Skip to content
BibleKenya

Biblica® Open Odia Contemporary Bible

ମାଥିଉ 9

ପକ୍ଷାଘାତ ରୋଗୀ ସୁସ୍ଥ ହେଲା

ତହୁଁ ଯୀଶୁ ଏକ ନୌକାରେ, ହ୍ରଦ ପାର ହୋଇ ନିଜ ସହରକୁ ଗଲେ। ଲୋକେ ଏକ ଶଯ୍ୟାଶାୟୀ ପକ୍ଷାଘାତ ରୋଗୀକୁ ତାଙ୍କ ନିକଟକୁ ଆଣିଲେ, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି, ସେହି ପକ୍ଷାଘାତ ରୋଗୀକୁ କହିଲେ, “ପୁଅ ସାହସ, ଧର; ତୁମର ପାପସବୁ କ୍ଷମା ହେଲା।”

ଏହା ଶୁଣି, କେତେକ ଶାସ୍ତ୍ରଜ୍ଞ ମନେ ମନେ କହିଲେ, “ଏ ଲୋକ ତ ଈଶ୍ୱରନିନ୍ଦା କରୁଛି!”

ଯୀଶୁ ସେମାନଙ୍କ ମନର ଭାବନା ଜାଣିପାରି, କହିଲେ, “ତୁମ୍ଭେମାନେ କାହିଁକି ମନରେ ମନ୍ଦ ଭାବନା ପୋଷଣ କରୁଛ? କେଉଁଟା ସହଜ, ‘ତୁମର ପାପସବୁ କ୍ଷମା ହେଲା’ ବୋଲି କହିବା ନା ‘ଉଠ, ଚାଲ ବୋଲି କହିବା?’ ତୁମ୍ଭେମାନେ ଜାଣିବ ଯେ ଏହି ପୃଥିବୀରେ ପାପକ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି।” ଏହାପରେ ସେ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ତୁମର ବିଛଣା ନେଇ ଘରକୁ ଯାଅ।” ସେହି ଲୋକ ଉଠିଲା ଓ ଘରକୁ ଚାଲିଗଲା। ଲୋକମାନେ ଏହା ଦେଖି, ଆଚମ୍ବିତ ହେଲେ; ଓ ଈଶ୍ୱର ମନୁଷ୍ୟମାନଙ୍କୁ ଏପରି କ୍ଷମତା ଦେଇଥିବାରୁ, ସେମାନେ ତାହାଙ୍କର ପ୍ରଶଂସା କରିବାକୁ ଲାଗିଲେ।

ମାଥିଉଙ୍କୁ ଆହ୍ଵାନ

ଯୀଶୁ ସେଠାରୁ ବାହାରି ଯାଉଁ ଯାଉଁ, ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କରଆଦାୟ ସ୍ଥାନରେ ବସିଥିବା ଦେଖିଲେ, ଯୀଶୁ ତାଙ୍କୁ କହିଲେ, “ଆସ, ମୋର ଅନୁଗମନ କର,” ମାଥିଉ ଉଠି, ତାହାଙ୍କ ପଛରେ ଗଲେ।

ପରେ ମାଥିଉଙ୍କ ଗୃହରେ ଯୀଶୁ ଯେତେବେଳେ ଭୋଜନରେ ବସିଲେ, ଅନେକ କରଆଦାୟକାରୀ ଓ ପାପୀଷ୍ଠ ଲୋକେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ। ଫାରୂଶୀମାନେ ତାହା ଦେଖି, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କର ଗୁରୁ କାହିଁକି କରଆଦାୟକାରୀ ଓ ପାପୀଷ୍ଠ ଲୋକଙ୍କ ସହିତ ଭୋଜନ କରନ୍ତି?”

ତାହା ଶୁଣି ଯୀଶୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ଚିକିତ୍ସକଠାରେ ପ୍ରୟୋଜନ ନ ଥାଏ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଥାଏ। କିନ୍ତୁ ବଳିଦାନ ନୁହେଁ ମାତ୍ର: ‘ମୁଁ ଚାହେଁ ତୁମ୍ଭେମାନେ ଦୟାପ୍ରଦର୍ଶନ କର, ଏହାର ତାତ୍ପର୍ଯ୍ୟ କଣ ଯାଇ ଶିକ୍ଷା କର।’ କାରଣ ମୁଁ ଧାର୍ମିକ ଲୋକଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ଅଥଚ ପାପୀମାନଙ୍କୁ ଆହ୍ଵାନ କରିବାକୁ।”

ଏହାପରେ ଯୋହନଙ୍କ ଶିଷ୍ୟମାନେ ଆସି ଯୀଶୁଙ୍କୁ ପଚାରିଲେ, “ଆମେ ଓ ଫାରୂଶୀମାନେ ଉପବାସ କରୁ, ଅଥଚ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?”

ଯୀଶୁ ଉତ୍ତର ଦେଲେ: “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରଯାତ୍ରୀମାନେ କଅଣ ଶୋକ କରିପାରନ୍ତି? କିନ୍ତୁ ସମୟ ଆସିବ ଯେତେବେଳେ ବର ସେମାନଙ୍କ ନିକଟରୁ ନିଆଯିବେ; ସେତେବେଳେ ସେମାନେ ଉପବାସ କରିବେ।

“ପୁରୁଣା ଲୁଗାରେ କେହି ନୂଆ ଲୁଗାର ତାଳି ପକାଏ ନାହିଁ, ତାହା କଲେ ତାଳିଟା ଲୁଗାକୁ ଟାଣି, ଆହୁରି ଛିଣ୍ଡାଇ କଣାକୁ ବଡ଼ କରିଦେବ। ପୁଣି ପୁରୁଣା ଦ୍ରାକ୍ଷାରସ କୁମ୍ପାରେ କେହି ନୂଆ ଦ୍ରାକ୍ଷାରସ ରଖେ ନାହିଁ, ତାହା କଲେ, ମଦ କୁମ୍ପା ଫାଟି; ମଦସବୁ ଢାଳି ହୋଇଯିବ ଓ କୁମ୍ପାସବୁ ନଷ୍ଟ ହୋଇଯିବ। ନୂଆ ଦ୍ରାକ୍ଷାରସ ରିଖିବା ପାଇଁ ନୂଆ ଦ୍ରାକ୍ଷାରସ କୁମ୍ପା ବ୍ୟବହାର କରାଯାଏ, ତଦ୍ଦ୍ୱାରା ଉଭୟେ ରକ୍ଷା ପାଏ।”

ଜଣେ ମୃତା ବାଳିକା ଓ ଜଣେ ପୀଡ଼ିତା ସ୍ତ୍ରୀ

ସେ ଏହିସବୁ କଥା କହୁଥିବା ବେଳେ, ଉପାସନାଗୃହର ଜଣେ ଅଧ୍ୟକ୍ଷ ଆସି ତାଙ୍କ ସାମ୍ନାରେ ଆଣ୍ଠୋଇ ପଡ଼ି କହିଲେ, “ମୋର ଝିଅଟି ଏହିକ୍ଷଣି ମରିଗଲା। କିନ୍ତୁ ଆପଣ ଆସି ତା ଉପରେ ହାତ ରଖନ୍ତୁ, ସେ ବଞ୍ଚି ଉଠିବ।” ଯୀଶୁ ଉଠି ତାଙ୍କ ସହିତ ଗଲେ, ଏବଂ ଶିଷ୍ୟମାନେ ମଧ୍ୟ ଗଲେ।

ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ରକ୍ତପ୍ରଦର ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ପଛଆଡ଼ୁ ଆସି ଯୀଶୁଙ୍କ ପୋଷାକର ଧଡ଼ିକୁ ଛୁଇଁଲା। କାରଣ ସେ ମନେ ମନେ ଭାବିଲା, “ମୁଁ ଯଦି ତାଙ୍କର ଲୁଗାକୁ କେବଳ ଛୁଇଁ ଦିଏ, ତେବେ ମୁଁ ସୁସ୍ଥ ହେବି।”

ଯୀଶୁ ବୁଲିପଡ଼ି ତାକୁ ଦେଖି କହିଲେ, “ଝିଅ ସାହସ ଧର, ତୋର ବିଶ୍ୱାସ ତୋତେ ସୁସ୍ଥ କରିଅଛି।” ସେହି ମୁହୂର୍ତ୍ତରୁ ସେହି ସ୍ତ୍ରୀ ସୁସ୍ଥ ହେଲା।

ଯୀଶୁ ଅଧ୍ୟକ୍ଷଙ୍କ ଗୃହରେ ପହଞ୍ଚି ବଂଶୀବାଦକ ଓ କୋଳାହଳ କରୁଥିବା ଲୋକମାନଙ୍କୁ ଦେଖିଲେ, ତେଣୁ ସେ କହିଲେ, “ଚାଲିଯାଅ। ଝିଅଟି ମରି ନାହିଁ ସେ ଶୋଇପଡ଼ିଛି।” କିନ୍ତୁ ସେମାନେ ତାଙ୍କୁ ପରିହାସ କଲେ। ଲୋକମାନଙ୍କୁ ବାହାର କରି ଦିଆଯିବା ପରେ, ସେ ଭିତରକୁ ଯାଇ ଝିଅଟିର ହାତ ଧରିଲେ, ଏବଂ ସେ ଉଠି ବସିଲା। ଏହି ସମ୍ବାଦ ସେହି ଅଞ୍ଚଳସାରା ବ୍ୟାପିଗଲା।

ଅନ୍ଧ ଓ ମୂକ ସୁସ୍ଥ ହେଲେ

ଯୀଶୁ ସେଠାରୁ ଚାଲି ଯାଉଥିବା ସମୟରେ, ଦୁଇଜଣ ଅନ୍ଧ ତାଙ୍କ ପଛେ ପଛେ ଚାଲି, ଚିତ୍କାର କରିବାକୁ ଲାଗିଲେ, “ହେ ଦାଉଦସନ୍ତାନ, ଆମ ପ୍ରତି ଦୟା କରନ୍ତୁ!”

ସେ ଘର ଭିତରକୁ ଗଲା ପରେ, ସେହି ଅନ୍ଧମାନେ ତାଙ୍କ ନିକଟକୁ ଗଲେ, ସେ ସେମାନଙ୍କୁ ପଚାରିଲେ, “ମୁଁ ଯେ ଏହା କରିବାକୁ ସମର୍ଥ ତୁମ୍ଭେମାନେ କଣ ତାହା ବିଶ୍ୱାସ କରୁଛ?”

ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ।”

ଏହାପରେ ସେ ସେମାନଙ୍କ ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ହେଉ,” ତହୁଁ ସେମାନଙ୍କର ଦୃଷ୍ଟିଶକ୍ତି ଫେରି ଆସିଲା। ଯୀଶୁ ସେମାନଙ୍କୁ ଦୃଢ଼ଭାବେ ଆଜ୍ଞା ଦେଇ କହିଲେ, “ଦେଖ ଏ କଥା କେହି ନ ଜାଣୁ।” ମାତ୍ର ସେମାନେ ଚାଲିଯାଇ ତାଙ୍କର କୀର୍ତ୍ତି ସେହି ଅଞ୍ଚଳସାରା ପ୍ରଚାର କଲେ।

ସେମାନେ ସେଠାରୁ ଚାଲି ଯାଉଥିବା ବେଳେ, ଲୋକେ ଜଣେ ଭୂତାବିଷ୍ଟ ଲୋକକୁ ଯୀଶୁ ନିକଟକୁ ଆଣିଲେ, ସେ କଥା କହିପାରୁ ନ ଥିଲା। ଭୂତାତ୍ମା ବିତାଡ଼ିତ ହେବା ପରେ, ମୂକ ହୋଇ ଯାଇଥିବା ଲୋକଟି କଥା କହିଲା। ଲୋକସମୂହ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, “ଇସ୍ରାଏଲରେ କେବେ ଏପରି ଦେଖାଯାଇ ନ ଥିଲା।”

କିନ୍ତୁ ଫାରୂଶୀବର୍ଗ କହିଲେ, “ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଛି।”

ଶସ୍ୟ ପ୍ରଚୁର ମୂଲିଆ ଅଳ୍ପ

ଯୀଶୁ ସବୁ ସହର ଓ ଗ୍ରାମ ବୁଲି ବୁଲି, ଉପାସନାଗୃହମାନଙ୍କରେ ଶିକ୍ଷା ଦେଲେ, ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ସୁସମାଚାର ପ୍ରଚାର କଲେ ଏବଂ ସବୁପ୍ରକାର ରୋଗବ୍ୟାଧି ସୁସ୍ଥ କଲେ। ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି, ତାଙ୍କ ହୄଦୟରେ ଅନୁକମ୍ପା ଜାତ ହେଲା, କାରଣ ସେମାନେ ରକ୍ଷକବିହୀନ ମେଷ ପରି, ଦୁର୍ଦ୍ଦଶାପନ୍ନ ଓ ଅସହାୟ ଥିଲେ। ସେ ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ପ୍ରଚୁର ମାତ୍ର ମୂଲିଆଙ୍କ ସଂଖ୍ୟା ଅଳ୍ପ। ତେଣୁ ତାଙ୍କ ଶସ୍ୟକ୍ଷେତ୍ରକୁ କଟାଳିମାନଙ୍କୁ ପଠାଇବା ପାଇଁ, ଶସ୍ୟକ୍ଷେତ୍ରର ଅଧିକାରୀଙ୍କୁ ନିବେଦନ କର।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.