Biblica® Open Odia Contemporary Bible
ପ୍ରକାଶିତ ବାକ୍ୟ 6
ମୁଦ୍ରାଙ୍କଗୁଡ଼ିକ ଭଙ୍ଗାଗଲା
ତହୁଁ ମୁଁ ମେଷଶାବକଙ୍କୁ ସାତଟି ମୁଦ୍ରା ମଧ୍ୟରୁ ପ୍ରଥମଟିକୁ ଭାଙ୍ଗିବାର ଦେଖିଲି। ତତ୍ପରେ ଚାରି ଜୀବନ୍ତ ପ୍ରାଣୀଙ୍କ ମଧ୍ୟରୁ ଜଣେ ବଜ୍ରନାଦ ସ୍ଵରରେ ଏହା କହିବାର ମୁଁ ଶୁଣିଲି, “ଆସ!” ମୁଁ ଅନାଇ ଦେଖିଲି, ମୋ ସମ୍ମୁଖରେ ଏକ ଶ୍ୱେତକାୟ ଅଶ୍ୱ! ତାହାର ଆରୋହୀ ଗୋଟିଏ ଧନୁ ଧରିଥିଲେ ଓ ତାଙ୍କୁ ଏକ ମୁକୁଟ ଦିଆଗଲା ଏବଂ ଜଣେ ବିଜୟୀ ମନୁଷ୍ୟ ଜୟଯାତ୍ରାରେ ବାହାରିଲା ପରି ସେ ବାହାରିଗଲେ।
ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ମୁଁ ଦ୍ୱିତୀୟ ଜୀବନ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, “ଆସ!” ତହୁଁ ଅଗ୍ମିଶିଖା ତୁଲ୍ୟ ଏକ ଲୋହିତବର୍ଣ୍ଣର ଅଶ୍ୱ ବାହାରି ଆସିଲା। ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିପାଇଁ ପୃଥିବୀରୁ ଶାନ୍ତି ହରଣ କରିବାକୁ ତାହାର ଆରୋହୀଙ୍କୁ କ୍ଷମତା ଦିଆଗଲା। ଆହୁରି ମଧ୍ୟ, ତାହାକୁ ଏକ ବୃହତ୍ ଖଡ଼୍ଗ ଦତ୍ତ ହେଲା।
ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ମୁଁ ତୃତୀୟ ଜୀବନ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, “ଆସ!” ମୁଁ ଅନାଇ ଦେଖିଲି, ମୋ ସମ୍ମୁଖରେ ଏକ କୃଷ୍ଣକାୟ ଅଶ୍ୱ! ତାହାର ଆରୋହୀଙ୍କ ହାତରେ ଥିଲା ଗୋଟିଏ ତରାଜୁ। ଏହାପରେ ଚାରି ଜୀବନ୍ତ ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ସ୍ଵର ଏହା କହୁଥିଲା ପରି ମୋତେ ଶୁଣାଗଲା, “ଦିନକର ମଜୁରିରେ ଏକ କିଲୋ ଗହମ ଓ ଦିନକର ମଜୁରିରେ ତିନି କିଲୋ ଯବ, କିନ୍ତୁ ତୁମେ ତୈଳ ଓ ସୁରାର କ୍ଷତି କର ନାହିଁ!”
ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ମୁଁ ଚତୁର୍ଥ ଜୀବନ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, “ଆସ!” ପୁଣି, ମୁଁ ଅନାଇ ଦେଖିଲି, ମୋ ସମ୍ମୁଖରେ ଏକ ଧୂସରବର୍ଣ୍ଣ ଅଶ୍ୱ! ତାହାର ଆରୋହୀଙ୍କ ନାମ ମୃତ୍ୟୁ ଏବଂ ପାତାଳ ତାହାର ପଶ୍ଚାତ୍ଗମନ କରୁଥିଲା। ଯୁଦ୍ଧ, ଦୁର୍ଭିକ୍ଷ, ମହାମାରୀ ଏବଂ ପୃଥିବୀର ବନ୍ୟପଶୁଙ୍କ ଦ୍ଵାରା ବିନଷ୍ଟ ହେବାକୁ ପୃଥିବୀର ଏକ ଚତୁଥର୍ଥାଂଶ ଉପରେ ଏମାନଙ୍କୁ କ୍ଷମତା ଦିଆଗଲା।
ସେ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସାକ୍ଷ୍ୟଦାନ ସକାଶେ ହତ ହୋଇଥିଲେ ସେମାନଙ୍କ ଆତ୍ମାଗଣକୁ ମୁଁ ବେଦି ତଳେ ଦେଖିଲି। ସେମାନେ ଉଚ୍ଚସ୍ଵରରେ ଡାକି କହୁଥିଲେ, “ହେ ପବିତ୍ର, ସତ୍ୟ ପରାତ୍ପର ପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ବିଚାର କରି ଆମର ରକ୍ତପାତର ପ୍ରତିଶୋଧ ନେବ?” ତା ପରେ ପ୍ରତ୍ୟେକ ଜଣକୁ ଗୋଟିଏ ଲେଖାଏଁ ଶୁକ୍ଳବସ୍ତ୍ର ଦିଆଗଲା, ଏବଂ ସେମାନଙ୍କୁ କୁହାଗଲା ଯେ, ସେମାନଙ୍କ ସହସେବକ ଓ ଭ୍ରାତୃବର୍ଗ ସେମାନଙ୍କ ପରି ହତ ହୋଇ ସଂଖ୍ୟା ପୂରଣ ନ ହେବା ପର୍ଯ୍ୟନ୍ତ, ସେମାନଙ୍କୁ ଆଉ କିଛିକାଳ ଅପେକ୍ଷା କରିବାକୁ ହେବ।
ସେ ଷଷ୍ଠ ମୁଦ୍ରା ଭାଙ୍ଗିବା ବେଳେ ମୁଁ ଚାହିଁ ରହିଲି। ଭୟାବହ ଭୂମିକମ୍ପ ହେଲା। ସୂର୍ଯ୍ୟ ଛାଗଲୋମନିର୍ମିତ କମ୍ୱଳ ପରି କୃଷ୍ଣବର୍ଣ୍ଣ ଓ ଚନ୍ଦ୍ର ସମ୍ପୁର୍ଣ୍ଣ ରକ୍ତବର୍ଣ୍ଣ ହେଲା, ପୁଣି ପ୍ରଚଣ୍ଡ ପବନରେ ଡିମ୍ବିରି ଗଛରୁ ପାଚି ନ ଥିବା ଫଳସବୁ ଝଡ଼ି ପଡ଼ିଲା ପରି, ଆକାଶରୁ ତାରାସବୁ ପୃଥିବୀ ଉପରେ ପଡ଼ିଲେ। ଚର୍ମପୁସ୍ତକ ଗୁଡ଼ା ହେଲା ପରି ଆକାଶମଣ୍ଡଳ ଅପସାରିତ ହେଲା, ଏବଂ ପ୍ରତ୍ୟେକ ପର୍ବତ ଓ ଦ୍ୱୀପ ସ୍ଥାନାନ୍ତରିତ ହେଲା।
ତତ୍ପରେ ପୃଥିବୀର ରାଜାଗଣ, ନେତୃବୃନ୍ଦ, ସେନାଧ୍ୟକ୍ଷମାନେ, ଧନୀ ଓ ପରାକ୍ରମୀ ଲୋକେ, ପରାଧୀନ ଓ ସ୍ୱାଧୀନ ଲୋକ, ସମସ୍ତେ ଗୁମ୍ଫାମାନଙ୍କରେ ଏବଂ ପର୍ବତମାଳାର ଶିଳାଗୁଡ଼ିକ ମଧ୍ୟରେ ଲୁଚିଲେ। ସେମାନେ ପର୍ବତ ଓ ଶୈଳସମୂହକୁ ଡାକି କହିଲେ, “ଆମ ଉପରେ ପଡ଼ ଏବଂ ଯେ ସିଂହାସନରେ ଉପବିଷ୍ଟ ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମକୁ ଲୁଚାଅ! କାରଣ ସେମାନଙ୍କ କ୍ରୋଧର ମହାଦିନ ଆସିଲାଣି ଓ କିଏ ତାହାର ସମ୍ମୁଖୀନ ହୋଇପାରିବ?”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.