Biblica® Open Odia Contemporary Bible
ଫିଲିପୀୟ 4
ସେଥିପାଇଁ, ହେ ମୋହର ଭାଇମାନେ, ଯେଉଁମାନଙ୍କୁ ମୁଁ ପ୍ରେମ କରେ ଓ ଦେଖିବାକୁ ଆକାଂକ୍ଷା କରେ, ଯେଉଁମାନେ ମୋର ଆନନ୍ଦ ଓ ମୁକୁଟ ସ୍ଵରୂପ, ହେ ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ଏହିରୂପେ ପ୍ରଭୁଙ୍କଠାରେ ଅଟଳ ରହିଥାଅ!
ପ୍ରଭୁଙ୍କଠାରେ ପରସ୍ପର ଏକମତ ହେବାକୁ ମୁଁ ଇୟଦିଆ ଓ ସିନ୍ତିଖୀକୁ ଅନୁରୋଧ କରୁଅଛି। ହେ ବିଶ୍ୱସ୍ତ ସହକର୍ମୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବାକୁ ତୁମକୁ ମଧ୍ୟ ମୁଁ ଅନୁରୋଧ କରୁଅଛି, କାରଣ ଏହି ମହିଳାମାନେ କ୍ଲେମେନ୍ସ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ, ସୁସମାଚାର କାର୍ଯ୍ୟରେ ମୋ ସହିତ ପରିଶ୍ରମ କରିଅଛନ୍ତି, ସେହି ସହକର୍ମୀମାନଙ୍କର ନାମ ଜୀବନପୁସ୍ତକରେ ଅଛି।
ପ୍ରଭୁ ତୁମର ପରମ ଆନନ୍ଦ
ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର। ମୁଁ ପୁନର୍ବାର କହୁଅଛି: ଆନନ୍ଦ କର! ତୁମ୍ଭମାନଙ୍କର ମୃଦୁ ସ୍ଵଭାବ ସମସ୍ତଙ୍କ ନିକଟରେ ପ୍ରତୀୟମାନ ହେଉ। ପ୍ରଭୁ ନିକଟବର୍ତ୍ତୀ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସବୁ ବିଷୟରେ ପ୍ରାର୍ଥନା ଓ ବିନତିପୂର୍ବକ, ଧନ୍ୟବାଦ ସହ, ନିଜର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ପୁଣି ଈଶ୍ୱରଙ୍କର ଶାନ୍ତି, ଯାହାକି ବୋଧର ଅଗମ୍ୟ, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୁରକ୍ଷିତ ରଖିବ।
ହେ ଭାଇମାନେ, ପରିଶେଷରେ, ଯାହାକିଛି ସତ୍ୟ, ଯାହାକିଛି ମହତ୍, ଯାହା ଯଥାର୍ଥ, ଯାହା ନିର୍ମଳ, ଯାହା ମନୋହର, ଯାହା ହୃଦୟଗ୍ରାହୀ ଏବଂ ଯାହାକିଛି ଉତ୍କୃଷ୍ଟ ବିଷୟ କିମ୍ବା ପ୍ରଶଂସନୀୟ ବିଷୟ ଥାଏ, ସେହିସବୁ ଚିନ୍ତା କର। ତୁମ୍ଭେମାନେ ମୋ ଠାରୁ ଯାହାସବୁ ଶିଖିଅଛ କିମ୍ବା ପାଇଅଛ କିମ୍ବା ଶୁଣିଅଛ କିମ୍ବା ମୋ ଠାରେ ଦେଖିଅଛ, ତାହା କାର୍ଯ୍ୟରେ ପରିଣତ କର। ତା ହେଲେ ଶାନ୍ତିଦାତା ଈଶ୍ୱର ତୁମର ସହବର୍ତ୍ତୀ ହେବେ।
ଦାନ ପାଇଁ କୃତଜ୍ଞତା ଜ୍ଞାପନ
ତୁମ୍ଭେମାନେ ଯେ ଅବଶେଷରେ ମୋ ପାଇଁ ପୁନର୍ବାର ମନୋଯୋଗୀ ହୋଇଅଛ ଏଥିପାଇଁ ମୁଁ ପ୍ରଭୁଙ୍କ ସାକ୍ଷାତରେ ଅତ୍ୟନ୍ତ ଆନନ୍ଦୋଲ୍ଲାସ କରୁଅଛି। ପ୍ରକୃତରେ, ତୁମ୍ଭେମାନେ ମନୋଯୋଗୀ ଥିଲ, କିନ୍ତୁ ତାହା ପ୍ରକାଶ କରିବାକୁ ସୁଯୋଗ ପାଇ ନ ଥିଲ। ମୁଁ ଅଭାବରେ ଅଛି ବୋଲି ଏ କଥା କହୁ ନାହିଁ, କାରଣ ଯେଉଁ ଅବସ୍ଥାରେ ଥାଏ ନା କାହିଁକି ମୁଁ ସନ୍ତୁଷ୍ଟ ରହିବାକୁ ଶିଖିଅଛି। ଅଭାବରେ ରହିବା କଅଣ, ଓ ପ୍ରାଚୁର୍ଯ୍ୟରେ ରହିବା କଅଣ ମୁଁ ତାହା ଜାଣିଛି। ପରିତୃପ୍ତିରେ ହେଉ ବା କ୍ଷୁଧାରେ ହେଉ ପ୍ରାଚୁର୍ଯ୍ୟରେ ହେଉ ବା ଅଭାବରେ ହେଉ, ସବୁ ବିଷୟରେ, ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହିବାର ନିଗୂଢ଼ତତ୍ତ୍ୱ ମୁଁ ଶିଖିଅଛି। ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସବୁକିଛି କରିପାରେ।
ତଥାପି ମୋର ଦୁର୍ଦ୍ଦଶାରେ ଭାଗୀ ହୋଇ ତୁମ୍ଭେମାନେ ଭଲ କରିଅଛ। ପୁଣି, ହେ ଫିଲିପୀୟମାନେ ତୁମ୍ଭେମାନେ ଜାଣ ଯେ, ସୁସମାଚାର ପ୍ରଚାର ଆରମ୍ଭରେ, ମୁଁ ଯେତେବେଳେ ମାସିଦୋନିଆରୁ ପ୍ରସ୍ଥାନ କଲି, ତୁମ୍ଭମାନଙ୍କ ଛଡ଼ା, ଆଉ କୌଣସି ମଣ୍ଡଳୀ ଦେବା ଓ ନେବା ବିଷୟରେ ମୋ ସହିତ ଭାଗୀ ହୋଇ ନ ଥିଲେ; ଏପରିକି ମୁଁ ଥେସଲନୀକୀ ରେ ଥିବା ସମୟରେ, ତୁମ୍ଭେମାନେ ଥରକୁ ଥର ସାହାଯ୍ୟ ପଠାଇ ମୋର ଅଭାବମୋଚନ କରିଥିଲ। ମୁଁ ଯେ ଦାନ ପାଇବାକୁ ଉତ୍ସୁକ ତା ନୁହେଁ; ତୁମ୍ଭମାନଙ୍କ ହିସାବରେ ଯାହା ଜମା ହେଉଅଛି ସେଥିସକାଶେ ମୁଁ ଉତ୍ସୁକ। ମୁଁ ପୂର୍ଣ୍ଣ ମୂଲ୍ୟ ପାଇଅଛି ବରଂ ଅଧିକ ପାଇଅଛି। ଏବେ ତୁମ୍ଭେମାନେ ପଠାଇଥିବା ଦାନ, ଏପାଫ୍ରାଦିତସ୍ଙ୍କଠାରୁ ପାଇ ମୋର ଯଥେଷ୍ଟ ହୋଇଅଛି। ସେହିସବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ, ସୁଗନ୍ଧ ନୈବେଦ୍ୟ, ଓ ସୁଗ୍ରାହ୍ୟ ବଳିସ୍ଵରୂପ। ପୁଣି ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ଗୌରବର ନିଧି ଅଛି, ତଦନୁସାରେ ମୋର ଈଶ୍ୱର ତୁମ୍ଭମାନଙ୍କ ସମସ୍ତ ଅଭାବ ପୂରଣ କରିବେ।
ଆମ୍ଭମାନଙ୍କର ଈଶ୍ୱର ଓ ପିତାଙ୍କର ଗୌରବ ଯୁଗେ ଯୁଗେ ହେଉ। ଆମେନ୍।
ଶେଷ ଅଭିବାଦନ
ଖ୍ରୀଷ୍ଟ ଯୀଶୁଙ୍କର ଆଶ୍ରିତସମସ୍ତ ସାଧୁବୃନ୍ଦଙ୍କୁ ଅଭିବାଦନ ଜଣାଅ।
ମୋର ସଙ୍ଗରେ ଥିବା ଭାଇମାନେ ଅଭିବାଦନ ଜଣାଉଛନ୍ତି।
ସମସ୍ତ ସାଧୁବୃନ୍ଦ ବିଶେଷତଃ ଯେଉଁମାନେ ସିଜାରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହିତ ଥାଉ। ଆମେନ୍।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.