ଗୋଷ୍ଠୀରୁ ବାର ହଜାର,

ଶିମିୟୋନ ଗୋଷ୍ଠୀରୁ ବାର ହଜାର,

ଲେବୀ ଗୋଷ୍ଠୀରୁ ବାର ହଜାର,

ଇଷାଖର ଗୋଷ୍ଠୀରୁ ବାର ହଜାର,

ଜେବୁଲନ୍ ଗୋଷ୍ଠୀରୁ ବାର ହଜାର,

ଯୋସେଫ ଗୋଷ୍ଠୀରୁ ବାର ହଜାର,

ବେଞ୍ଜାମୀନ ଗୋଷ୍ଠୀରୁ ବାର ହଜାର।

ଶୁକ୍ଳବସ୍ତ୍ର ପରିହିତ ମହାଜନତା

ତତ୍ପରେ ମୁଁ ଅନାଇ ଦେଖିଲି, ଏକ ବିରାଟ ଜନତା, ସବୁ ଜାତି, ସବୁ ଗୋଷ୍ଠୀ, ସବୁ ଦେଶବାସୀ ଓ ଭାଷାବାଦୀ ଙ୍କ ମଧ୍ୟରୁ ଅଗଣିତ ଲୋକ ସିଂହାସନ ସମ୍ମୁଖରେ ଓ ମେଷଶାବକଙ୍କ ସାକ୍ଷାତରେ ଠିଆ ହୋଇଅଛନ୍ତି। ସେମାନେ ଶୁକ୍ଳବସ୍ତ୍ର ପିନ୍ଧିଥିଲେ ଓ ହାତରେ ଖଜୁରି ବାହୁଙ୍ଗା ଧରିଥିଲେ। ପୁଣି ସେମାନେ ଉଚ୍ଚସ୍ଵରରେ କହୁଥିଲେ:

“ପରିତ୍ରାଣ ସିଂହାସନରେ ଉପବିଷ୍ଟ,

ଆମ ଈଶ୍ୱରଙ୍କର ଓ,

ମେଷଶାବକଙ୍କର ଅଧିକାର।”

ସ୍ଵର୍ଗଦୂତ ସମସ୍ତେ ସିଂହାସନର ଚତୁର୍ଦ୍ଦିଗରେ ଏବଂ କୁଳବୃଦ୍ଧ ଓ ଚାରି ଜୀବନ୍ତ ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ। ସେମାନେ ଉବୁଡ଼ ହୋଇ ଈଶ୍ୱରଙ୍କର ଆରାଧନା କରି କହୁଥିଲେ, ସେମାନେ କହୁଥିଲେ:

“ଆମେନ୍!

ପ୍ରଶଂସା ଓ ଗୌରବ

ଓ ଜ୍ଞାନ ଓ ଧନ୍ୟବାଦ ଓ ସମ୍ଭ୍ରମ

ଓ ପରାକ୍ରମ ଏବଂ ଶକ୍ତି

ଯୁଗେ ଯୁଗେ ଆମ ଈଶ୍ୱରଙ୍କର।

ଆମେନ୍!”

କୁଳବୃଦ୍ଧମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, “ଏହି ଯେଉଁମାନେ ଶୁକ୍ଳବସ୍ତ୍ର ପିନ୍ଧିଅଛନ୍ତି, ସେମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?”

ମୁଁ ଉତ୍ତର ଦେଲି, “ଆଜ୍ଞା, ଆପଣ ଜାଣନ୍ତି।”

ସେ କହିଲେ, “ଯେଉଁମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଏମାନେ ସେହି; ସେମାନେ ନିଜ ନିଜ ପୋଷାକ ଧୌତ କରି ମେଷଶାବକଙ୍କ ରକ୍ତରେ ଶୁଭ୍ରବର୍ଣ୍ଣ କରିଅଛନ୍ତି। ସେଥିପାଇଁ,

“ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ରହି

ଦିବାନିଶି ତାହାଙ୍କ ମନ୍ଦିରରେ ତାହାଙ୍କ ସେବା କରୁଅଛନ୍ତି;

ଏବଂ ଯେ ସିଂହାସନରେ ଉପବିଷ୍ଟ

ସେ ସେମାନଙ୍କର ଆଶ୍ରୟ ସ୍ଵରୂପ ହେବେ।

‘ସେମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ;

କିମ୍ବା ଆଉ କେବେ ତୃଷିତ ହେବେ ନାହିଁ।

ସୂର୍ଯ୍ୟ କିମ୍ବା କୌଣସି ପ୍ରଚଣ୍ଡ ଉତ୍ତାପ,’

ସେମାନଙ୍କୁ ଜର୍ଜ୍ଜରିତ କରିବ ନାହିଁ।

କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ

ସେମାନଙ୍କର ପାଳକ ହେବେ;

‘ସେ ସେମାନଙ୍କୁ ଜୀବନଦାୟକ ଜଳ ନିର୍ଝର ନିକଟକୁ କଢ଼ାଇ ନେବେ।’

‘ପୁଣି ଈଶ୍ୱର ସେମାନଙ୍କ ଚକ୍ଷୁରୁ ସବୁ ଲୋତକ ପୋଛିଦେବେ।’ ”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.